ଗାଭାସ୍କର ଭାବବିହ୍ବଳ ! ‘ଧୋନିଙ୍କ ବିଶ୍ବକପ୍ ବିଜୟୀ ଛକା ଦେଖି ଦୁନିଆ ଛା‌ଡ଼ିବାକୁ ଆଶା’

ନୂଆଦିଲ୍ଲୀ: ଭାରତୀୟ କ୍ରିକେଟ୍‌ର କଂବଦନ୍ତି ପୁରୁଷ ସୁନିଲ ଗାଭାସ୍କର ୧୯୮୩ ବିଶ୍ବକପ୍‌ ବିଜେତା ଭାରତୀୟ ଦଳର ସଦସ୍ୟ ଥିଲେ। ହେଲେ ଭାରତୀୟ କ୍ରିକେଟ୍‌କୁ ୨୦୧୧ ବିଶ୍ବକପ୍ ବିଜେତା ଅଧିନାୟକ ମହେନ୍ଦ୍ର ସିଂହ ଧୋନି ନୂଆ ଦିଶା ଦେଇଥିଲେ ବୋଲି ଏକ ଭାବପ୍ରବଣ ମନ୍ତବ୍ୟ ଦେଇଛନ୍ତି ଗାଭାସ୍କର। ଧୋନିଙ୍କ ଅବସର ପରେ ପରେ ଏଭଳି ମନ୍ତବ୍ୟ ରଖିଥିବା ଗାଭାସ୍କର ଆଇପିଏଲ୍‌ର ୨୦୧୧ ସଂସ୍କରଣ ବେଳେ ତାଙ୍କ ସହ (ଧୋନିଙ୍କ ସହ) ଏକ ଭେଟକୁ ମନେ ପକାଇଛନ୍ତି। ସେତେବେଳେ ଧୋନିଙ୍କୁ ଗାଭାସ୍କର କହିଥିଲେ ‘ତୁମର ୨୦୧୧ ବିଶ୍ବକପ୍ ବିଜୟୀ ଛକା ଦେଖି ଦେଖି ଦୁନିଆ ଛାଡ଼ିବାକୁ ମୋର ଇଚ୍ଛା’। ଧୋନି ଏହା ଶୁଣି କେବଳ ଯାହା ସ୍ମିତ ହାସ୍ୟ ଦେଇଥିଲେ। ଏହାର କିଛି ଦିନ ପରେ ଆଇପିଏଲ୍‌ ଆରମ୍ଭ ହୋଇଥିଲା।

ସେବର୍ଷର ଅନୁଭୂତିକୁ ବର୍ଣ୍ଣନା କରିବାକୁ ଯାଇ ଗାଭାସ୍କର କହିଛନ୍ତି ଯେ ଚେନ୍ନାଇ ସୁପର କିଙ୍ଗ୍‌ସ (ସିଏସ୍‌କେ) ତା’ର ପ୍ରଥମ ମ୍ୟାଚ୍‌ ଖେଳିଥିଲା ବେଳେ ମୁଁ ପଡ଼ିଆରେ ଥିଲି। ସେତେବେଳେ ମୁଁ ଧୋନିଙ୍କୁ ଭେଟିଥିଲି ଏବଂ କହିଥିଲି ”ଏହି ବିଶ୍ବ ଉପରେ ନଜର ପକାଅ, ମୋ ପାଖରେ ଯଦି ବି କିଛି ମିନିଟ୍‌ ବାକିଥାଏ ତାହାଲେ କାହାରିକୁ ବି ସେହି ସଟ୍‌ ଖେଳିବାକୁ କହିବିନି। କାହିଁକିନା ମୁଁ ସେହି ସଟ୍‌କୁ ଦେଖିବାକୁ ଖୁବ୍‌ ଭଲ ପାଇବା ସାଙ୍ଗକୁ ଦୁନିଆକୁ ଅଲ୍‌ବିଦା ଜଣାଇବାକୁ ପସନ୍ଦ କରିବି। ତାହାହିଁ ଏକ ଚମତ୍କାର ଉପାୟ ହୋଇଥା’ନ୍ତା ଏବଂ ମୁଁ ମୋ ମୁହଁରେ ହସ ଦେଖିଥା’ନ୍ତି। ଶ୍ରୀଲଙ୍କା ବିପକ୍ଷ ସେହି ବିଶ୍ବକପ୍‌ ଫାଇନାଲ୍‌ରେ ନୁୱାନ କୁଲ୍‌ସେକରାଙ୍କୁ ଛକା ମାରି ଧୋନି କେବଳ ଭାରତକୁ ବିଜେତା କରାଇନଥିଲେ, ବରଂ ଦେଶକୁ ଏଭଳି ସଫଳତା ପାଇଁ ୨୮ ବର୍ଷ ପ୍ରତୀକ୍ଷାର ଅନ୍ତ ଘଟାଇଥିଲେ। ଭାରତ ପିଛା କରିଥିବା ସେହି ଫାଇନାଲ୍‌ରେ ଅପରାଜିତ ୯୧ ରନ୍‌ କରିଥିବା ଧୋନି ହିଁ ମ୍ୟାଚ୍‌ର ଶ୍ରେଷ୍ଠ ଖେଳାଳି ବିବେଚିତ ହୋଇଥିଲେ। ସେଭଳି ଜଣେ ମହାନ୍‌ ଖେଳାଳି ଧୋନିଙ୍କର ଭାରତୀୟ କ୍ରିକେଟ୍‌ ଉପରେ କି ପ୍ରଭାବ ରହିଛି ତାହା ମଧ୍ୟ ବର୍ଣ୍ଣନା କରିଛନ୍ତି ଗାଭାସ୍କର। ବିଶ୍ବ କ୍ରିକେଟ୍‌ରେ ଜଣେ ସଫଳତମ ଅଧିନାୟକ ଭାବେ ଧୋନି ଅବସର ନେଇଛନ୍ତି। ସେ ମଧ୍ୟ କ୍ରିକେଟ୍‌ର ଜଣେ ସର୍ବଶ୍ରେଷ୍ଠ ଫିନିସର୍‌ ଥିଲେ। ଅବସର ପର୍ଯ୍ୟନ୍ତ ତିନିଟି ଆଇସିସି ଟ୍ରଫି ଜିତିବାରେ ଧୋନି ଏକମାତ୍ର ଅଧିନାୟକ ଥିଲେ ବୋଲି ଗାଭାସ୍କର ପ୍ରତିକ୍ରିୟା ରଖିଛନ୍ତି। ଏହି ଅବସରରେ ଧୋନିଙ୍କୁ କପିଳ ଦେବଙ୍କ ସହ ତୁଳନା କରିଛନ୍ତି ସେ। ଉଭୟ ଧୋନି ଓ କପିଳ ପାଖାପାଖି ଏକାପରି। ଉଭୟଙ୍କ ମଧ୍ୟରେ ସାମଞ୍ଜସ୍ୟ ବାରି ହୋଇପଡ଼େ। କ୍ରିକେଟ୍‌ରେ ଉଭୟଙ୍କର ଆଭିମୁଖ୍ୟ ଏକାଭଳି। ସେମାନେ କ୍ରିକେଟ୍‌ ଖେଳିବାକୁ ଭଲ ପାଆନ୍ତି। ସବୁବେଳେ ଚର୍ଚ୍ଚାର କେନ୍ଦ୍ରରେ ରହିବାକୁ ମଧ୍ୟ ପସନ୍ଦ କରନ୍ତି। ସେମାନେ ସେମାନଙ୍କ ଦଳ ପାଇଁ ବୃହତ୍‌ ସଫଳତା ହାସଲ ଚାହୁଥିଲେ। ଏହି ପ୍ରକାରେ ଉଭୟେ ଖୁବ୍‌ ଏକାଭଳି ବୋଲି କହିଛନ୍ତି ଗାଭାସ୍କର।

