ଖେଲୋ ଇଣ୍ଡିଆ ଯୁବ କ୍ରୀଡ଼ାର ଭାରୋତ୍ତୋଳନରେ ମନୋଜଙ୍କୁ ରୌପ୍ୟ

ବ୍ରହ୍ମପୁର : ଆସାମର ଗୁଆହାଟୀଠାରେ ଚାଲିଥିବା ଖେଲୋ ଇଣ୍ଡିଆ ଯୁବ କ୍ରୀଡ଼ାର ଭାରୋତ୍ତୋଳନରେ ଓଡ଼ିଶା ପଦକ ସଂଖ୍ୟା ୪ରେ ପହଁଚିଛି। ରବିବାର ବାଳକ ବିଭାଗରେ ବ୍ରହ୍ମପୁରର ମନୋଜ କୁମାର ସାହୁ ୭୩ କିଲୋଗ୍ରାମ ବର୍ଗରେ ଦ୍ବିତୀୟ ସ୍ଥାନରେ ରହି ରୌପ୍ୟ ପଦକ ଅମଳ କରିଛନ୍ତି। ସେ ୧୧ କେଜି ସ୍ନାଚ ଏବଂ ୧୫୩ କେଜି କ୍ଲିନ୍ ଆଣ୍ଡ ଜର୍କ ସହ ମୋଟ ୨୬୪ କେଜି ଭାରୋତ୍ତୋଳନ କରିଥିଲେ। ଅନ୍ୟପକ୍ଷରେ ଦେବକୀ ଖିଲୋ ୪ର୍ଥ ସ୍ଥାନରେ ରହି ଅଳ୍ପକେ ପଦକରୁ ବଂଚିତ ହୋଇଥିଲେ। ସେ ୬୪ କେଜି ବର୍ଗରେ ମୋଟ ୧୫୫ କେଜି (୬୪+୯୧) ଭାରୋ‌ତ୍ତୋଳନ କରି ନିକଟତମ ପ୍ରତିଦ୍ବନ୍ଦ୍ବୀଙ୍କ ଠାରୁ ମାତ୍ର ୪ କେଜି ପଛରେ ରହିଯାଇଥିଲେ।

ପ୍ରତିଯୋଗିତାରେ ଓଡ଼ିଶାର ମୋଟ ୧୨ (୩ ବାଳକ ଓ ୯ ବାଳିକା) ଜଣ ଅଂଶଗ୍ରହଣ କରିଛନ୍ତି। ବାଳକରେ କୁଲଦୀପ ସାହୁ (ସ୍ବର୍ଣ୍ଣ), ମୁନା ନାୟକ (ରୌପ୍ୟ) ଏବଂ ମନୋଜ (ରୌପ୍ୟ) ଗୋଟିଏ ଲେଖାଏଁ ପଦକ ହାସଲ କରିଛନ୍ତି। ବାଳିକା ବିଭାଗରେ କେବଳ ମୋତି ଜାନି କାଂସ୍ୟ ପଦକ ଅର୍ଜନ କରିଛନ୍ତି। ଜଣେ ମାତ୍ର ଖେଳାଳି ବନିତା ଘଡ଼େଇଙ୍କ ପ୍ରଦର୍ଶନ ବାକି ରହିଛି। ତାଙ୍କ ଇଭେଣ୍ଟ୍‌ ୨୨ ତାରିଖରେ ଥିବା ରାଜ୍ୟ ଭାରୋତ୍ତୋଳନ ସଂଘ ସମ୍ପାଦକ ନାରାୟଣ ସାହୁ ସୂଚନା ଦେଇଛନ୍ତି।

ସମ୍ବନ୍ଧିତ ଖବର