ରଣଜୀ ଟ୍ରଫି: ବସନ୍ତଙ୍କୁ ୫ ସତ୍ତ୍ୱେ ବରୋଦା ୫୦୩ ଓଡ଼ିଶା ୬୪/୨

କଟକ: ଅଭିଜ୍ଞ ଦ୍ରୁତ ବୋଲର ବସନ୍ତ ମହାନ୍ତିଙ୍କ ୧୭ତମ ୫ ଓ୍ଵିକେଟ ସଫଳତା ସତ୍ତ୍ୱେ ବରୋଦା ପ୍ରଥମ ପାଳିରେ ୫୦୩ ରନ୍‌ କରି ନେଇଛି। ବସନ୍ତ ନିଜ ବହୁ ପ୍ରତୀକ୍ଷିତ ୫ ଓ୍ଵିକେଟ୍‌ ସଫଳତା ପାଇଥିିଲେ। ଏକାଧିକ ସଫଳ ସ୍ପେଲ୍‌ ପରେ ସେ ୩୨-୫-୮୫-୫ ଚିତ୍ର ପାଇଥିଲେ। ଭଦୋଦରାସ୍ଥିତ ରିଲାଏନ୍ସ କ୍ରିକେଟ ଷ୍ଟାଡିୟମରେ ଖେଳାଯାଉଥିବା ଏହି ରଣଜୀ ମ୍ୟାଚରେ ଓଡ଼ିଶା ଦ୍ୱିତୀୟ ଦିନ ସୁଦ୍ଧା ପ୍ରାରମ୍ଭିକ ବିପର୍ଯ୍ୟୟର ସମ୍ମୁଖୀ ନହୋଇ ୨ ଓ୍ଵିକେଟ ବିନିମୟରେ ୬୪ ରନ୍‌ ସଂଗ୍ରହ କରିଛି। ସନ୍ଦୀପ ପଟ୍ଟନାୟକ ଓ ଅଧିନାୟକ ଗୋବିନ୍ଦ ପୋଦ୍ଦାର ଆଉଟ୍‌ ହୋଇଥିବାବେଳେ ହୋଇଥିଲାବେଳେ ନଟରାଜ ବେହେରା ୨୪* ଓ ଶୁଭ୍ରାଂଶୁ ସେନାପତି ୭*ରନ୍‌ରେ ଖେଳୁଛନ୍ତି।
ଶୁକ୍ରବାର ପ୍ରଥମ ଦିନରେ ବରୋଦା ୨୮୧/୩ ଦୃଢସ୍ଥିତିରେ ରହିଥିଲା। ଶନିବାର ଦ୍ୱିତୀୟ ଦିନ ଆରମ୍ଭରୁ ଘରୋଇ ଦଳକୁ ଝଟ୍‌କା ଦେଇଥିଲେ ସୂର୍ଯ୍ୟକାନ୍ତ ପ୍ରଧାନ। ସ୍ୱପ୍ନିଲ ସିଂହ ୧୯ ରନ୍‌ କରିଥିଲାବେଳେ ସୂର୍ଯ୍ୟକାନ୍ତ ପ୍ରଥମ ସଫଳତା ପାଇଥିଲେ। ଏହାପରଠୁ ବସନ୍ତ ମହାନ୍ତିଙ୍କ ଘାତକ ବୋଲିଂ ଆରମ୍ଭ ହୋଇଯାଇଥିଲା। ମିତେଶ ପଟେଲ୍‌ (୨), ଅତିତ୍‌ ସେଠ୍‌ (୨), ଧ୍ରୁବ ପଟେଲ୍‌ (୧୬)ଙ୍କୁ ଆଉଟ କରିବାରୁ ବରୋଦା ୩୧୬ ରନ୍‌ ମଧ୍ୟରେ ୭ ଓ୍ଵିକେଟ ହରାଇଥିଲା। ଅର୍ଧଶତକ ଅର୍ଜନ କରି ଗୋଟିଏ ପଟେ ବ୍ୟାଟିଂ କରୁଥିବା ପ୍ରଥମ ଦିନର ଅପରାଜିତ ବ୍ୟାଟ୍ସମ୍ୟାନ ବିଷ୍ଣୁ ସୋଲାଙ୍କୀଙ୍କ ସାଥିରେ ପାଳି ଆଗକୁ ବଢାଇବାକୁ ପ୍ରଥମ ପଦାର୍ପଣକାରୀ ୧୮ ବର୍ଷିୟ ନିନାଦ ରଥଓ୍ଵା ବଡ଼ ସଟ୍‌ ଖେଳିବା ଆରମ୍ଭ କରିଥିଲେ। ନିନାଦ ନିର୍ଘାତ ପ୍ରହାର କରିଥିଲେ। ଉଭୟ ଅଷ୍ଟମ ଓ୍ଵିକେଟରେ ୧୬୨ ବଲ୍‌ରୁ ୧୫୫ରନ୍‌ ଯୋଗ କରିଥିଲେ। ୨୧୩ ବଲ୍‌ରୁ ନିଜର ଦ୍ୱିତୀୟ ଶତକ ଅର୍ଜନ କରିବା ପରେ ବିଷ୍ଣୁ (୧୦୯)ଙ୍କୁ ବସନ୍ତ ତାଙ୍କର ପଞ୍ଚମ ଶିକାର କରିଥିଲେ। ତାଙ୍କ ପଛକୁ ଆସିଥିବା କାର୍ତ୍ତିକ କକାଡେଙ୍କୁ ସୂର୍ଯ୍ୟକାନ୍ତ ୧୬ରନ୍‌ରେ ଆଉଟ କରିଥିଲେ। ନିନାଦ ପଦାର୍ପଣ ଶତକ ଅର୍ଜନ କରିବା ପରେ ୧୧୫ ରନ୍‌ (୧୦୨ ବଲ୍‌ ୧୮ ଚୌକା, ୧ଛକା) କରିଥିଲାବେଳେ ଆଲୋକ ସାହୁ ତାଙ୍କୁ ବୋଲ୍ଡ କରି ଚଳିତ ଋତୁରେ ନିଜର ପ୍ରଥମ ଓ୍ଵିକେଟ ହାସଲ କରିଥିଲେ।

