କୋହଲି ଏ ଦଶନ୍ଧିର ସବୁଠୁ ପ୍ରଭାବୀ ଖେଳାଳି: ଗାଭାସ୍କର

ମୁମ୍ବାଇ: କିଂବଦନ୍ତି ଭାରତୀୟ ବ୍ୟାଟ୍ସମ୍ୟାନ୍‌ ସୁନିଲ ଗାଭାସ୍କର କହିଛନ୍ତି ଅଧିନାୟକ ବିରାଟ କୋହଲି ଏ ଦଶନ୍ଧିର ସବୁଠୁ ପ୍ରଭାବୀ ଖେଳାଳି। ଏହି ୧୦ ବର୍ଷ ଭିତରେ କୋହଲି ଭାରତ ପାଇଁ ଜିତିଥିବା ମ୍ୟାଚ୍‌କୁ ବିଚାରକୁ ନେଇ ଗାଭାସ୍କର ଏଭଳି କଥା କହିଛନ୍ତି। ୨୦୦୮ ମସିହାରେ କୋହଲି ଅନ୍ତର୍ଜାତୀୟ ପଦାର୍ପଣ କରିଥିବାବେଳେ ନିଜକୁ ସବୁ ଫର୍ମାଟର ଶ୍ରେଷ୍ଠ ବ୍ୟାଟ୍ସମ୍ୟାନ୍‌ ଭାବେ ପ୍ରତିଷ୍ଠିତ କରି ଆସିଛନ୍ତି। ଗତ ସପ୍ତାହରେ ସଚିନ ତେନ୍ଦୁଲକରଙ୍କୁ ପଛରେ ପକାଇ ଦିନିକିଆରେ ଦ୍ରୁତତମ ୧୨,୦୦୦ ରନ୍ ପୂର୍ଣ୍ଣ କରିଛନ୍ତି। ‘ଆପଣ ଯଦି କୌଣସି ବ୍ୟକ୍ତିଗତ ଖେଳାଳିଙ୍କ ଉପରେ ନଜର ପକାଇବେ ତେବେ ନିଶ୍ଚିତ ବିରାଟ କୋହଲି ଆସିବେ। ଭାରତ ଯେତେବେଳେ ବଡ଼ ସ୍କୋର୍‌ ପଶ୍ଚାତଧାବନ କରିଥାଏ କୋହଲି ଅଧିକ ମ୍ୟାଚ୍‌ ଜିତାଇଛନ୍ତି। କେବଳ ରନ୍‌ ସଂଗ୍ରହ କି ୱିକେଟ୍‌ ଦଖଲ ଉପରେ ମୁଁ ନଜର ପକାଇଛି ତା’ ନୁହେଁ। ବାସ୍ତବରେ ଏ ଦଶନ୍ଧିରେ ସେ ସବୁଠାରୁ ପ୍ରଭାବୀ ଖେଳାଳି ସାବ୍ୟସ୍ତ ହୋଇଛନ୍ତି ବୋଲି ଗାଭାସ୍କର କହିଛନ୍ତି।

ତେବେ ପୂର୍ବତନ ଅଷ୍ଟ୍ରେଲିଆ ପ୍ରାରମ୍ଭିକ ବ୍ୟାଟ୍ସମ୍ୟାନ୍‌ ମାଥ୍ୟୁ ହେଡେନ୍‌ କହିଛନ୍ତି ଦିନିକିଆରେ ମହେନ୍ଦ୍ର ସିଂହ ଧୋନି ଏ ଦଶନ୍ଧିରେ ଭାରତର ସବୁଠୁ ପ୍ରଭାବୀ ଖେଳାଳି। ଧୋନିଙ୍କ ସମ୍ପର୍କରେ ସବୁଠାରୁ ଗୁରୁତ୍ବପୂର୍ଣ୍ଣ ତଥା ମହତ୍ବପୂର୍ଣ୍ଣ ଦିଗଟି ହେଉଛି ସେ ବିଶ୍ବକପ୍‌ ଓ ଚାମ୍ପିଅନ୍ସ ଟ୍ରଫି ଜିତିଥିଲେ। ମୋ ପାଇଁ ବିଶ୍ବକପ୍‌ ନିଶ୍ଚିତ ଭାବେ ଏକ ବଡ଼ ମାଇଲଖୁଣ୍ଟ’ ବୋଲି ହେ‌ଡେନ୍ ପ୍ରକାଶ କରିଛନ୍ତି। ଦିନିକିଆ କ୍ରିକେଟରେ ବହୁ ବୋଝ ରହିଛି। ବିଶ୍ବକପ୍‌ ଆସିଲେ ଆପଣଙ୍କୁ ଭଲ ନେତୃତ୍ବର ଆବଶ୍ୟକତା ପଡ଼ିଥାଏ। ଧୋନି ସେଭଳି ଜଣେ ଦୃଢ଼, ଶାନ୍ତ ଅଧିନାୟକ, ମଧ୍ୟକ୍ରମ ବ୍ୟାଟ୍ସମ୍ୟାନ୍‌ ଓ ୱିକେଟରକ୍ଷକ‌ ବୋଲି ହେଡେନ୍ ପ୍ରକାଶ କରିଛନ୍ତି।

ସମ୍ବନ୍ଧିତ ଖବର