ଓଡ଼ିଶା ଏଫସିର ଜର୍ସି ଉନ୍ମୋଚିତ

ଭୁବନେଶ୍ବର : ନୂଆ ଆଇଏସ୍‌ଏଲ୍ ଋତୁ ପୂର୍ବରୁ ଓଡ଼ିଶା ଏଫ୍‌ସିର ଜର୍ସି ଉନ୍ମୋଚନ ଉତ୍ସବ ଶୁକ୍ରବାର ସମ୍ପନ୍ନ ହୋଇଛି। କଳା ଓ ବାଇଗଣି ରଙ୍ଗର ପୋଷାକରେ ଓଡ଼ିଶା ଏଫ୍‌ସି ଘରୋଇ ମ୍ୟାଚ୍‌ ଖେଳିବ। ସେହିଭଳି ଦ୍ବିତୀୟ ଜର୍ସିରେ ଦଳ ଓଲିଭ୍ ରିଡଲେ କଇଁଚଙ୍କୁ‌ ପ୍ରେରିତ କରିଥିବା ବେଳେ ତୃତୀୟଟିରେ ଭୁବନେଶ୍ବରର ଗଳିକନ୍ଦିରେ ଦେଖିବାକୁ ମିଳୁଥିବା ମୂର୍ତ୍ତିର ପ୍ରତିଫଳନ ଲକ୍ଷ କରାଯାଇଛି।

କିଟ୍‌ ବିଶ୍ବବିଦ୍ୟାଳୟ ଚେସ୍ ହଲ୍‌ରେ ଶୁକ୍ରବାର ସଂଧ୍ୟାରେ ରେଡ୍‌ ଏଫଏମ୍‌ ଆର୍‌ଜେ ସ୍ମିତାଙ୍କ ସଂଯୋଜନାରେ ଅନୁଷ୍ଠିତ ଉନ୍ମୋଚନ କାର୍ଯ୍ୟକ୍ରମରେ ଓଡ଼ିଶା ଏଫସି ସଭାପତି ରାଜ ଅଥୱାଲ, ମୁଖ୍ୟ ପ୍ରଶିକ୍ଷକ ଯୋ‌ସେଫ ଗମ୍ଭାୟୁ, ମହାପ୍ରବଂଧକ ଅଭିକ ଚାଟାର୍ଜୀ, କିଟ୍‌ କ୍ରୀଡ଼ା ବିଭାଗ ମହାପ୍ରବଂଧକ ଗଗନେନ୍ଦୁ ଦାଶଙ୍କ ସହିତ ଅତିଥି, ପ୍ରା‌‌‌ୟୋଜକ ପ୍ରମୁଖ ଉପସ୍ଥିତ ଥିଲେ। ଶୈଳେନ୍ଦ୍ର ସାମନ୍ତରାୟଙ୍କ ନୃତ୍ୟ ଉନ୍ମାଦନାରୁ କାର୍ଯ୍ୟକ୍ରମ ଆରମ୍ଭ ‌ହୋଇଥିଲା। କ୍ଲବ୍‌ର ଭବିଷ୍ୟତ କାର୍ଯ୍ୟକ୍ରମ ସମ୍ପର୍କରେ ସଭାପତି ରାଜ ସୂଚନା ଦେଇଥିଲେ। ପ୍ରଥମ ଥର ମହିଳା ଦଳର ସମ୍ପୃକ୍ତି ବିଷୟ ଘୋଷଣା କରି ମୁଖ୍ୟ ପ୍ରଶିକ୍ଷକ କହିଥିଲେ, ‘ବିନା ପ୍ରଶଂସକରେ ଦଳ ଏକ ଦଳ ନୁହେଁ’।

ଏଥି ସହିତ ଓଡ଼ିଶା ଏଫ୍‌ସିର ପ୍ରଶଂସକ ଗୋଷ୍ଠୀ ‘ଦ ଜଗରନଟ୍‌’ର ସ୍ଲୋଗାନ ‘ଆମ ଟିମ୍ ଆମ ଗେମ୍’ ମଧ୍ୟ ପୁଣି ସକ୍ରିୟ ହୋଇଉଠିଛି ସାମାଜିକ ଗଣମାଧ୍ୟମରେ। ଅକ୍ଟୋବରରେ ଆଇଏସ୍‌ଏଲ୍‌ ଖେଳିବାକୁ ଥିବା ଓଡ଼ିଶା ଏଫ୍‌ସି ଏବେ ଭୁବନେଶ୍ବରରେ ଅଭ୍ୟାସ କରୁଛି। ଏହା ପୂର୍ବରୁ ଡୁରାଣ୍ଡ୍ କପ୍‌ ଖେଳି ଦଳ ଅଭିଯାନ ଆରମ୍ଭ କରିବ। ଶନିବାର ଏସପ୍ଲାନେଡ୍‌ ୱାନ୍‌ ମଲରେ ମଧ୍ୟ କ୍ଲବ୍ ପକ୍ଷରୁ ଅନ୍ୟ ଏକ କାର୍ଯ୍ୟକ୍ରମର ଆୟୋଜନ କରାଯାଇଥିଲା।

ସମ୍ବନ୍ଧିତ ଖବର