ଜାତୀୟ କନିଷ୍ଠ ରୋଇଂ ଉଦ୍‌ଯାପିତ

ଓଡ଼ିଶା-ତେଲେଙ୍ଗାନା ଯୁଗ୍ମ ବିଜେତା

କଟକ: ଜଗତପୁରସ୍ଥିତ ସାଇ ଜଳକ୍ରୀଡ଼ା କେନ୍ଦ୍ରରେ ତିନି ଦିନ ଧରି ଚାଲିଥିବା ୩୮ତମ ଜାତୀୟ କନିଷ୍ଠ ରୋଇଂ ପ୍ରତିଯୋଗିତା ଶନିବାର ଉଦ୍‌ଯାପିତ ହୋଇଛି। ପ୍ରତିଯୋଗିତାରେ ଓଡ଼ିଶା ଓ ତେଲେଙ୍ଗାନା ଯୁଗ୍ମ ଦଳଗତ ବିଜେତା ହୋଇଛନ୍ତି। ପଦକ ସଂଖ୍ୟା ଅନୁଯାୟୀ ଉଭୟ ୯ ପଏଣ୍ଟ ପାଇ ଶୀର୍ଷରେ ରହିଥିଲେ। ଓଡ଼ିଶା ମୋଟ ୩ଟି ସ୍ୱର୍ଣ୍ଣ ପଦକ ପାଇଥିଲାବେଳେ ତେଲେଙ୍ଗାନା ୨ ସ୍ୱର୍ଣ୍ଣ, ୧ଟି ଲେଖାଏଁ ରୌପ୍ୟ ଓ କାଂସ୍ୟ ପଦକ ଜିତିଥିଲା। ଏମାନଙ୍କ ପଛକୁ ମଧ୍ୟପ୍ରଦେଶ ୮, କେରଳ ୬ ଓ କର୍ଣ୍ଣାଟକ ୫ ପଏଣ୍ଟ ପାଇ ପ୍ରଥମ ୫ ସ୍ଥାନରେ ରହିଥିଲେ। ଶେଷ ଦିନର ଅନୁଷ୍ଠିତ ମ୍ୟାଚ ଗୁଡ଼ିକ ମଧ୍ୟରେ ମହିଳା ସିଙ୍ଗଲ ସ୍କଲ୍‌ରେ ଓଡ଼ିଶା ପ୍ରଥମ, ମଣିପୁର ଦ୍ୱିତୀୟ ଓ ହରିୟାଣା ତୃତୀୟରେ ରହିଥିଲା। ମହିଳା କକ୍ସଲେସ୍‌ ପେୟାରରେ ଓଡ଼ିଶା ପ୍ରଥମ କେରଳ ଦ୍ୱିତୀୟ ଓ ତେଲେଙ୍ଗାନା ତୃତୀୟ, କକ୍ସଲେସ୍‌ ଫୋର୍‌ରେ ଓଡ଼ିଶା ପ୍ରଥମ, କେରଳ ଦ୍ୱିତୀୟ ଓ ତାମିଲନାଡୁ ତୃତୀୟ ହୋଇଥିଲା। ଅନ୍ୟମ୍ୟାଚ ଗୁଡ଼ିକରେ ସିଙ୍ଗଲ୍‌ ସ୍କଲ୍‌ରେ ତେଲେଙ୍ଗାନା, ପରୁଷ ସିଙ୍ଗଲ ସ୍କଲ୍‌ରେ କର୍ଣ୍ଣାଟକ, କକ୍ସଲେସ ପେୟାରରେ ତେଲେଙ୍କାନା, ଡବଲ୍‌ ସ୍କଲ୍‌ରେ ମଧ୍ୟପ୍ରଦେଶ, କକ୍ସଲେସ ଫୋର୍‌ରେ ମଧ୍ୟପ୍ରଦେଶ ପ୍ରଥମ ସ୍ଥାନରେ ରହିଥିଲା। ସନ୍ଧ୍ୟାବେଳେ ଆୟୋଜିତ ପୁରସ୍କାର ପ୍ରଦାନ ଉତ୍ସବରେ ପୁଲିସ ମହାନିର୍ଦ୍ଦେଶକ ଡାକ୍ତର ରାଜେନ୍ଦ୍ର ପ୍ରସାଦ ଶର୍ମା ମୁଖ୍ୟ ଅତିଥି ଭାବେ ଯୋଗଦେଇ କୃତି ପ୍ରତିଯୋଗୀଙ୍କୁ ପୁରସ୍କାର ପ୍ରଦାନ କରିଥିଲେ। ଅନ୍ୟମାନଙ୍କ ମଧ୍ୟରେ ସର୍ବଭାରତୀୟ ରୋଇଂ ମହାସଂଘ ସଭାପତି ରାଜଲକ୍ଷ୍ମୀ ସିଂହଦେଓ, ଏମିରେଟସ୍‌ ରୋଇଂ ମହାସଂଘର ସଭାପତି କାମାକ୍ଷାପ୍ରସାଦ ସିଂହଦେଓ, ଓଡ଼ିଶା ରୋଇଂ ଓ ସ୍କଲିଂ ସଂଘ ସଭାପତି ବିନୋଦ ଦାସ, ସମ୍ପାଦକ ଅମରଜ୍ୟୋତି ସିଂହଦେଓ ପ୍ରମୁଖ ଉପସ୍ଥିତ ଥିଲେ।

ସମ୍ବନ୍ଧିତ ଖବର