ଯୋସେଫ (୬/୧୨) ମୁମ୍ବାଇକୁ ଜିତାଇଲେ

ହାଇଦ୍ରାବାଦ: ଆଇପିଏଲ୍‌ର ୧୯ତମ ମ୍ୟାଚ୍‌ରେ ମୁମ୍ବାଇ ଇଣ୍ଡିଆନ୍ସକୁ ଅପ୍ରତ୍ୟାଶିତ ବିଜୟ ଦେଇଛନ୍ତି ୱେଷ୍ଟଇଣ୍ଡିଜ୍ ଦ୍ରୁତ ବୋଲର ଅଲଜାରି ଯୋସେଫ। ଆଇପିଏଲ୍‌ ଇତିହାସର ଶ୍ରେଷ୍ଠ ବୋଲିଂ ଚିତ୍ର (୩.୪-୧-୧୨-୬) ସହିତ ସେ ଘରୋଇ ସନ୍‌ରାଇଜର୍ସ ହାଇଦ୍ରାବାଦକୁ ୪୦ ରନ୍‌ରେ ହରାଇ ଦେଇଛନ୍ତି। ୧୩୭ ରନ୍‌କୁ ପିଛା କରିଥିବା ହାଇଦ୍ରାବାଦ ମାତ୍ର ୯୬ ରନ୍‌ରେ ସମସ୍ତ ୱିକେଟ୍ ହରାଇ ଦେଇଥିଲା। ପଞ୍ଚମ ମ୍ୟାଚ୍‌ରୁ ତୃତୀୟ ବିଜୟ ସହ ମୁମ୍ବାଇ ଚତୁର୍ଥକୁ ଉଠିଥିବା ବେଳେ ହାଇଦ୍ରାବାଦ ପଞ୍ଚମ ମ୍ୟାଚ୍‌ରୁ ଦ୍ବିତୀୟ ପରାଜୟ ବରଣ କରି ଦ୍ବିତୀୟକୁ ଖସିଯାଇଛି। ଟସ୍ ହାରି ପ୍ରଥମେ ବ୍ୟାଟିଂ ପାଇଁ ଆମନ୍ତ୍ରିତ ମୁମ୍ବାଇ ଇଣ୍ଡିଆନ୍‌ସ ସାଂଘାତିକ ବ୍ୟାଟିଂ ବିପର୍ଯ୍ୟୟର ସମ୍ମୁଖୀନ ହୋଇଥିଲା। ରୋହିତ ଶର୍ମା (୧୧), କ୍ବିଣ୍ଟନ୍ ଡି’କକ୍ (୧୯), ସୂର୍ଯ୍ୟ କୁମାର ଯାଦବ (୭), ଈଶାନ କିଷନ (୧୭), କ୍ରୁନାଲ ପାଣ୍ଡ୍ୟା (୬), ହାର୍ଦିକ ପାଣ୍ଡ୍ୟା (୧୪)ଙ୍କ ବିଫଳତା କାରଣରୁ ଏକଦା ମୁମ୍ବାଇ ୧୮ ଓଭର ସୁଦ୍ଧା ୭ ୱିକେଟ୍‌ରେ ୯୭ ରନ୍ କରିଥିଲା। ଶେଷକୁ କିରଣ ପୋଲାର୍ଡ (୪୬, ୨୬ ବଲ୍‌, ୨ ଚୌକା, ୪ ଛକା)ଙ୍କ ବିସ୍ଫୋରକ ବ୍ୟାଟିଂ କାରଣରୁ ମୁମ୍ବାଇ ୧୩୬ ରନ୍‌ର ସମ୍ମାନଜନକ‌ ସ୍କୋର୍ କରିପାରିଥିଲା। ହାଇଦ୍ରାବାଦ ପକ୍ଷରୁ ଦୁଇ ଆଫଗାନିସ୍ତାନ ସ୍ପିନର୍ ମହମ୍ମଦ ନବି (୪-୦-୧୩-୧) ଏବଂ ରସିଦ୍ ଖାନ୍ (୪-୦-୨୭-୧) ସବୁଠୁ ପ୍ରଭାବୀ ବୋଲିଂ କରିଥିଲେ। ସିଦ୍ଧାର୍ଥ କଉଲ୍ କିନ୍ତୁ ସର୍ବାଧିକ ୨ ୱିକେଟ୍ ନେଇଥିଲେ।

