ଆଇ-ଲିଗ୍‌: କଳିଙ୍ଗରେ ଆଜି ଆରୋଜ୍-ଇଷ୍ଟ ବେଙ୍ଗଲ

ଭୁବନେଶ୍ବର: ଆଇ-ଲିଗ୍ ଫୁଟବଲ୍ ପ୍ରତିଯୋଗିତାର ମହତ୍ବପୂର୍ଣ୍ଣ ମ୍ୟାଚ୍‌ରେ ମଙ୍ଗଳବାର କଳିଙ୍ଗ ଷ୍ଟାଡିୟମରେ ଏସିଆ ମହାଦେଶର ଅନ୍ୟତମ ପୂରାତନ ଦଳ ଇଷ୍ଟ ବେଙ୍ଗଲର ମୁକାବିଲା ନବାଗତ ଇଣ୍ଡିଆନ୍ ଆରୋଜ୍ ସହ ହେବ। ଉଭୟ ଦଳ ଏହି ମୁକାବିଲାକୁ ଜିତିବାକୁ ରଣନୀତି ପ୍ରସ୍ତୁତ କରି ସାରିଛନ୍ତି। ହେଲେ କଳିଙ୍ଗ ଷ୍ଟାଡିୟମକୁ ନିଜ ଘରୋଇ ପଡ଼ିଆ କରିଥିବା ଇଣ୍ଡିଆନ୍ ଆରୋଜ୍‌ ବଡ଼ ଧରଣର ବିପର୍ଯ୍ୟୟ ସୃଷ୍ଟି କରିବା ଲକ୍ଷ୍ୟରେ ରହିଛି। ଏଠାରେ ଖେଳିଥିବା ଗତ ମ୍ୟାଚ୍‌ରେ କିନ୍ତୁ ଏହି ଦଳ ଚର୍ଚିଲ ବ୍ରଦର୍ସଠାରୁ ୦-୧ ଗୋଲ୍‌ରେ ପରାଜିତ ହୋଇଥିଲା। ହେଲେ ଗତ ୫ ତାରିଖରେ ଖେଳିଥିବା ନିଜ ଶେଷ ମ୍ୟାଚ୍‌ରେ ଆଇଜଲ୍ ଏକାଦଶକୁ ପରାସ୍ତ କରିଥିବାରୁ ଇଷ୍ଟବେଙ୍ଗଲ ବିପକ୍ଷରେ ସେହି ସଫଳତା ଦୋହରାଇବା ଲକ୍ଷ୍ୟରେ ଅଛି ଏହି ଯୁବ ଦଳ।

ସେପଟେ ଶକ୍ତିଶାଳୀ ଇଷ୍ଟ ବେଙ୍ଗଲ ଦଳର ସମସ୍ତ ଖେଳାଳି ସୁସ୍ଥ ଓ ସତେଜ ଥିବାରୁ ଇଣ୍ଡିଆନ୍ ଆରୋଜ୍ ପାଇଁ ମଙ୍ଗଳବାର ବିଜୟ ହାସଲ କରିବା ଆଦୌ ସହଜ ହେବ ନାହିଁ ବୋଲି ଏହି ଦଳର ସ୍ପେନୀୟ ପ୍ରଶିକ୍ଷକ ଆଲେଜାଣ୍ଡ୍ରୋ ମେନେଣ୍ଡେଜ୍ ଚେତାବନୀ ଦେଇଛନ୍ତି। ଇଣ୍ଡିଆନ୍ ଆରୋଜର ପ୍ରଶିକ୍ଷକ ଫ୍ଲଏଡ୍ ପିଣ୍ଟୋ କିନ୍ତୁ ନିଜ ଦଳର ଖେଳାଳିଙ୍କ ଉପରେ ପୂର୍ଣ୍ଣ ଆସ୍ଥା ପ୍ରକଟ କରିଛନ୍ତି। ଆମେ ତ୍ରି-ସୂତ୍ରୀ ଯୋଜନାରେ ପଡ଼ିଆକୁ ଓହ୍ଲାଇବୁ। କଳିଙ୍ଗ ଷ୍ଟାଡିୟମର ଅଭ୍ୟାସ ପଡ଼ିଆରେ ଆମେ ଏଠାକାର ପ୍ରଥମ ମ୍ୟାଚ୍ ଖେଳିଥିଲୁ। ମଙ୍ଗଳବାର ମୁଖ୍ୟ ଷ୍ଟାଡିୟମରେ ପ୍ରଥମ ଥର ପାଇଁ ଖେଳିବୁ। ଏଠାରେ ଆମେ ଆଇଜଏଲ୍ ବିପକ୍ଷ ସଫଳତା ଦୋହରାଇ ପାରିବୁ ବୋଲି ପିଣ୍ଟୋ ମଙ୍ଗଳବାର ଅନୁଷ୍ଠିତ ମ୍ୟାଚ୍ ପୂର୍ବ ସାମ୍ବାଦିକ ସମ୍ମିଳନୀରେ ଆଶା ପ୍ରକାଶ କରିଛନ୍ତି। ତେବେ କଳିଙ୍ଗ ଷ୍ଟାଡିୟମରେ ମଧ୍ୟ ଇଷ୍ଟ ବେଙ୍ଗଲକୁ ଭଲ ସମର୍ଥନ ମିଳିବ ବୋଲି ସେ ସ୍ବୀକାର କରିଛନ୍ତି। ସେଥିପାଇଁ ଇଣ୍ଡିଆନ୍ ଆରୋଜକୁ ମଧ୍ୟ ଭରପୁର ସମର୍ଥନ ଦେବାକୁ ସେ ସ୍ଥାନୀୟ ଫୁଟବଲ୍‌ପ୍ରେମୀଙ୍କୁ ଅନୁରୋଧ କରିଛନ୍ତି। ସେହିଭଳି ଅଧିକରୁ ଅଧିକ ସଂଖ୍ୟକ କ୍ରୀଡ଼ାପ୍ରେମୀ ଷ୍ଟାଡିୟମ୍ ଆସି ମ୍ୟାଚ୍ ଦେଖିବାକୁ ସେ ଅନୁରୋଧ କରିଛନ୍ତି। ମ୍ୟାଚ୍ ଅପରାହ୍ନ ୨ଟାରୁ ଆରମ୍ଭ ହେବ।

ସମ୍ବନ୍ଧିତ ଖବର