ଜାଦେଜା ପୁଣି ଏକ ନମ୍ବର ଟେଷ୍ଟ ଅଲ୍‌ରାଉଣ୍ଡର, ହୋଲ୍‌ଡରଙ୍କୁ ଗାଦିଚ୍ୟୁତ କଲେ

ଦୁବାଇ: ରବୀନ୍ଦ୍ର ଜାଦେଜା ପୁଣି ଥରେ ବିଶ୍ବର ଏକ ନମ୍ବର ଟେଷ୍ଟ୍‌ ଅଲ୍‌ରାଉଣ୍ଡର ମାନ୍ୟତା ପାଇଛନ୍ତି। ଏହି ଭାରତୀୟ ସ୍ପିନ୍‌ ଅଲ୍‌ରାଉଣ୍ଡର ବୁଧବାର ପ୍ରକାଶିତ ସଦ୍ୟ ଆଇସିସି ମାନ୍ୟତା ତାଲିକାରେ ଶୀର୍ଷ ସ୍ଥାନକୁ ଫେରିଛନ୍ତି। ସେ ୱେଷ୍ଟ୍‌ଇଣ୍ଡିଜ୍‌ର ଜାସନ୍‌ ହୋଲ୍‌ଡରଙ୍କୁ ଗାଦିଚ୍ୟୁତ କରିଛନ୍ତି। ଚଳିତ ମାସରେ ମୋହାଲିରେ ଶ୍ରୀଲଙ୍କା ବିପକ୍ଷ ପ୍ରଥମ ଟେଷ୍ଟ୍‌ରେ ୧୭୫ ରନ୍‌ର ଅପରାଜିତ ପାଳି ଖେଳିଥିବା ସାଙ୍ଗକୁ ବୋଲିଂରେ ୯ ୱିକେଟ୍‌ ଅକ୍ତିଆର କରିବା ପରେ ଅଲ୍‌ରାଉଣ୍ଡର ମାନ୍ୟତାରେ ଶୀର୍ଷକୁ ଉଠିଥିଲେ। ତେବେ ଗତ ସପ୍ତାହରେ ହୋଲ୍‌ଡର ପୁଣି ତାଙ୍କୁ ହଟାଇ ଶୀର୍ଷ ସ୍ଥାନକୁ ଫେରିଥିଲେ। କିନ୍ତୁ ପୁଣି ଥରେ ଉଭୟ ଖେଳାଳି ଆଇସିସି ମାନ୍ୟତା ତାଲିକାରେ ସ୍ଥାନ ଅଦଳବଦଳ କରିଛନ୍ତି। ଜାଦେଜା ୩୮୫ ରେଟିଂ ପଏଣ୍ଟ୍‌ ସହ ଏକ ନମ୍ବର ସ୍ଥାନକୁ ଫେରିଥିଲା ବେଳେ ହୋଲ୍‌ଡର (୩୫୭) ଦ୍ବିତୀୟକୁ ଖସିଯାଇଛନ୍ତି। ଅନ୍ୟପକ୍ଷରେ ଜାଦେଜାଙ୍କ ଦଳୀୟ ସାଥୀ ରବିଚନ୍ଦ୍ରନ୍‌ ଅଶ୍ବିନ୍‌ (୩୪୧) ଅଲ୍‌ରାଉଣ୍ଡର ମାନ୍ୟତା ତାଲିକାରେ ତୃତୀୟ ସ୍ଥାନରେ ଅପରିବର୍ତିତ ରହିଛନ୍ତି। ଅଶ୍ବିନ (୮୫୦ ପଏଣ୍ଟ୍‌) ମଧ୍ୟ ଟେଷ୍ଟ୍‌ ବୋଲରଙ୍କ ମାନ୍ୟତାରେ ଅଷ୍ଟ୍ରେଲିଆର ପ୍ୟାଟ୍‌ କମିନ୍ସ (୮୮୬ ପଏଣ୍ଟ୍‌)ଙ୍କ ପଛକୁ ଦ୍ବିତୀୟ ସ୍ଥାନ ବଜାୟ ରଖିଛନ୍ତି। ସେହିପରି ଭାରତୀୟ ଦ୍ରୁତ ବୋଲର ଯଶ୍‌ପ୍ରୀତ୍‌ ବୁମ୍‌ରା ମଧ୍ୟ ବୋଲରଙ୍କ ମାନ୍ୟତା ତାଲିକାରେ ଚତୁର୍ଥ ସ୍ଥାନରେ ସ୍ଥିର ରହିଛନ୍ତି।

