ପ୍ରାରମ୍ଭିକ ଯୋଡ଼ି ବ୍ୟାଟିଂ ସହଜ କରିଥିଲେ : ସୁନୀଲ ଗାଭାସ୍କର

ଲର୍ଡସ ଟେଷ୍ଟ୍‍ ପରାଜୟ ପରେ ଭାରତ ଚମତ୍କାର ଢ଼ଙ୍ଗରେ ପ୍ରତ୍ୟାବର୍ତନ କରିଛି। ଟ୍ରେଣ୍ଟ୍‌ବି୍ରଜ୍‌ ଟେଷ୍ଟ୍‍କୁ ନିଜ୍‌ କବ୍‌ଜାକୁ ନେଇଛି ଏବଂ ସଅଳ ହେଉ କି ଡେରି ଭାରତ ବିଜୟୀ ହେବା କଥା। ଟସ୍‌ ଜିତି ବ୍ୟାଟିଂ ପାଇଥିବାରୁ ଭାରତ ମଧ୍ୟ ଇଂଲଣ୍ଡ ଅଧିନାୟକ ଜୋ ରୁଟ୍‌ଙ୍କୁ ଧନ୍ୟବାଦ ଦେବା କଥା। ପ୍ରଥମ ଦୁଇ ଟେଷ୍ଟ୍‍ରେ ପରାଜୟ ପରେ ଭାରତୀୟମାନେ ସୁଇଙ୍ଗ୍‌ ବଲ୍‌କୁ ଭଲରେ ଖେଳିପାରିବେ ନାହିଁ ବୋଲି ସେ ଧାରଣା ରଖିଥିଲେ। ବିରାଟ କୋହଲି କିନ୍ତୁ ଉଭୟ ପାଳିରେ ଜ୍ୱଳନ୍ତା ପାଳି ଖେଳିଛନ୍ତି।
ଟ୍ରେଣ୍ଟବ୍ରିଜ୍‌ରେ ଭାରତୀୟ ଖେଳାଳି ସଙ୍କଳ୍ପବଦ୍ଧ ଭାବେ ଖେଳିଛନ୍ତି। ବଲ୍‌ ସୁଇଙ୍ଗ୍‌ କରିବା ସତ୍ତ୍ୱେ ପ୍ରାରମ୍ଭିକ ଯୋଡ଼ି ଉଭୟ ପାଳିରେ ଅର୍ଧଶତକ ଭାଗୀଦାରି ଦେଇଛନ୍ତି। କଠିନ ପରିଶ୍ରମ କରିବା ସତ୍ତ୍ୱେ ଧାଓ୍ଵନ ଓ ରାହୁଲ ଦ୍ୱିତୀୟ ପାଳିରେ ଆଉଟ୍‌ ହୋଇ ନିଜକୁ ଦୋଷ ଦେଉଥିବେ। କିନ୍ତୁ ସେମାନଙ୍କ ପ୍ରୟାସ ହିଁ ପ୍ରଥମ ପାଳିରେ କୋହଲି-ରାହାଣେ ଏବଂ ଦ୍ୱିତୀୟରେ ପୂଜାରା-କୋହଲିଙ୍କ ବ୍ୟାଟିଂକୁ ସହଜ କରିଥିଲା। ପୂଜାରାଙ୍କ ପ୍ରୟାସ ତାଙ୍କ ଖେଳ ଜୀବନକୁ ସମ୍ଭବତଃ ବଞ୍ଚାଇ ଦେଇଛି। ଏଠି ବିଫଳ ହୋଇଥିଲେ ସେ ସମ୍ଭବତଃ ବଳି ପଡ଼ିଥାନ୍ତେ। ରବିବାର ମଧ୍ୟାହ୍ନ ଭୋଜନ ପରେ ଭାରତୀୟ ବୋଲରମାନେ ଚମତ୍କାର ପ୍ରତ୍ୟାବର୍ତନ କରି ଇଂଲଣ୍ଡକୁ ଧୂଳିସାତ୍‌ କରିଥିଲେ। ଗୋଟିଏ ଅଧିବେଶନ ଭିତରେ ହିଁ ଇଂଲଣ୍ଡ ସମସ୍ତ ୧୦ ଓ୍ଵିକେଟ୍‌ ହରାଇଥିଲା। ହାର୍ଦିକ ପାଣ୍ଡ୍ୟା ଅଫଷ୍ଟମ୍ପ୍‌ ଲାଇନ୍‌ରେ ବୋଲିଂ କରି ପ୍ରଥମ ଥର ୫ ଓ୍ଵିକେଟ୍‌ ନେଇଥିଲେ। ଜନି ବେୟାରଷ୍ଟୋଙ୍କୁ ସେ ଯେଉଁ ବଲ୍‌ରେ ଆଉଟ୍‌ କଲେ, ତାହା ମୁକ୍ତାଭଳି ଥିଲା। ଭାରତ ଏବେ ମ୍ୟାଚ୍‌ ସହିତ ଶୃଙ୍ଖଳା ଜିତିବା ଲକ୍ଷ୍ୟରେ ରହିବା ଉଚିତ୍‌। (ପିଏମ୍‌ଜି/ଇଏସ୍‌ପି)

ସମ୍ବନ୍ଧିତ ଖବର