କୁଚ୍‌ବେହାର ଟ୍ରଫି, ତ୍ରିପୁରାକୁ ହରାଇଲା ଓଡ଼ିଶା

ବଲାଙ୍ଗୀର: ବଲାଙ୍ଗୀର ଗାନ୍ଧୀ ଷ୍ଟାଡିୟମରେ ଚାଲିଥିବା ୧୯ ବର୍ଷରୁ କମ୍ କୁଚ୍‌ବେହାର ଟ୍ରଫିରେ ଓଡ଼ିଶା ଏକ ପାଳି ଓ ୬୭ ରନ୍‌ରେ ତ୍ରିପୁରାକୁ ପରାସ୍ତ କରିଦେଇଛି। ତ୍ରିପୁରା ପ୍ରଥମ ପାଳିକୁ ମାତ୍ର ୬୫ ରନ୍‌ରେ ସଫା କରିବା ପରେ ଓଡ଼ିଶା ୨୬୪ ରନ୍‌ କରି ୧୯୯ ରନ୍‌ର ଅଗ୍ରଣୀ ପାଇଥିଲା। ଏହାପରେ ଓଡ଼ିଶା ବୋଲର ପୁଣି ଚମକ ଦେଖାଇ ବୁଧବାର ତ୍ରିପୁରା ଦ୍ବିତୀୟ ପାଳିକୁ ୧୩୨ ରନ୍‌ରେ ସୀମିତ ରଖି ଦେଇଥିଲେ। ଦ୍ବିତୀୟ ଦିବସ ଶେଷରେ ୫୧/୨ କରିଥିବା ତ୍ରିପୁରା ବୁଧବାର ଆଉ ୮୧ ରନ୍‌ ଯୋଡ଼ି ଅବଶିଷ୍ଟ ୮ ୱି‌କେଟ୍‌ ହରାଇଥିଲା। ଫଳରେ ତିନି ଦିନ ମଧ୍ୟରେ ଏହି ମ୍ୟାଚ୍‌ ଶେଷ ହୋଇଥିଲା ଏବଂ ଓଡ଼ିଶା ବୃହତ୍‌ ବିଜୟ ହାସଲ କଲା। ତ୍ରିପୁରା ଦ୍ବିତୀୟ ପାଳିରେ ଓଡ଼ିଶା ପାଇଁ ବିଶ୍ବଜିତ ମଲ୍ଲିକ ୫ ଓ ଅଙ୍କିତକର ଜୟସ୍ବାଲ ୪ ୱିକେଟ୍‌ ନେଇଥିଲେ। ତେବେ ପ୍ରଥମ ପାଳିରେ ମହତ୍ବ ପୂର୍ଣ୍ଣ ଶତକ ଜମାଇଥିବା ରଘୁନାଥ ମଲ୍ଲ (୧୦୨)ଙ୍କୁ ମ୍ୟାଚ୍‌ର ଶ୍ରେଷ୍ଠ ଖେଳାଳି ଭାବେ ପୁରସ୍କୃତ କରାଯାଇଥିଲା। ଏହି ବିଜୟ ସହ ଓଡ଼ିଶାକୁ ‌ବୋନସ୍‌ ପଏଣ୍ଟ୍‌ ମଧ୍ୟ ମିଳିଯାଇଛି। ଓଡ଼ିଶା ଏହି ମ୍ୟାଚ୍‌ରୁ ୭ ପଏଣ୍ଟ୍‌ କରାୟତ କରିଛି। କ୍ରୀଡ଼ା ସଂସଦର ଉପ ସଭାପତି କୃଷ୍ଣଚନ୍ଦ୍ର ମିଶ୍ରଙ୍କ ସଭାପତିତ୍ବରେ ଆୟୋଜିତ ଉଦ୍‌ଯାପନୀ ଉତ୍ସବରେ ମୁଖ୍ୟଅତିଥି ଭାବେ ସନ୍ଥ କବି ଭୀମଭୋଇ ମେଡିକାଲ କଲେଜର ଡିନ୍ ଡା. ଲଳିତ ମେହେର ଯୋଗଦେଇ ଓଡ଼ିଶା ଦଳକୁ ସମ୍ବର୍ଧିତ କରିଥିଲେ।

ସମ୍ବନ୍ଧିତ ଖବର