ଅଗ୍ରଣୀ ପାଇଁ ତାମିଲନାଡୁର ସଂଘର୍ଷ

ଇନ୍ଦୋର: ଓଡ଼ିଶା ସାମିଲ ଥିବା ଗ୍ରୁପ୍‌ ‘ସି’ ରଣଜୀ ଟ୍ରଫି ଲିଗ୍‌ର ଅନ୍ୟ ଦୁଇ ମ୍ୟାଚ୍‌ରେ ପ୍ରଥମ ପାଳି ଅଗ୍ରଣୀ ପାଇଁ ସଂଘର୍ଷ ଜାରି ରହିଛି। ଇନ୍ଦୋରରେ ମଧ୍ୟପ୍ରଦେଶର ୨୬୪ ରନ୍‌ ଜବାବରେ ତାମିଲନାଡୁ ଦ୍ୱିତୀୟ ଦିନ ସୁଦ୍ଧା ୧୯୧ ରନରେ ୬ ଓ୍ଵିକେଟ୍‌ ହରାଇ ଦେଇଛି। ଅତିଥି ଦଳ ଏବେ ହାତରେ ୪ ଓ୍ଵିକେଟ୍‌ ଥାଇ ୭୩ ରନ୍‌ ପଛରେ ରହିଛି। ଶନିବାର ୨୨୪/୭ରୁ ଖେଳିଥିବା ମଧ୍ୟପ୍ରଦେଶ ୪୦ ରନ ଯୋଡ଼ି ଶେଷ ୩ ଓ୍ଵିକେଟ୍‌ ହରାଇଥିଲା। ୧୧ ନମ୍ବର ବ୍ୟାଟସମ୍ୟାନ୍‌ ଈଶ୍ୱର ପାଣ୍ଡେ (୨୯, ୧୭ ବଲ୍‌, ୩ ଚୌକା, ୨ ଛକା)ଙ୍କ କାରଣରୁ ଦଳ ୨୫୦ ଟପିଥିଲା। ଜବାବରେ ତାମିଲନାଡୁ ୭୬ ରନରେ ୬ ଓ୍ଵିକେଟ୍‌ ହରାଇଥିଲେ ମଧ୍ୟ ପ୍ରାରମ୍ଭିକ ବ୍ୟାଟସମ୍ୟାନ୍‌ ତଥା ଓ୍ଵିକେଟରକ୍ଷକ ଏନ୍‌ ଜଗଦୀଶାନ (୯୪*, ୧୩୭ ବଲ୍‌, ୧୩ ଚୌକା) ଏବଂ ୟୋ ମହେଶ (୪୪*, ୯୪ ବଲ୍‌, ୧ ଚୌକା, ୩ ଛକା) ଶତକୀୟ ଭାଗୀଦାରି ଜରି ଦଳ ଆଶା କାଏମ ରଖିଛନ୍ତି। ଈଶ୍ୱର ପାଣ୍ଡେ ଓ ପିଏମ୍‌ ଡାଟେ ୩-୩ ଓ୍ଵିକେଟ୍‌ ନେଇ ପ୍ରାରମ୍ଭିକ ବିପର୍ଯ୍ୟୟ ଘଟାଇଥିଲେ।

