କେପିଏଲ୍‌ ଉଦ୍‌ଘାଟିତ: ଭାଗ ନେଲେ ୧୨ ଦଳ

ଭୁବନେଶ୍ୱର: କିଟ୍‌ ପ୍ରିମିୟର ଲିଗ୍‌ (କେପିଏଲ୍‌)ର ଏକାଦଶ ସଂସ୍କରଣ କିଟ୍‌ କ୍ରିକେଟ ଷ୍ଟାଡିୟମରେ ବୁଧବାର ଉଦ୍‌ଘାଟିତ ହୋଇଯାଇଛି। ଉଦ୍‌ଘାଟନୀ ମ୍ୟାଚ୍‌ରେ କିଟ୍‌ ୭ ଓ୍ଵିକେଟ୍‌ରେ ଦିଲ୍ଲୀ ଟେକ୍ନୋଲୋଜିକାଲ ବିଶ୍ୱବିଦ୍ୟାଳୟକୁ ପରାସ୍ତ କରି ଅଭିଯାନ ଆରମ୍ଭ କରିଛି। ପ୍ରଥମେ ବ୍ୟାଟିଂ କରି ଦିଲ୍ଲୀ ୧୯.୫ ଓଭରରେ ୯୨ ରନ୍‌ କରିଥିଲା। ମହମ୍ମଦ ଅମିର ସଫି ୨୫ ରନ୍‌ କରିଥିଲେ। ପ୍ରିୟାଂଶୁ ଶେଖର ୩ ଓ୍ଵିକେଟ୍‌ ନେଇଥିଲେ। ଜବାବରେ ରବୀନ୍ଦ୍ର ନାରାୟଣ ୪୦ ରନ୍‌ ସହାୟତାରେ ୧୩.୨ ଓଭରରେ ୩ ଓ୍ଵିକେଟ୍‌ ହରାଇ ମ୍ୟାଚ୍‌ ଜିତି ନେଇଥିଲା। ୨୮ ତାରିଖ ପର୍ଯ୍ୟନ୍ତ ଫ୍ଲଡ୍‌ ଲାଇଟ୍‌ରେ ଖେଳାଯିବାକୁ ଥିବା ଏହି ଦିବାରାତ୍ର ପ୍ରତିଯୋଗିତାକୁ ଭାରତୀୟ କ୍ରିକେଟର୍‌ ତଥା ଭାଷ୍ୟକାର ଆକାଶ ଚୋପ୍ରା ମୁଖ୍ୟ ଅତିଥି ଭାବେ ଯୋଗଦେଇ ଉଦ୍‌ଘାଟନ କରିଥିଲେ। ଉଦ୍‌ଘାଟନୀ ଉତ୍ସବରେ ଅନ୍ୟମାନଙ୍କ ମଧ୍ୟରେ କିଟ୍‌ ଓ କିସ୍‌ର ପ୍ରତିଷ୍ଠାତା ଡ. ଅଚ୍ୟୁତ ସାମନ୍ତ, କିଟ୍‌ ଡିମ୍‌ଡ ବିଶ୍ୱବିଦ୍ୟାଳୟର କୁଳପତି ପ୍ରଫେସର ହୃଷିକେଶ ମହାନ୍ତି ଓ କ୍ରୀଡ଼ା ନିର୍ଦେଶକ ଡ. ଗଗନେନ୍ଦୁ ଦାଶ ପ୍ରମୁଖ ଉପସ୍ଥିତ ଥିଲେ। ପ୍ରତିଯୋଗିତାରେ ଆୟୋଜକ କିଟ୍‌ ବିଶ୍ୱବିଦ୍ୟାଳୟ ସମେତ ଦେଶର ୧୨ ପ୍ରମୁଖ ବିଶ୍ୱବିଦ୍ୟାଳୟ ଅଂଶ ଗ୍ରହଣ କରିଛନ୍ତି। ୪ଟି ଗ୍ରୁପ୍‌ରେ ପ୍ରତିଯୋଗିତା ଲିଗ୍‌ ଭିତ୍ତିରେ ଖେଳାଯିବ। ୨୭ ତାରିଖରେ ସେମିଫାଇନାଲ ଓ ୨୮ରେ ଫାଇନାଲ ମାଚ୍‌ ଅନୁଷ୍ଠିତ ହେବ। ପୁଲ-ଏରେ କିଟ, ଦିଲ୍ଲୀ ବୈଷୟିକ ବିଶ୍ୱବିଦ୍ୟାଳୟ ଓ ଜେଏନ୍‌ଟିୟୁ ହାଇଦ୍ରାବାଦ, ପୁଲ-ବିରେ ଜାମିଆ ମିଲିଆ ଇସ୍‌ଲାମିଆ, ଜେଏନଟିୟୁ କାକିନାଡ଼ା ଓ ଉତ୍କଳ ବିଶ୍ୱବିଦ୍ୟାଳୟ ରହିଛନ୍ତି। ସେହିପରି ପୁଲ-ସିରେ ରେଭେନ୍‌ସା, ଆଲଫାଲା ଓ ଆନ୍ଧ୍ର ରହିଥିଲା ବେଳେ ପୁଲ-ଡ଼ିରେ ପଞ୍ଜାବୀ ବିଶ୍ୱବିଦ୍ୟାଳୟ, ପିଜିଡିଏଭି ନୂଆଦିଲ୍ଲୀ ଓ ଏସ୍‌ଆରଏମ୍‌ ବିଶ୍ୱବିଦ୍ୟାଳୟ ରହିଛନ୍ତି। ବିଜେତା ଦଳକୁ ୨ ଲକ୍ଷ, ଉପବିଜେତା ଦଳକୁ ୧ ଲକ୍ଷ, ତୃତୀୟ ଶ୍ରେଷ୍ଠ ଦଳକୁ ୫୦ ହଜାର ଏବଂ ଚତୁର୍ଥ ଶ୍ରେଷ୍ଠ ଦଳକୁ ୨୫ ହଜାର ଟଙ୍କାର ନଗଦ ଅର୍ଥରାଶି ପୁରସ୍କାର ପ୍ରଦାନ କରାଯିବା ସହ ପ୍ରତ୍ୟେକ ଲିଗ୍‌ ମାଚ୍‌ ବିଜୟୀ ଦଳକୁ ୧୦ ହଜାର ଟଙ୍କା ଲେଖାଏଁ ଅର୍ଥ ରାଶି ପୁରସ୍କାର ପ୍ରଦାନ କରାଯିବ। ଏହା ବ୍ୟତୀତ ପ୍ରତିଯୋଗିତାର ଶ୍ରେଷ୍ଠ ଖେଳାଳିକୁ ୮ହଜାର, ଫାଇନାଲ୍‌ର ଶ୍ରେଷ୍ଠ ଖେଳାଳି, ଶ୍ରେଷ୍ଠ ବୋଲର, ଶ୍ରେଷ୍ଠ ବ୍ୟାଟସମାନ ଓ ଶ୍ରେଷ୍ଠ ୱିକେଟରକ୍ଷକଙ୍କୁ ୬ ହଜାର ଟଙ୍କା ଲେଖାଏଁ ପୁରସ୍କାର ରାଶି ଦିଆଯିବ।

ସମ୍ବନ୍ଧିତ ଖବର