କଳିଙ୍ଗ କୁର୍‌ମା, ଦିନରେ ଅଧା, ରାତିରେ ପୂରା

ଭୁବନେଶ୍ବର (ସୁରେଶ ସ୍ବାଇଁ): କଳିଙ୍ଗ ଷ୍ଟାଡିୟମର ବିଶ୍ବକପ୍‌ ଉଦ୍‌ଘାଟନୀ ଉତ୍ସବ ତୁଳନାରେ ଉଦ୍‌ଘାଟନୀ ମ୍ୟାଚ୍‌ ଲାଗି ପ୍ରଶଂସକ ଥିଲେ ବହୁ କମ। ସଂଧ୍ୟା ୫ଟାରେ ବେଲଜିୟମ-କାନାଡ଼ା ମ୍ୟାଚ୍‌ ଦେଖିବାକୁ କଳିଙ୍ଗ ହକି କଂପ୍ଲେକ୍ସରେ ଅଧା ହକିପ୍ରେମୀ ଥିଲେ। ଦର୍ଶକ କ୍ଷମତାକୁ ୭ ହଜାରରୁ ୧୫,୦୦୦ ହଜାରକୁ ବଢ଼ାଇ ଦିଆଯାଇଥିଲେ ମଧ୍ୟ ଏହା ପ୍ରଥମ ମ୍ୟାଚ୍ ଲାଗି ଖଚାଖଚ ନ ଥିଲା। ସଂଧ୍ୟା ୭ଟା ଭାରତ-ଦକ୍ଷିଣ ଆଫ୍ରିକା ମ୍ୟାଚ୍ ବେଳକୁ ପ୍ରଶଂସକ ମାଡ଼ି ଆସିଥିଲେ। ନୂଆ ରୂପରେ ଥିବା କଳିଙ୍ଗ ହକି କଂପ୍ଲେକ୍ସ ବିଶ୍ବକପ୍ ପଦାର୍ପଣର ଇତିହାସ ରଚିଥିଲା ଖଚାଖଚ ପ୍ରଶଂସକଙ୍କୁ ନେଇ। ଭାରତର ୫-୦ ବିଜୟ ବି ସେମାନଙ୍କ ପଇସା ଅସୁଲ୍ କରି ଦେଇଥିଲା।

ଚିୟର ଲିଡର, ରଙ୍ଗବତୀ
ଆଗରୁ କ୍ରିକେଟ୍‌ରେ ଚିୟର ଲିଡର୍ସର ପରମ୍ପରାକୁ ଭାରତରେ ବେଶ ଲୋକପ୍ରିୟ, ଚର୍ଚିତ ଏବଂ ବିତର୍କିତ କରିଥିଲା ଆଇପିଏଲ୍। ଏବେ ଜାତୀୟ ଖେଳ ହକି ମଧ୍ୟ ଏହି ପଥରେ ଯାଇଛି। ଓଡ଼ିଶା ପୁରୁଷ ହକି ବିଶ୍ବକପ୍‌ର ପ୍ରଥମ ଦିବସର ଉଭୟ ମ୍ୟାଚ୍ ବେଳେ ପ୍ରଶଂସକଙ୍କୁ ବି ଚିୟର ଲିଡର୍ସ ମନୋରଂଜନ ଯୋଗାଇଥିଲେ ଖେଳ ବିରତି ବେଳେ। ହଳଦି ବସନ୍ତ ଚେହେରାରେ ଥିବା ଦୁଇ ସୁନ୍ଦରୀ ନୃତ୍ୟାଙ୍ଗନା ବି ବେଶ ଆଦୃତ ‌ହୋଇଥିଲେ। ମଝିରେ ମଝିରେ ଓଡ଼ିଶାର ପରିଚୟ ଭାବେ ଉଭା ହୋଇଥିବା ଲୋକପ୍ରିୟ ସମ୍ବଲପୁରୀ ସଂଗୀତ ରଙ୍ଗବତୀ..ରଙ୍ଗବତୀ ମଧ୍ୟ ପ୍ରଶଂସକଙ୍କୁ ଝୁମାଇଥିଲା।

ସମ୍ବନ୍ଧିତ ଖବର