ହୁଡାଙ୍କ ବିଶ୍ୱ କୀର୍ତ୍ତିମାନ୍: ପଦାର୍ପଣଠୁ ଲଗାତାର ୧୬ ବିଜୟରେ ଅଂଶୀଦାର

ହରାରେ : ଚଳିତ ଜିମ୍ବାୱେ ଗସ୍ତରେ ଭାରତ ଶନିବାର ଦ୍ବିତୀୟ ଦିନିକିଆ ମ୍ୟାଚ୍‌ ଜିତିବା ପରେ ବ୍ୟାଟିଂ ଅଲ୍‌ରାଉଣ୍ଡର ଦୀପକ ହୁଡା ଏକ ବିଶ୍ବ କୀର୍ତ୍ତିମାନର ଅଧିକାରୀ ହୋଇଛନ୍ତି। ଦ୍ବିତୀୟ ଦିନିକିଆରେ ତାଙ୍କ ମୂଲ୍ୟବାନ ୨୫ ରନ୍‌ ବଳରେ ଭାରତ ୫ ୱିକେଟ୍‌ର ବିଜୟ ସହ ୨-୦ରେ ଆଗୁଆ ହୋଇ ଶୃଙ୍ଖଳା କବ୍‌ଜା କରିନେଇଥିଲା। ହୁଡା ମଧ୍ୟ ଜିମ୍ବାୱେ ବିପକ୍ଷରେ ମ୍ୟାଚ୍‌ ବିଜୟୀ ପାଳି ଖେଳି ଏକ ନୂଆ ମାଇଲଖୁଣ୍ଟ ପ୍ରତିଷ୍ଠା କରିଥିଲେ। ଏହା କେବଳ ସ୍ବତନ୍ତ୍ର କୀର୍ତ୍ତିମାନ ନଥିଲା ବରଂ ଏକ ବିଶ୍ବ କୀର୍ତ୍ତିମାନ ବୋଲି ବିବେଚନା କରାଯାଇଛି। ନିଜର ଆନ୍ତର୍ଜାତିକ ପଦାର୍ପଣ ପରଠାରୁ ସେ ଖେଳିଥିବା ପ୍ରତ୍ୟେକ ମ୍ୟାଚ୍‌କୁ ଭାରତ ଜିତିଛି। ସମସ୍ତ ଫର୍ମାଟ୍‌ରେ ଏପର୍ଯ୍ୟନ୍ତ ତାଙ୍କ ସଂପୃକ୍ତି ଥିବା ୧୬ ମ୍ୟାଚ୍‌ ଖେଳି ଭାରତ କ୍ରମାଗତ ବିଜୟ ହାସଲ କରିଚାଲିଛି। ତାଙ୍କ ସଂପୃକ୍ତି ଥିବା ୭ ଦିନିକିଆ ଏବଂ ୯ ଟ୍ବେଣ୍ଟି-୨୦ ଆନ୍ତର୍ଜାତିକ ମ୍ୟାଚ୍‌ରେ ଭାରତୀୟ ଦଳ ବିଜୟ ହାସଲ କରିଛି।

୨୦୧୭ଠାରୁ ହୁଡା ଏକାଧିକ ଶୃଙ୍ଖଳା ପାଇଁ ଭାରତୀୟ ଦଳର ଅଂଶବିଶେଷ ରହିଥିଲେ ମଧ୍ୟ ୨୦୨୨ ଫେବ୍ରୁଆରିରେ ହିଁ ଆନ୍ତର୍ଜାତିକ ପଦାର୍ପଣ ସୁଯୋଗ ପାଇଥିଲେ। ଭାରତ ବିଜୟର ଏହି ସମସ୍ତ ମ୍ୟାଚ୍‌ରେ ହିଁ ହୁଡା ଚୂଡାନ୍ତ ଏକାଦଶରେ ସାମିଲ ଥିଲେ। ଫଳରେ ଆନ୍ତର୍ଜାତିକସ୍ତରରେ ପଦାର୍ପଣଠାରୁ ଲମ୍ବା ଅପରାଜେୟ ଧାରା ପାଇବାରେ ‌ହୁଡା ବିଶ୍ବ କୀର୍ତ୍ତିମାନର ଅଧିକାରୀ ହୋଇଯାଇଛନ୍ତି। ଏକ୍ଷେତ୍ରରେ ସେ ରୋମାନିଆର ସାତ୍ତ୍ବିକ୍‌ ନାଦିଗୋଟ୍‌ଲା (ପଦାର୍ପଣଠୁ ଲଗାତାର ୧୫ ବିଜୟ)ଙ୍କୁ ଅତିକ୍ରମ କରିଯାଇଛନ୍ତି। ହୁଡା ଓ ସାତ୍ତ୍ବିକ୍‌ଙ୍କ ବ୍ୟତୀତ ଏଭଳି ବିରଳ କ୍ଲବ୍‌ରେ ସାମିଲ ଥିବା ଅନ୍ୟ ହାତଗଣତି ଖେଳାଳିଙ୍କ ମଧ୍ୟରେ ଦକ୍ଷିଣ ଆଫ୍ରିକା ମଧ୍ୟକ୍ରମ ବ୍ୟାଟର୍‌ ଡେଭିଡ୍‌ ମିଲର ଓ ଅନ୍ୟତମ ରୋମାନିଆ ତାରକା ସାନ୍ତନୁ ବଶିଷ୍ଠ (ଉଭୟ ୧୩ ଲେଖାଏଁ) ରହିଛନ୍ତି।

ସମ୍ବନ୍ଧିତ ଖବର