ଲଢ଼ିକି ହାରିଲେ ଭାରତୀୟ ମହିଳା: ଭାରତୀୟ ପୁରୁଷ ପୁଣି ହାରିଲେ

ରୋଟରଡାମ୍: ଏଫ୍‌ଆଇଏଚ୍ ପ୍ରୋ ଲିଗ୍‌ର ଆର୍ଜେଣ୍ଟିନା ବିପକ୍ଷ ପାଲଟା ମୁକାବିଲାରେ ଭାରତୀୟ ମହିଳା ଦଳ ପରାଜିତ ହୋଇଛି। ଦିନକ ପୂର୍ବରୁ ଟୋକିଓ ଅଲିମ୍ପିକ୍ସ ରୌପ୍ୟ ପଦକ ବିଜେତା ଆର୍ଜେଣ୍ଟିନାକୁ ସୁଟ୍‌ଆଉଟ୍‌ରେ ସ୍ତବ୍ଧ କରିଥିବା ଭାରତୀୟ ଦଳ ରବିବାରର ଏହି ମୁକାବିଲାରେ ମଧ୍ୟ ଲଢ଼ୁଆ ଖେଳ ଖେଳିଥିଲା। ତେବେ ଶେଷରେ ୨-୩ ଗୋଲ୍‌ରେ ପରାଜିତ ହୋଇଥିଲା। ଫଳରେ ପରସ୍ପର ବିପକ୍ଷରେ ଖେଳିଥିବା ଦୁଇଟି ମ୍ୟାଚ୍‌ରୁ ଭାରତ ଓ ଆର୍ଜେଣ୍ଟିନା ଗୋଟିଏ ଲେଖାଏଁ ମ୍ୟାଚ୍ ଜିତି ନେଇଛନ୍ତି। ତେବେ ଭାରତ ପ୍ରଥମ ମ୍ୟାଚ୍‌କୁ ସୁଟଆଉଟ୍‌ରେ ଜିତିଥିବାରୁ ଆର୍ଜେଣ୍ଟିନା ହାତରୁ ବୋନସ୍ ପଏଣ୍ଟ ଛଡ଼ାଇ ନେଇଛି।

ଆଜିର ଏହି ତୀବ୍ର ସଂଘର୍ଷପୂର୍ଣ୍ଣ ମୁକାବିଲାର ପ୍ରଥମାର୍ଦ୍ଧ ସୁଦ୍ଧା ଭାରତ ସଲିମା ଟେଟେ (୨୪ ମିନିଟ୍)ଙ୍କ ଫିଲ୍ଡ ଗୋଲ୍ ବଳରେ ୧-୦ରେ ଆଗୁଆ ରହିଥିଲା। ତେବେ ତୃତୀୟ କ୍ବାର୍ଟରରେ ଲଗାତାର ତିନିଟି ଗୋଲ୍ ଦେଇ ଆର୍ଜେଣ୍ଟିନା ବାଜି ମାରି ନେଇଥିଲା। ଭାରତ ଚତୁର୍ଥ କ୍ବାର୍ଟରରେ ଉପଅଧିନାୟିକା ତଥା ଓଡ଼ିଆ ତାରକା ଦୀପଗ୍ରେସ୍ ଏକ୍କା (୪୮ ମିନିଟ୍)ଙ୍କ ମାଧ୍ୟମରେ ଆଉ ଏକ ଗୋଲ୍ ଦେଇଥିଲା। ଦୀପଗ୍ରେସ୍ ପେନାଲ୍ଟି କର୍ଣ୍ଣରରୁ ଏହି ଗୋଲ୍‌ଟିକୁ ଅର୍ଜନ କରିଥିଲେ। ତେବେ ଶେଷ‌ରେ ଗୋଟିଏ ଗୋଲ୍ ବ୍ୟବଧାନରେ ପରାଜିତ ହୋଇଥିଲା। ଭାରତୀୟ ଦଳ ଚାରିଟି ପେନାଲ୍ଟି କର୍ଣ୍ଣର ଅର୍ଜନ କରିଥିଲେ ମଧ୍ୟ ସେଥିମଧ୍ୟରୁ ତିନିଟିକୁ ବେକାର ଯିବାକୁ ଦେଇଥିଲା।

