ଆର୍‌ସିବିକୁ ସଫଳତା ମନ୍ତ୍ର ଦେଲେ ଲି’ ‘କୋହଲି ଚାପମୁକ୍ତ ହୁଅନ୍ତୁ’

ନୂଆଦିଲ୍ଲୀ: ଆଇପିଏଲ୍‌ର ତ୍ରୟୋଦଶ ସଂସ୍କରଣ ସେପ୍ଟେମ୍ବର ୧୯ରୁ ନଭେମ୍ବର ୧୦ ତାରିଖ ପର୍ଯ୍ୟନ୍ତ ୟୁଏଇରେ ଆୟୋଜିତ ହେବ। ଏଥିଲାଗି ସବୁ ଦଳ ପ୍ରସ୍ତୁତ ମଧ୍ୟ ହେଲେଣି। ‌ଆଇପିଏଲ୍‌ ଟ୍ରଫି କେବେ ଜିତି ନଥିବା ବିରାଟ କୋହଲିଙ୍କ ନେତୃତ୍ବାଧୀନ ରୟାଲ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋର (ଆର୍‌ସିବି) ପାଇଁ ଚଳିତ ବର୍ଷ ସୁଯୋଗ ରହିଛି। କାରଣ ସେମାନଙ୍କ ପାଖରେ ଏକ ସନ୍ତୁଳତ ଦଳ ରହିଛି। ଆଇପିଏଲ୍‌ ଆରମ୍ଭ ପୂର୍ବରୁ ଅଷ୍ଟ୍ରେଲିଆର ପୂର୍ବତନ କ୍ରିକେଟର୍‌ ବ୍ରେଟ୍‌ ଲି’ ମଧ୍ୟ ଏହି ଦଳକୁ ସଫଳତାର ମନ୍ତ୍ର ଦେଇଛନ୍ତି। ଅଧିନାୟକ ଓ ଖେଳାଳି ଭାବେ କୋହଲି ନିଜକୁ ଚାପମୁକ୍ତ ରଖି‌ଲେ ଦଳ ସଫଳତା ପାଇପାରିବ ବୋଲି ଷ୍ଟାର ସ୍ପୋର୍ଟ୍ସ କାର୍ଯ୍ୟକ୍ରମ ‘କ୍ରିକେଟ୍‌ କନେ‌କ୍ଟେଡ୍‌’ରେ ଲି’ ପ୍ରକାଶ କରିଛନ୍ତି।

‘‘କୋହଲିଙ୍କ ନିକଟରେ ପ୍ରତିଭା ଭରି ରହିଛି। ମୁଁ ଭାବୁଛି ଦଳର ସମସ୍ତ ଚାପ ଜଣଙ୍କ ଉପରେ ଆସିବାରୁ ବିଫଳତା ମିଳୁଛି। ସମସ୍ତ ଖେଳାଳିଙ୍କ ଚାପ ସେ ନିଜ ପିଠିରେ ବୋହିବାକୁ ଚେଷ୍ଟା କରୁଛନ୍ତି। କୋହଲିଙ୍କଠାରୁ ଚାପ ଦୂର କରିବାରେ ଆରସିବିର ସମସ୍ତ ଖେଳ‌ାଳି ସାହାଯ୍ୟ କରିବା ଉଚିତ୍’’ ବୋଲି ଲି କହିଛନ୍ତି। ‌ଏହି କାର୍ଯ୍ୟକ୍ରମରେ ଆରୋନ୍‌ ପିଞ୍ଚଙ୍କୁ ଆର୍‌ସିବି କିଣିବା ନେଇ ପୂର୍ବତନ କ୍ରିକେଟର୍‌ ସଂଜୟ ମଞ୍ଜେରକର ପ୍ରଶଂସା କରିଥିଲେ। କୋହଲି ଓ ଏବି ଡି’ଭିଲିୟର୍ସଙ୍କ ପରେ ଫିଞ୍ଚ୍ ଦଳ ପାଇଁ ବଡ଼ ଖେଳାଳି ହୋଇପାରିବେ। ମଞ୍ଜରେକରଙ୍କର ଏହି ମତରେ ଲି’ ସହମତ ହୋଇଥିଲେ ଏବଂ କହିଥିଲେ ପିଞ୍ଚ୍‌ଙ୍କୁ ଉପଅଧିନାୟକ ‌ଦାୟିତ୍ବ ମିଳିବା ଉଚିତ।

ସମ୍ବନ୍ଧିତ ଖବର