ରାହାଣେଙ୍କୁ ଛାଡ଼ିବେନି କୋହଲି

ମୁମ୍ବାଇ: ୨୦୧୮ ମସିହାର ଟେଷ୍ଟ୍ କ୍ରିକେଟ୍‌ରେ ଉତଥାନ ପତନ ଦେଇ ଗତି କରିଥିବା ଉପଅଧିନାୟକ ଅଜିଙ୍କ୍ୟ ରାହାଣେଙ୍କୁ ମିଳିଯାଇଛି ଅଧିନାୟକ ବିରାଟ କୋହଲିଙ୍କ ସମର୍ଥନ। ରାହାଣେଙ୍କୁ ଜଣେ ‘ଦୃଢ଼ ଖେଳାଳି’ ଦର୍ଶାଇ କୋହଲି କହିଛନ୍ତି ‘ସେ ଚାପ ପରିସ୍ଥିତିରେ ଭଲ କରିଥାନ୍ତି ଏବଂ ଆଶା କରିବି ଏଥର ସେ ଦଳ ଚତୁଃପାର୍ଶ୍ବରେ ରହି ଭଲ କରିବେ’। ବିଦେଶ ଗସ୍ତରେ ଏକଦା ଦଳର ବ୍ୟାଟିଂ ମେରୁଦଣ୍ଡ ବିବେଚିତ ହେଉଥିବା ରାହ‌ାଣେ ଗତବର୍ଷ ଦକ୍ଷିଣ ଆଫ୍ରିକା ବିପକ୍ଷ ପ୍ରଥମ ଦୁଇ ଟେଷ୍ଟ୍‌ରୁ ବାଦ୍ ପଡ଼ିଥିଲେ। ଶେଷ ଟେଷ୍ଟ୍‌ରେ କିନ୍ତୁ ଖେଳି ଦଳକୁ ବିଜୟୀ କରାଇବାରେ ପ୍ରମୁଖ ଭୂମିକା ନେଇଥିଲେ। ଏହା ପରେ ଇଂଲଣ୍ଡ ଏବଂ ଅଷ୍ଟ୍ରେଲିଆ ଗସ୍ତ ସହିତ ୱେଷ୍ଟଇଣ୍ଡିଜ୍ ବିପକ୍ଷ ଘରୋଇ ଶୃଙ୍ଖଳାରେ ବି ଖେଳିଥିଲେ। କିନ୍ତୁ ଅତୀତ ପ୍ରଦର୍ଶନ ଭଳି ରାହାଣେ ସେଭଳି ଆତ୍ମବିଶ୍ବାସ ଦେଖାଇ ପାରିନଥିଲେ। ବିଶେଷ କରି ୨୦୧୪ ମସିହାର ବିଦେଶ ଗସ୍ତ ଭଳି ସେ ପ୍ରଶଂସନୀୟ ରହିନଥିଲେ। ନିଜ ଶେଷ ଟେଷ୍ଟ ଶତକ ପରଠାରୁ ୨୮ ପାଳି ଏବଂ ୨ ବର୍ଷ ବ୍ୟବଧାନ ମଧ୍ୟରେ ମାତ୍ର ୫ ଥର ୫୦ରୁ ଊର୍ଧ୍ବ ରନ୍ ପାଳି ଖେଳିଥିଲେ। ଏହି ସମୟରେ ୨୪.୮୫ ହାରରେ ରନ୍ ସଂଗ୍ରହ କରିଥିଲେ। କୋହଲି କିନ୍ତୁ ବିଶ୍ବାସ ରଖିଛନ୍ତି ଏ ଖେଳାଳିଙ୍କୁ ଛାଡ଼ିଯିବାର ଆବଶ୍ୟକତା ପଡ଼ିନାହିଁ। ତାଙ୍କ ନିକଟରେ ମାନସିକ ସନ୍ତୁଳନ ଓ ବିଶ୍ବସନୀୟତା ରହିଛି ବୋଲି କୋହଲି କହିଛନ୍ତି। ଟେଷ୍ଟ୍ କ୍ରିକେଟ୍‌ରେ ସେ ଜଣେ ଅମୂଲ୍ୟ କ୍ଷେତ୍ରରକ୍ଷକ ତଥା ଚମତ୍କାର ସ୍ଲିପ୍‌ କ୍ୟାଚ୍‌ ଧରାଳି। ଦକ୍ଷିଣ ଆଫ୍ରିକା ଗସ୍ତରେ ଭାରତକୁ ମିଳିଥିବା ଏକମାତ୍ର ବିଜୟରେ ରାହାଣେଙ୍କ ଲଢ଼ୁଆ ୪୮ ରନ୍ ଉପଯୋଗୀ ଥିଲା ବୋଲି ମଧ୍ୟ କୋହଲି ମନେ ପକାଇ ଦେଇଥିଲେ। ତାଙ୍କୁ ନେଇ ଆମେ ଆଦୌ ଚିନ୍ତିତ ନୁହଁ, ବରଂ ଆମେ ତାଙ୍କୁ ଆତ୍ମବିଶ୍ବାସ ଦେଉଛୁ ସେ ପରିବର୍ତନ ଆଣିପାରିବେ। ଏହା ହିଁ ଗୁରୁତ୍ବପୂର୍ଣ୍ଣ ବୋଲି କୋହଲି କହିଛନ୍ତି।

ସମ୍ବନ୍ଧିତ ଖବର