ଆଇସିସି ଦ୍ବାରା ପ୍ରକାଶିତ ଟେଷ୍ଟ ବ୍ୟାଟର୍‌ଙ୍କ ତାଲିକାରେ ଭାରତୀୟ ଅଧିନାୟକ ରୋହିତ ଶର୍ମା ଦେଶର ସର୍ବୋଚ୍ଚ ମାନ୍ୟତାପ୍ରାପ୍ତ ରହିଛନ୍ତି। ସଦ୍ୟ ପ୍ରକାଶିତ ତାଲିକାରେ ସେ ଗୋଟିଏ ସ୍ଥାନ ଖସିଥିଲେ ମଧ୍ୟ ସପ୍ତମରେ ରହିଛନ୍ତି। ପୂର୍ବତନ ଅଧିନାୟକ ବିରାଟ କୋହଲି ଏବଂ ଯୁବ ୱିକେଟ୍‌ରକ୍ଷକ ଋଷଭ ପନ୍ତ୍‌ ମଧ୍ୟ ନିଜ ନିଜ ପୂର୍ବ ମାନ୍ୟତା ଯଥାକ୍ରମେ ନବମ ଓ ଦଶମ ସ୍ଥାନରେ ଅବିଚଳିତ ରହି ଶୀର୍ଷ-୧୦ ମଣ୍ଡନ କରିଛନ୍ତି। କିନ୍ତୁ ଆ‌ଇସିସି ଦିନିକିଆ ବ୍ୟାଟର୍‌ଙ୍କ ମାନ୍ୟତାରେ କୋହଲି ଦ୍ବିତୀୟ ସ୍ଥାନରେ ସ୍ଥିର ରହିଥିଲା ବେଳେ ଅଧିନାୟକ ରୋହିତ ଶର୍ମା ତୃତୀୟରୁ ଚତୁର୍ଥ ସ୍ଥାନକୁ ଖସିଯାଇଛନ୍ତି। ଦିନିକିଆ ବୋଲରଙ୍କ ମାନ୍ୟତାରେ ବୁମ୍‌ରା (ଷଷ୍ଠ)ଏକମାତ୍ର ଭାରତୀୟ ଭାବେ ଶୀର୍ଷ-୧୦ରେ ରହିଛନ୍ତି। ଜାଦେଜା କିନ୍ତୁ ଗୋଟିଏ ସ୍ଥାନ ହରାଇ ଦିନିକିଆ ଅଲ୍‌ରାଉଣ୍ଡରଙ୍କ ମାନ୍ୟତାରେ ଦଶମରେ ପହଞ୍ଚିଛନ୍ତି। ଆଇସିସି ଟି-୨୦ ବ୍ୟାଟର୍‌ଙ୍କ ମାନ୍ୟତା ତାଲିକାରେ ଏକମାତ୍ର ଭାରତୀୟ ଭାବେ କେଏଲ୍‌ ରାହୁଲ (ଦଶମ) ଶୀର୍ଷ-୧୦ରେ ରହିଥିଲା ବେଳେ ବୋଲର ଓ ଅଲ୍‌ରାଉଣ୍ଡରଙ୍କ ମାନ୍ୟତାର ଶୀର୍ଷ-୧୦ରେ କୌଣସି ଭାରତୀୟଙ୍କୁ ସ୍ଥାନ ମିଳିନି।

ସମ୍ବନ୍ଧିତ ଖବର