ଜବାବରେ ପ୍ରତିଟି ରନ୍ ପାଇଁ ହାଇଦ୍ରାବାଦ ମଧ୍ୟ ସଂଘର୍ଷ କରିଥିଲା। ପୂର୍ବ ୪ ମ୍ୟାଚ୍‌ରୁ ୩ ଶତକ ଏବଂ ଗୋଟିଏ ଅର୍ଧଶତକ ଭାଗୀଦାରି କରିଥିବା ପ୍ରାରମ୍ଭିକ‌ ଯୋଡ଼ି ଡେଭିଡ୍‌ ୱାର୍ନର (୧୫) ଏବଂ ଜନି ବେୟାରଷ୍ଟୋ (୧୬) ଏଥର କିନ୍ତୁ ବିଫଳ ହୋଇଥିଲେ। ବିଜୟ ଶଙ୍କର (୫), ମନୀଷ ପାଣ୍ଡେ (୧୬), ୟୁସୁଫ ପଠାନ୍ (୦) ଏବଂ ଦୀପକ ହୁଦା (୨୦)ଙ୍କ ୱିକେଟ୍‌କୁ ନେଇ ମୁମ୍ବାଇ ମଧ୍ୟ ବିଜୟ ବାଟ ଖୋଲିଥିଲା। ମୁମ୍ବାଇକୁ କିନ୍ତୁ ପ୍ରତ୍ୟାବର୍ତନ ସୁଯୋଗ ଦେଇଥିଲେ ୱେଷ୍ଟଇଣ୍ଡିଜ୍ ଦ୍ରୁତ ବୋଲର ଅଲଜାରି ଯୋସେଫ। ନିଜର ପ୍ରତି ଓଭରରେ ୱିକେଟ୍‌ ନେଇ ଯୋସେଫ ଚମତ୍କାର ବୋଲିଂ ଚିତ୍ର (୩.୪-୧-୧୨-୬) ପାଇଥିଲେ। ପ୍ରଥମ ଦୁଇ ଓଭରରେ ଗୋଟିଏ ଲେଖାଏଁ ଦଖଲ କରିବା ପରେ ଦ୍ବିତୀୟ ସ୍ପେଲ୍ ଦୁଇ ଓଭରରେ ୨-୨ ଲେଖାଏଁ ୱିକେଟ୍‌ ନେଇ ମୁମ୍ବାଇକୁ ବିଜୟୀ କରାଇଥିଲେ। ଯୋସେଫଙ୍କ ୬ ୱିକେଟ୍‌ ଆଇପିଏଲ୍‌ ଶ୍ରେଷ୍ଠ ହୋଇଥିବା ବେଳେ ମୁମ୍ବାଇ ପାଇଁ ମଧ୍ୟ ଏହା ଶ୍ରେଷ୍ଠ ବୋଲିଂ ଚିତ୍ର। ପୂର୍ବରୁ ମୁମ୍ବାଇ ପାଇଁ ମାଲିଙ୍ଗାଙ୍କ ୫/୧୩ (ବନାମ ଦିଲ୍ଲୀ, ୨୦୧୧) ଶ୍ରେଷ୍ଠ ଥିଲା। ସେହିଭଳି ପଦାର୍ପଣରେ ଶ୍ରେଷ୍ଠ ଚିତ୍ର ପୂର୍ବରୁ ଆଣ୍ଡ୍ରିଉ ଟାଇ (୫/୧୭, ଗୁଜରାଟ ବନାମ ପୁନେ, ୨୦୧୭)ଙ୍କ ନାମରେ ଥିଲା। ଆଇପିଏଲ୍‌ର ଶ୍ରେଷ୍ଠ (୬/୧୨) ବୋଲିଂ ଚିତ୍ର ସହିତ ଯୋସେଫ ମଧ୍ୟ ସର୍ବକାଳୀନ ଟ୍ବେଣ୍ଟି-୨୦ ତାଲିକାରେ ଅଷ୍ଟମ ସ୍ଥାନରେ ପହଞ୍ଚିଗଲେ। ପୂର୍ବରୁ ଆଇପିଏଲ୍‌ର ଶ୍ରେଷ୍ଠ ବୋଲିଂ ଚିତ୍ର ସୋହେଲ ତନଭୀର (୬/୧୪, ରାଜସ୍ଥାନ ବନାମ ଚେନ୍ନାଇ, ୨୦୦୮) ଏବଂ ଆଦାମ ଜାମ୍ପା (୬/୧୯, ପୁନେ ବନାମ ହାଇଦ୍ରାବାଦ, ୨୦୧୬)ଙ୍କ ନାମରେ ଥିଲା। ପଦାର୍ପଣରେ ଯୋସେଫ ମଧ୍ୟ ଶ୍ରେଷ୍ଠ‌ ଖେଳାଳି ହେବାର‌ ଗୌରବ ପାଇଛନ୍ତି।

ସଂକ୍ଷିପ୍ତ ସ୍କୋର: ମୁମ୍ବାଇ ଇଣ୍ଡିଆନ୍ସ ୨୦ ଓଭରରେ ୧୩୬/୭ (କିରଣ ପୋଲାର୍ଡ-୪୬*, ସିଦ୍ଧାର୍ଥ କଉଲ୍‌-୨/୩୪, ମହମ୍ମଦ ନବି-୧/୧୩, ସନ୍ଦୀପ ଶର୍ମା-୧/୨୦, ରସିଦ୍‌ ଖାନ୍‌-୧/୨୭, ଭୁବନେଶ୍ବର କୁମାର-୧/୩୪)। ସନ୍‌ରାଇଜର୍ସ ହାଇଦ୍ରାବାଦ ୧୭.୪ ଓଭରରେ ୯୬ (ଦୀପକ ହୁଦା-୨୦, ଅଲଜାରି ଯୋସେଫ-୬/୧୨, ରାହୁଲ ଚହର-୨/୨୧, ବେହରନଡର୍ଫ-୧/୨୮)।

ସମ୍ବନ୍ଧିତ ଖବର