ଗ୍ରୀନ୍ସ ସିଲଡ ଜୁନିଅର କ୍ରିକେଟ ଟୁର୍ଣ୍ଣାମେଣ୍ଟ: ସେମିରେ ଗ୍ରୀନ୍ସ

ଭୁବନେଶ୍ୱର: ସ୍ଥାନୀୟ ଗାଡ଼କଣସ୍ଥିତ ଗଡ଼େଶ୍ୱର ଖେଳପଡିଆରେ ଗ୍ରୀନ୍ସ କ୍ରିକେଟ ଆସୋସିଏସନ ଓ ଗଡ଼େଶ୍ୱର ସ୍ପୋର୍ଟ୍ସ ଆସୋସିଏସନର ମିଳିତ ଆନୁକୂଲ୍ୟରେ ୨୧ ତାରିଖ ଠାରୁ ଆରମ୍ଭ ହୋଇଥିବା ଗ୍ରୀନ୍ସ ସିଲଡ ଜୁନିଅର କ୍ରିକେଟ ଟୁର୍ଣ୍ଣାମେଣ୍ଟର ଶେଷ ଲିଗ ମ୍ୟାଚରେ ଗ୍ରୀନ୍ସ କ୍ରିକେଟ ଆସୋସିଏସନ ୬୦ ରନରେ ମୁକ୍ତେଶ୍ଵର କ୍ରିକେଟ କ୍ଲବକୁ ପରାସ୍ତ କରି ଶେଷ ଦଳ ଭାବେ ସେମିରେ ପ୍ରବେଶ କରିଛି।

ଟସ ଜିତି ପ୍ରଥମେ ବ୍ୟାଟିଂ କରିବାକୁ ନିଷ୍ପତ୍ତି ନେଇଥିଲା ଗ୍ରୀନ୍ସ। ନିର୍ଦ୍ଧାରିତ ୪୦ ଓଭରରେ ଦଳ ୩ଟି ୱକେଟ ହରାଇ ୨୭୨ ରନ୍‌ କରିଥିଲା। ଦଳ ପକ୍ଷରୁ ଆୟୁଷ ଚାନ୍ଦ ୬୧ଟି ବଲ୍‌ ଖେଳି ୪୩ ରନ୍‌ , ମୃତ୍ୟୁଞ୍ଜୟ ମହାପାତ୍ର ୫୦ଟି ବଲ୍‌ ଖେଳି ୫୨ ରନ୍‌ ଓ ଆୟୁଷ ମହାନ୍ତି ଅପରାଜିତ ୯୦ଟି ବଲ୍‌ ଖେଳି ୧୧୪ ରନ୍‌ କରିଥିଲେ।

୨୭୩ ରନକୁ ପିଛା କରି ମୁକ୍ତେଶ୍ଵର ନିର୍ଦ୍ଧାରିତ ଓଭରରେ ୬ ୱିକେଟ୍‌ ହରାଇ ୨୧୨ ରନ୍‌ କରିବାକୁ ସମର୍ଥ ହୋଇଥିଲା। ଦଳ ପକ୍ଷରୁ ସମର୍ପିତ ପଟେଲ ଅପରାଜିତ ୧୪୧ ରନ୍‌ କରିବାକୁ ସମର୍ଥ ହୋଇଥିଲେ। ସେ ୧୨୮ଟି ବଲ୍‌ ଖେଳିଥିଲେ। ଗ୍ରୀନ୍ସ ପକ୍ଷରୁ ଅଭିଜିତ ମହାନ୍ତି, ଅଭିଷେକ ସେନାପତି, ସୁମିତ ମିଶ୍ର ଓ ଆୟୁଷ ଚାନ୍ଦ ଗୋଟିଏ ଲେଖାଏଁ ୱିକେଟ୍ ଅକ୍ତିଆର କରିଥିଲେ। ଓସିଏ ପ୍ୟାନେଲ ଅମ୍ପାୟାର ସମ୍ବିତ ପଟ୍ଟନାୟକ, ଗ୍ରୀନ୍ସର ଆୟୁଷ ମହାନ୍ତିଙ୍କୁ ମ୍ୟାନ୍‌ ଅଫ୍‌ ଦ ମ୍ୟାଚ୍‌ ଟ୍ରଫି ପ୍ରଦାନ କରିଥିଲେ। ଏହି ମ୍ୟାଚକୁ ଓସିଏ ପ୍ୟାନେଲ ଅମ୍ପାୟାର ପ୍ରଦୀପ ଜେନା ଓ ସୁଶୀଲ ପରିଡା ପରିଚାଳନା କରିଥିବା ବେଳେ ଅନ୍‌ଲାଇନ ସ୍କୋରିଙ୍ଗରେ ଅଭିଷେକ ମହାନ୍ତି ସହାୟତା କରିଥିଲେ। ଗୁରୁବାର ପ୍ରଥମ ସେମିଫାଇନାଲ ମ୍ୟାଚ ରାମେଶ୍ୱର ଓ ପ୍ରଗତି ମଧ୍ୟରେ ଅନୁଷ୍ଠିତ ହେବ।

ସମ୍ବନ୍ଧିତ ଖବର