କଳାହାଣ୍ଡି କପ୍‌ ଜୁନ୍‌ ୧ରୁ

ବାକିରେ ଚାଲିବ ପ୍ରତିଯୋଗିତା, ୧୫ ଦିନ ଭିତରେ ଶେଷ ହେବ

କଟକ: ବହୁ ପ୍ରତୀକ୍ଷିତ କଳାହାଣ୍ଡି କପ ଆସନ୍ତା ମାସ ଜୁନ୍‌ ୧ ତାରିଖରେ ଆରମ୍ଭ ହେବ। ଦୁଇ ବର୍ଷ ବ୍ୟବଧାନ ପରେ ଏହି ପ୍ରତିଯୋଗିତାକୁ ଆୟୋଜନ କରାଯାଉଛି। ହେଲେ ଏହାକୁ ସଂପୂର୍ଣ୍ଣ ବାକିରେ ଆୟୋଜନ କରାଯିବ ବୋଲି ସହମତି ଭିତ୍ତିରେ ନିଷ୍ପତ୍ତି ନିଆଯାଇଛି। ଗୁରୁବାର ଓସିଏ ପରିଚାଳନା ସମିତିର ସ୍ୱତନ୍ତ୍ର ବୈଠକରେ ଏହି ନିଷ୍ପତ୍ତି ହୋଇଛି। ଖାଇବା, ବଲ୍‌, ପଡ଼ିଆ ଇତ୍ୟାଦି ପାଇଁ ଖର୍ଚ୍ଚ ମିଳିବ ନାହିଁ। ଯେହେତୁ ଜିଲ୍ଲା ସଦସ୍ୟମାନଙ୍କର ଦାବି ଥିଲା ଚଳିତ ବର୍ଷ କଳାହାଣ୍ଡି କପ୍‌ ଆୟୋଜନ କରିବାକୁ, ସେଥିପାଇଁ ଓସିଏ ସମସ୍ତ ସଂସ୍ଥା ସହିତ ଆଲୋଚନା କରି ଏହି ପଦକ୍ଷେପ ନେଇଥିବା ଓସିଏ ପରିଚାଳନା ସମିତି ଅଧ୍ୟକ୍ଷ ଧୀରେନ୍‌ ପଲେଇ ସୂଚନା ଦେଇଛନ୍ତି। ବିସିସିଆଇ ଅନୁଦାନ ବନ୍ଦ ହୋଇଯାଇଥିବାରୁ ଓସିଏ ଏବେ ଆର୍ଥିକ ସଙ୍କଟ ଭିତରେ ଗତି କରୁଛି। ଯେ ପର୍ଯ୍ୟନ୍ତ ନିର୍ବାଚନ ହୋଇନାହିଁ, ବିସିସିଆଇ ପକ୍ଷରୁ କୌଣସି ଅନୁଦାନ ଆସିବ ନାହିଁ। ଏଥି ପାଇଁ ୨୦୧୯ରେ ସମସ୍ତ ବିଲ୍‌ ପୈଠ କରାଯିବ ବୋଲି ସଂସ୍ଥା ଗୁଡ଼ିକୁ ଆଶ୍ୱାସନା ଦିଆଯାଇଛି।ଜୁନ୍‌ ମାସର ମୌସୁମୀ ଆଗମନକୁ ଦୃଷ୍ଟିରେ ରଖି ପ୍ରତିଯୋଗିତାକୁ ୧୫ ଦିନ ଭିତରେ ଶେଷ କରିବାକୁ ଲକ୍ଷ୍ୟ ରଖାଯାଇଛି। ୮ଟି ପଡ଼ିଆରେ ସମସ୍ତ ମ୍ୟାଚ ଖେଳାଯିବ। ରେଭେନ୍ସା ବିଶ୍ୱବିଦ୍ୟାଳୟର ଦୁଇଟି ପଡ଼ିଆ ସହିତ, ଏସ୍‌ସିବି ମେଡିକାଲ୍‌, ବୋସ୍‌, ସନ୍‌ସାଇନ୍‌, ବିଡ଼ାନାସୀ, ନିମପୁର, ଡ୍ରିମ୍ସ ପଡ଼ିଆରେ ମ୍ୟାଚ୍‌ଗୁଡ଼ିକ ଖେଳାଯିବ। କଳାହାଣ୍ଡି କପ୍‌ ସହିତ ୧୯ ବର୍ଷରୁ କମ୍‌ ଅନ୍ତଃ ଜିଲ୍ଲା ପ୍ରତିଯୋଗିତା ମଧ୍ୟ ଏକା ସମୟରେ ଅନୁଷ୍ଠିତ ହେବ। ଏହାପରେ ୧୬ ବର୍ଷରୁ କମ୍‌ ପ୍ରତିଯୋଗିତା ଆୟୋଜନ ପାଇଁ ଚିନ୍ତା କରାଯାଇଛି। ଏହି ବର୍ଗର ଖେଳାଳିଙ୍କ ବୟସ ଯାଞ୍ଚକୁ କଡ଼ାକଡ଼ି କରାଯାଇଛି। ଜନ୍ମ ପ୍ରମାଣପତ୍ର ସହ, ଆଧାରକାର୍ଡ, ମାଜିଷ୍ଟ୍ରେଟ୍‌ଙ୍କ ସ୍ୱୀକୃତି ଥିବା ସତ୍ୟପାଠ ଇତ୍ୟାଦି ସାଙ୍ଗରେ ଆଣିବାକୁ ନିର୍ଦ୍ଦେଶ ଦିଆଯିବ। ଯେଉଁମାନେ ୨୦୦୨ ସେପ୍ଟେମ୍ବର ୧ ତାରିଖ ପରେ ଜନ୍ମ ହୋଇଥିବେ ସେମାନେ ଏହି ପ୍ରତିଯୋଗିତା ପାଇଁ ଯୋଗ୍ୟ ବିବେଚିତ ହେବେ। ତେବେ ସମସ୍ତ ଅନ୍ତଃ ଜିଲ୍ଲା ପ୍ରତିଯୋଗିତାର ଖେଳ ସୂଚୀ ଖୁବ୍‌ଶୀଘ୍ର ପ୍ରକାଶ ପାଇବ ବୋଲି ସୂଚନା ଦିଆଯାଇଛି।

