କୈଳାସ ଦାସ ସ୍ମାରକୀ ଫୁଟ୍‌ବଲ୍‌, ଚାନ୍ଦ କ୍ଲବ୍‌ ବିଜେତା

କଟକ: ଓଡ଼ିଶା ୟୁନାଇଟେଡ୍‌ ଫୁଟ୍‌ବଲ୍‌ କ୍ଲବ୍‌ ପକ୍ଷରୁ ବକ୍ସିବଜାରସ୍ଥିତ ପୁଲିସ୍‌ ପଡ଼ିଆରେ ଚାଲିଥିବା କୈଳାସ ଦାସ ସ୍ମାରକୀ ୧୭ ବର୍ଷରୁ କମ୍‌ ଫୁଟ୍‌ବଲ୍‌ ପ୍ରତିଯୋଗିତା ରବିବାର ଉଦ୍‌ଯାପିତ ହୋଇଛି। ଫାଇନାଲ୍‌ରେ ଜୟଦୁର୍ଗା କ୍ଲବ୍‌କୁ ୩-୧ ଗୋଲରେ ପରାସ୍ତ କରି ଚାନ୍ଦ କ୍ଲବ୍‌ ବିଜେତା ହୋଇଛି। ବିଜୟୀ ଦଳ ପକ୍ଷରୁ ସେକ୍‌ ରିଜୁଆନ୍‌ (୨୨ ଓ ୫୮ ମିନିଟ୍‌) ଦୁଇଟି ଏବଂ ସେକ୍‌ ଫରିଦ୍‌ (୩୮ ମିନିଟ୍‌) ଗୋଟିଏ ଗୋଲ୍‌ ଦେଇଥିଲେ। ଜୟଦୁର୍ଗା ପକ୍ଷରୁ ଅବିନାଶ ସାମଲ ୭୭ ମିନିଟ୍‌ରେ ପେନାଲ୍‌ଟି ଜରିଆରେ ଗୋଟିଏ ଗୋଲ୍‌ ଶୁଝି ଦେଇଥିଲେ। ଆୟୋଜକ କ୍ଲବ୍‌ ସଂପାଦକ ଭକ୍ତବଲ୍ଲଭ ଦାସଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଉଦ୍‌ଯାପନୀ ସମାରୋହରେ ସାଂସଦ ପଦ୍ମଶୀ ଦିଲ୍ଲୀପ ତିର୍କି ମୁଖ୍ୟ ଅତିଥି ଭାବେ ଯୋଗଦେଇ ବିଜେତା ଓ ଉପବିଜେତାଙ୍କୁ ଟ୍ରଫି ପ୍ରଦାନ କରିଥିଲେ। ବିଜୟୀ ଦଳର ସେକ୍‌ ରିଜୁଆନ୍‌ଙ୍କୁ ଫାଇନାଲ୍‌ ଓ ପ୍ରତିଯୋଗିତାର ଶ୍ରେଷ୍ଠ ଖେଳାଳି ଭାବେ ପୁରସ୍କୃତ କରାଯାଇଥିଲା। ସେହିପରି ଅବଦୁଲ ଫରିଦ୍‌ ଶ୍ରେଷ୍ଠ ଗୋଲ୍‌ରକ୍ଷକ, ସାହିଲ ଖାନ୍‌ ଶ୍ରେଷ୍ଠ ରକ୍ଷଣଭାଗ, ଜୟଦୁର୍ଗାର ରଂଜିତ ସିଂହ ଶ୍ରେଷ୍ଠ ମଧ୍ୟଭାଗ, ମିର ଆତିଫ ଅଲ୍ଲୀ ଶ୍ରେଷ୍ଠ ପୂରୋଭାଗ, ସୁକୁଲ ହେମ୍ବ୍ରମ୍‌ ଶ୍ରେଷ୍ଠ ଉଦୀୟମାନ ଖେଳାଳି ଭାବେ ଅତିଥିଙ୍କଠୁ ପୁରସ୍କାର ଗ୍ରହଣ କରିଥିଲେ। ଅତିରିକ୍ତ ପୁଲିସ୍‌ ମହାନିର୍ଦେଶକ ସତ୍ୟଜିତ ମହାନ୍ତି, ବାରବାଟୀ-କଟକ ବିଧାୟକ ଦେବାଶିଷ ସାମନ୍ତରାୟ, କଟକ ଜିଲ୍ଲା କ୍ରୀଡ଼ା ସଂସଦ ସଂପାଦକ ଆଶୀର୍ବାଦ ବେହେରା ଅତିଥି ଭାବେ ଯୋଗଦେଇଥିଲେ।

ସମ୍ବନ୍ଧିତ ଖବର