ମଞ୍ଜରେକର-ଜାଦେଜା ଟ୍ବିଟ୍‌ ଚର୍ଚ୍ଚା, ସେ ବୋଲର୍‌ କିଏ?

ରବିବାର ମ୍ୟାଚ୍‌କୁ ଭାରତ‌ ବୋଲରଙ୍କ ପ୍ରାଧାନ୍ୟ ଭିତରେ ଜିତିଥିଲା। ଅଧିନାୟକ ବିରାଟ କୋହଲି ମଧ୍ୟ ନିଜ ପ୍ରତିକ୍ରିୟା ରଖିବାବେଳେ ବୋଲରଙ୍କୁ ଅଧିକ ଶ୍ରେୟ ଦେଇଥିଲେ। କିନ୍ତୁ ଲୋକେଶ ରାହୁଲ୍‌ ତାଙ୍କ ବ୍ୟାଟିଂ ପ୍ରଦର୍ଶନ ଆଧାରରେ ଶ୍ରେ‌ଷ୍ଠ ଖେଳାଳି ପୁରସ୍କାର ପାଇଥିଲେ। ଏହାର କିଛି ସମୟ ପରେ ପୂର୍ବତନ ଖେଳାଳି ତଥା ଭାଷ୍ୟକାର ସଞ୍ଜୟ ମଞ୍ଜରେକର୍‌ ଏକ ଟ୍ବିଟ୍‌ କରି ଜଣେ ବୋଲର ‘ମ୍ୟାନ୍‌ ଅଫ୍‌ ଦ ମ୍ୟାଚ୍‌’ ବିବେଚିତ ହେବା କଥା ବୋଲି ମତ ରଖିଥିଲେ। ଭାରତର ସବୁଠୁ ସଫଳ ବୋଲର ରବୀନ୍ଦ୍ର ଜାଦେଜା (୪-୦-୧୮-୨) ନିଜ ଟ୍ବିଟ୍‌ରେ ‘ସେ ବୋଲର ଜଣଙ୍କ କିଏ, ଦୟାକରି ତାଙ୍କ ନାମ କୁହ ?’ ବୋଲି ପ୍ରଶ୍ନ କରିବାରୁ ଏହି ଚର୍ଚ୍ଚା ବଢ଼ିଯାଇଥିଲା। ମଞ୍ଜରେକର୍ ମଧ୍ୟ ଅଟକି ନଥିଲେ ‘ତୁମେ କିମ୍ବା ବୁମ୍‌ରା ଏହି ପୁରସ୍କାର ପାଇବା କଥା‌ ବୋଲି ସ୍ପଷ୍ଟ କରି ଦେଇଥିଲେ। ରବିବାର ମ୍ୟାଚ୍‌ରେ ବୁମରା (୪-୦-୨୧-୧) ମଧ୍ୟ ମିତ୍ତବ୍ୟୟୀ ବୋଲିଂ କରିଥିଲେ। ସୂଚନାଯୋଗ୍ୟ, ଗତବର୍ଷ ବିଶ୍ବକପ୍‌ ବେଳେ ସଞ୍ଜୟ ମଞ୍ଜରେକରଙ୍କ ଏକ ଟ୍ବିଟ୍‌ କାରଣରୁ ରବୀନ୍ଦ୍ର ଜାଦଜୋଙ୍କ ସହ ମୁହାଁମୁହିଁ ହୋଇଥିଲେ। ଶେଷକୁ ମଞ୍ଜରେକରଙ୍କୁ କ୍ଷମା ମାଗିବାକୁ ପଡ଼ିଥିଲା। ବିଶ୍ବକପ୍‌ ବେଳେ ଜାଦେଜାଙ୍କୁ ମଞ୍ଜରେକର ଜଣେ ସାଧାରଣ ତଥା ମାମୁଲି କ୍ରିକେଟର୍‌ କହିଥିଲେ। ସେତେବେଳେ ଜାଦେଜା ଏହାର ଜବାବରେ କହିଥିଲେ ‘ମୁଁ ତୁମଠାରୁ ଦୁଇ ଗୁଣା ମ୍ୟାଚ୍‌ ଖେଳିଛି, ଏବେ ବି ଖେଳୁଛି। ଖେଳାଳିଙ୍କୁ ସମ୍ମାନ କରି ଶିଖ’। ଶେଷକୁ ମଞ୍ଜରେକର କ୍ଷମା ମାଗିନେଇଥିଲେ। ଏବର ଘଟଣା କିନ୍ତୁ ଉଭୟଙ୍କ ପୁରୁଣା ତିକ୍ତତା ପଛରେ ପଡ଼ିଥିବା ପ୍ରମାଣିତ କରିଛି।

ସମ୍ବନ୍ଧିତ ଖବର