ରୋଟରଡାମ୍‌: ଏଫଆଇଏଚ୍‌ ପ୍ରୋ ଲିଗ୍‌ରେ ଭାରତର ଟାଇଟଲ୍ ବିଜୟ ଆଶା ଧୂଳିସାତ ହୋଇଯାଇଛି। ‌ନେଦରଲାଣ୍ଡ୍ସ ବିପକ୍ଷ ଉଭୟ ମୁକାବିଲାରେ ଅମିତ ରୋହିଦାସଙ୍କ ଦଳ ହାରିଯାଇଛି। ଶନିବାର ରାତିରେ ସୁଟ୍‌ଆଉଟ୍‌ରେ ୪-୧ (୨-୨) ଗୋଲ୍‌ରେ ହାରିଥିଲେ। ରବିବାର ଦ୍ବିତୀୟ ମୁକାବିଲାରେ ଦଳ ସିଧାସଳଖ ୧-୨ରେ ହାରିଯାଇଥିଲା। ମ୍ୟାଚ୍‌ର ୩୦ ସେକେଣ୍ଡ୍ ରେ ଓଡ଼ିଆା ପୁଅ ଅଭିଷେକ ଲାକ୍ରା ଚମତ୍କାର ଫିଲ୍ଡ ଗୋଲ୍ ଦେଇ ଭାରତକୁ ଆଗୁଆ କରିଥିଲେ ମଧ୍ୟ ଆଉ ଦଳ ଲଢ଼ି ପାରିନଥିଲା। କିଛି ସମୟ ପରେ ଜାନସେନ୍‌ଙ୍କ ଶକ୍ତିଶାଳୀ ସଟ୍ ଆଗରେ ଅଭିଜ୍ଞ ଭାରତୀୟ ଗୋଲରକ୍ଷକ ଶ୍ରୀଜେଶ ସମ୍ପୂର୍ଣ୍ଣ ହାର ମାନିଥିଲେ। ପ୍ରଥମ ଦୁଇ କ୍ବାର୍ଟର ପର୍ଯ୍ୟନ୍ତ ଏହି ସ୍କୋର୍ ଲାଇନ୍ (୧-୧) ବଳବତ୍ତର ରହିଥିଲା। ତୃତୀୟ କ୍ବାର୍ଟର ଶେଷ ହେବାକୁ କିଛି ସମୟ ଥିବାବେଳେ ଏକ ପେନାଲ୍ଟି କର୍ଣ୍ଣରରୁ ବିବିଧତା ସଟ୍‌ରେ ଗ୍ରୁନ୍‌ ନେଦରଲାଣ୍ଡ୍ସକୁ ୨-୧ରେ ଆଗୁଆ କରି ଦେଇଥିଲେ। ଚତୁର୍ଥ କ୍ବାର୍ଟରରେ ଉଭୟ ଦଳ ଗୋଲ୍‌ ସୁଯୋଗ ହାତଛଡ଼ା କରିବାରୁ ଘରୋଇ ଦଳ ବିଜୟ ସହ ଏଫଆଇଏଚ୍‌ ପ୍ରୋ ଲିଗ୍ ଅଭିଯାନ ଶେଷ କରିଥିଲା। ବିଜୟ ସହିତ ନେଦରଲାଣ୍ଡ୍ସ ମଧ୍ୟ ୨ ମ୍ୟାଚ୍‌ ପୂର୍ବରୁ ୩୬ ପଏଣ୍ଟ ସହ ବିଜେତା ଟ୍ରଫି ପାଇବା ନିଶ୍ଚିତ ହୋଇଛି। ବେଲଜିୟମ୍‌ ଓ ଭାରତ ଯଥାକ୍ରମେ ୩୫ ଓ ୩୦ ପଏଣ୍ଟ ସହ ଦ୍ବିତୀୟ ଓ ତୃତୀୟରେ ରହିଛନ୍ତି।

ସମ୍ବନ୍ଧିତ ଖବର