”ହଁ, ମୁଁ ଭାବୁଛି ଧୋନି ସର୍ବକାଳୀନ ଭାରତୀୟ ଏକାଦଶର ନେତୃତ୍ବ ନେବାପାଇଁ ଜଣେ ଦୃଢ଼ ଦାବିଦାର ରହିବେ। ତୁମେ ଯଦି ଭାରତ ପାଇଁ ଦିନିକିଆ ଦଳରେ ନେତୃତ୍ବ ଉପ‌ରେ ନଜର ପକାଅ, ତାହାଲେ କେବଳ ମାତ୍ର ଦୁଇ ଜଣ ହିଁ ଆଖି ଆଗକୁ ଆସିବେ। ସେହି ଦୁଇ ଜଣ ହେଲେ ଏମ୍‌ଏସ୍‌ ଧୋନି ଏବଂ କପିଳ ଦେବ। ତେଣୁ ମୋ ମତରେ ଏହି ଦୁଇ ଜଣ ହିଁ ପ୍ରତିଦ୍ବନ୍ଦ୍ବୀ। କାରଣ ଉଭୟ ଉଭୟଙ୍କ ପାଇଁ ବିଜେତା। ସେମାନେ ଅତି ଚମତ୍କାର ପ୍ରଦର୍ଶନ ଛାଡ଼ି ଯାଇଛନ୍ତି। ଦ୍ବିପାକ୍ଷିକ ଶୃଙ୍ଖଳା ଜିତିଛନ୍ତି। କିନ୍ତୁ ବିଶ୍ବକପ୍‌ ବିଜୟକୁ ଆସିଲେ ମୋ ମତରେ ଧୋନି ହିଁ କପିଳଙ୍କଠାରୁ କିଛି ଉପରେ ରହିବେ। ଏହାର କାରଣ ମଧ୍ୟ ଅତି ସ୍ପଷ୍ଟ। କପିଳ କେବଳ ଗୋଟିଏ ଦିନିକିଆ ବିଶ୍ବକପ୍‌ ଜିତିଥିଲେ। ହେଲେ ଧୋନି ଦିନିକିଆ ସାଙ୍ଗକୁ ଟ୍ବେଣ୍ଟି-୨୦ ବିଶ୍ବକପ୍‌ ଏବଂ ଚାମ୍ପିଅନ୍‌ସ ଟ୍ରଫି ମଧ୍ୟ ଭାରତକୁ ଭେଟି ଦେଇଥିବାରୁ କପିଳଙ୍କ ଉପରେ ରହିବେ ବୋଲି ଗାଭାସ୍କର କହିଛନ୍ତି।

ସମ୍ବନ୍ଧିତ ଖବର