ମସ୍କୋ: ମସ୍କୋରେ ଚାଲିଥିବା ଫିଫା ବିଶ୍ୱକପ୍ରେ ଭାରତ ଅଂଶ ଗ୍ରହଣ କରିବାର ଯୋଗ୍ୟତା ଲାଭ କରି ନାହିଁ। ହେଲେ ସେହି ମସ୍କୋରେ ଆୟୋଜିତ ଆଉ ଏକ ଫୁଟ୍ବଲ୍ ବିଶ୍ୱକପ୍ରେ ଭାରତୀୟ ପ୍ରତିଯୋଗୀମାନେ ନିଜ କମାଲ ସାରା ବିଶ୍ୱକୁ ଦେଖାଇଛନ୍ତି। ଭାରତୀୟ ବାଳିକା ଦଳ ମସ୍କୋରେ ଆୟୋଜିତ ‘ବସ୍ତିପିଲା ବିଶ୍ୱକପ୍’ ବା ଷ୍ଟ୍ରିଟ୍ ଚାଇଲ୍ଡ ଫୁଟବଲ୍ ବିଶ୍ୱକପ୍ରେ ଅଂଶ ଗ୍ରହଣ କରି ଇତିହାସ ରଚିଛି। ଚେନ୍ନାଇର କରୁଣାଳୟ ନାମକ ଏକ ସ୍ୱେଚ୍ଛାସେବୀ ସଂଗଠନ ଏହି ପିଲାମାନଙ୍କୁ ମସ୍କୋ ନେବାରେ ପ୍ରମୁଖ ଭୂମିକା ତୁଲାଇଥିଲା। ଅର୍ଥଭାବରୁ ନବମ ଶ୍ରେଣୀରୁ ପାଠ ଛାଡ଼ି ଦେଇଥିବା ସଂଗୀତା ନାମକ ଚେନ୍ନାଇର ଜଣେ ଦିନ ମଜୁରିଆ ଓ ବସ୍ତିପିଲା ଭାରତୀୟ ଦଳର ନେତୃତ୍ୱ ନେଇଥିଲେ। ଦୁଇ ଓଳି ଦୁଇ ମୁଠା ଖାଇବାକୁ ପାଉ ନଥିବା ଏହି ପିଲାମାନେ ମସ୍କୋରୁ ଫେରିବା ପରେ ଏବେ ନିଜ ଭବିଷ୍ୟତକୁ ନେଇ ସୁନେଲି ସ୍ୱପ୍ନ ଦେଖିବା ଆରମ୍ଭ କରିଛନ୍ତି। ଫୁଟ୍ବଲ୍ ଦୁନିଆରେ କିଛି କରିବାକୁ ଲକ୍ଷ୍ୟ ରଖିଛନ୍ତି। ବସ୍ତିପିଲାଙ୍କ ବିଶ୍ୱକପ୍ ତୃତୀୟ ଥର ପାଇଁ ଆୟୋଜିତ ହେଉଥିଲା ବେଳେ ଏଥିରେ ୨୪ ଦଳ ଅଂଶ ଗ୍ରହଣ କରିଥିଲେ। ଭାରତ ୫ ମ୍ୟାଚ୍ ଖେଳି ଗୋଟିକରେ ବିଜୟ ଲାଭ କରିଥିଲା।