ଓଡ଼ିଆଙ୍କ ସ୍ବର୍ଣ୍ଣିମ ସଫଳତା, ପ୍ରମୋଦଙ୍କୁ ଦ୍ବି’ମୁକୁଟ

ଗୋପୀଚାନ୍ଦଙ୍କ ଝିଅ ଗାୟତ୍ରୀ ସହ ସ୍ବର୍ଣ୍ଣ ଜିତିଲେ ଋତୁପର୍ଣ୍ଣା

ଭୁବନେଶ୍ବର: ଏଫ୍‌ଜେଡ୍‌ ଫେର୍ଜା ଆଇରିସ୍‌ ପାରା ବ୍ୟାଡ୍‌ମିଣ୍ଟନ୍‌ରେ ଓଡ଼ିଆ ପୁଅ ପ୍ରମୋଦ ଭଗତ ଯୁଗଳ ସ୍ବର୍ଣ୍ଣ ପଦକ କରାୟତ କରିଛନ୍ତି। ଆୟର୍ଲାଣ୍ଡର ଡବ୍‌ଲିନରେ ଆୟୋଜିତ ଏହି ପ୍ରତିଯୋଗିତର ଉଭୟ ଏକକ ଓ ଯୁଗଳରେ ପ୍ରମୋଦ ଏହି ସଫଳତା ପାଇଥିଲେ। ରବିବାର ପୁରୁଷ ଏକକ ଫାଇନାଲ୍‌ରେ ପ୍ରମୋଦ ୨୧-୧୭, ୧୭-୨୧, ୨୧-୧୦ରେ ଇଂଲଣ୍ଡର ଡାନିଏଲ୍‌ ବିଥେଲ୍‌ଙ୍କୁ ପରାସ୍ତ କରିଥିଲେ। ସେହିପରି ଯୁଗଳରେ ମନୋଜ ସରକାରଙ୍କୁ ସାଥୀ କରୁଥିବା ପ୍ରମୋଦ ୨୧-୧୩, ୧୮-୨୧, ୨୩-୨୧ରେ ନିଜ ଦେଶର ତରୁଣ ଓ ନିତେଶ କୁମାରଙ୍କୁ ପରାସ୍ତ କରି ଟ୍ରଫି ହାସଲ କରିଥିଲେ। ସୂଚନାଯୋଗ୍ୟ, ପ୍ରମୋଦ ଚଳିତ ବର୍ଷ ୬ ଅନ୍ତର୍ଜାତୀୟ ମ୍ୟାଚ୍‌ ଖେଳି ୫ଟିରେ ସ୍ବର୍ଣ୍ଣ ପଦକ ହାସଲ କରି ବିଶ୍ବ ମାନ୍ୟତାରେ ଶୀର୍ଷ ସ୍ଥାନକୁ ବଜାୟ ରଖିଛନ୍ତି। ଏଥିସହ ସେ ମଧ୍ୟ ଅଲିମ୍ପିକ୍ସ ଯୋଗ୍ୟତା ଅର୍ଜନର ଆଉ ଏକ ପାଦ ଆଗକୁ ବଢ଼ିଛନ୍ତି।

ଭୁବନେଶ୍ବର: ଓଡ଼ିଆ ଝିଅ ଋତୁପର୍ଣ୍ଣା ପଣ୍ଡା ଓ ଗାୟତ୍ରୀ ଗୋପୀଚାନ୍ଦ ପୁଲେଲା ଯୋଡ଼ି ହାଇଦ୍ରାବାଦଠାରେ ଆୟୋଜିତ ସର୍ବଭାରତୀୟ ବରିଷ୍ଠ ମାନ୍ୟତା ପ୍ରତି‌ଯୋଗିତାର ମହିଳା ବର୍ଗରେ ସ୍ବର୍ଣ୍ଣ ପଦକ ଜିତିଛନ୍ତି। ରବିବାର ଫାଇନାଲ୍‌ରେ ଏହି ଯୋଡ଼ି ୧୯-୨୧, ୨୧-୧୪, ୨୧-୧୦ରେ ଚତୁର୍ଥ ମାନ୍ୟତା ପ୍ରାପ୍ତ ଶିଖା‌ ଗୌତମ ଓ ଅଶ୍ବିନୀ କେ ଭଟ୍ଟଙ୍କୁ ପରାସ୍ତ କରିଥିଲେ। ଏଥି ସହ ଗାୟତ୍ରୀ ମହିଳା ଏକକର ଫାଇନାଲ୍‌ରେ ତାନ୍‌ଭି ଲାଡ଼ଙ୍କୁ ୨୧-୧୯, ୨୧-୧୬ରେ ହରାଇ ଯୁଗଳ ସ୍ବର୍ଣ୍ଣ ପଦକ କରାୟତ କରିଥିଲେ। ଗାୟତ୍ରୀ ହେଉଛନ୍ତି ଅଲ୍‌ ଇଂଲଣ୍ଡ ଚାମ୍ପିଅନ୍‌ସିପ୍‌ ବିଜେତା ତଥା ଜାତୀୟ ପ୍ରଶିକ୍ଷକ ପୁଲେଲା ଗୋପୀଚାନ୍ଦଙ୍କ କନ୍ୟା। ଋତୁପର୍ଣ୍ଣା ହାଇଦ୍ରାବାଦରେ ଥିବା ଗୋପୀଚାନ୍ଦ ଏକାଡେମିରେ ପ୍ରଶିକ୍ଷଣ ନେଉଛନ୍ତି।

ସମ୍ବନ୍ଧିତ ଖବର