ମୁମ୍ବାଇ ୩୩୨, ଆନ୍ଧ୍ର ୭୪/୨

ଅନ୍‌ଗୋଲ୍‌ (ଆନ୍ଧ୍ରପ୍ରଦେଶ): ଗ୍ରୁପ୍‌ ‘ସି’ର ଅନ୍ୟ ଏକ ଗୁୁରତ୍ୱପୂର୍ଣ୍ଣ ମ୍ୟାଚ୍‌ରେ ନିମ୍ନକ୍ରମରେ ଧବଲ କୁଲକର୍ଣି (୫୦*, ୧୩୪ ବଲ୍‌, ୫ ଚୌକା, ୨ ଛକା)ଙ୍କ ଲଢ଼ୁଆ ଅର୍ଧଶତକ କାରଣରୁ ଭ୍ରମଣକାରୀ ମୁମ୍ବାଇ ଦଳ ଘରୋଇ ଆନ୍ଧ୍ରପ୍ରଦେଶ ବିପକ୍ଷରେ ପ୍ରଥମ ପାଳିରେ ୩୩୨ ରନ୍‌ କରି ନେଇଛି। ୨୪୮/୬ରୁ ଖେଳିଥିବା ମୁମ୍ବାଇ ପାଇଁ ଅଭିଷେକ ନାୟାର (୩୫ ) ଏବଂ କୁଲକର୍ଣି ଭଲ ଖେଳିବାରୁ ଦଳ ୩୩୨ ରନ୍‌ ପର୍ଯ୍ୟନ୍ତ ଯାଇପାରିଥିଲା। ବନ୍ଦାରୁ ଆୟପ୍ପା (୪/୧୧୦), କେଭି ଶଶୀକାନ୍ତ (୩/୬୧), ଡିପି ବିଜୟକୁମାର (୨/୫୮) ଓ୍ଵିକେଟ୍‌ ବାଣ୍ଟି ନେଇଥିଲେ। ଜବାବରେ ଆନ୍ଧ୍ରପ୍ରଦେଶ ଦ୍ୱିତୀୟ ଦିନ ସୁଦ୍ଧା ୨ ଓ୍ଵିକେଟ୍‌ରେ ୭୪ ରନ୍‌ କରି ୨୫୮ ରନ୍‌ ପଛରେ ରହିଛି। ଲୟରେ ଥିବା ଅଧିନାୟକ ହନୁମା ବିହାରୀ (୨୯*) ଏବଂ ରିକି ଭୁଇ (୨୩*) ଅପରାଜିତ ଅଛନ୍ତି।

ସମ୍ବନ୍ଧିତ ଖବର