ଅନ୍ୟପକ୍ଷରେ ରଣଜୀ, ବିିଭିନ୍ନ ବୟସ ବର୍ଗ ଏବଂ ମହିଳା ବିଭାଗରେ ପ୍ରଶିକ୍ଷକ, ଟ୍ରେନର, ଫିଜିଓଙ୍କ କ୍ଷେତ୍ରରେ ସାମାନ୍ୟ ପରିବର୍ତ୍ତନ କରାଯିବାକୁ ସ୍ଥିର କରାଯାଇଛି। ଯେଉଁମାନେ ସରକାରୀ ଚାକିରି କରୁଛନ୍ତି, ସେମାନଙ୍କୁ ପ୍ରଶିକ୍ଷଣ ଦେବା ବିଷୟରେ ସହମତି ଲୋଡ଼ାଯିବ। ଅନ୍ୟାନ୍ୟ ପାରିପାର୍ଶ୍ୱିକ ସ୍ଥିତି ପରଖିବା ପରେ କାହାକୁ ରଖାଯିବ ତାହା ନିଷ୍ପତ୍ତି ନିଆଯିବ। କିନ୍ତୁ ମୁଖ୍ୟ ପ୍ରଶିକ୍ଷକ ସ୍ତରରେ କୌଣସି ପରିବର୍ତ୍ତନ ହେଉନଥିବା ଜଣାପଡ଼ିଛି। ଧୀରେନ୍‌ ପଲେଇଙ୍କ ଅଧ୍ୟକ୍ଷତାରେ ହୋଇଥିବା ଏହି ବୈଠକରେ ଜନାର୍ଦ୍ଦନ ଦାସ, ରବି ଶଙ୍କର ପ୍ରତିହାରୀ, ଦୁଲାଲ ଚନ୍ଦ୍ର ପ୍ରଧାନ, ସରୋଜ କୁମାର ସାହୁ ଓ ଅନ୍ୟାନ୍ୟ ସଂସ୍ଥା ମୁଖ୍ୟମାନେ ଉପସ୍ଥିତ ଥିଲେ।

ସମ୍ବନ୍ଧିତ ଖବର