ବାଙ୍ଗାଲୋର ଓପିଏଲ୍‌ ଆରମ୍ଭ: କେନ୍ଦ୍ରାପଡ଼ା, ଚିଲିକା, କଟକ ବିଜୟୀ

ଭୁବନେଶ୍ୱର: ଓଡ଼ିଶା ୟୁଥ୍‌ ବାଙ୍ଗାଲୋର ଆନୁକୂଲ୍ୟରେ ଓଡ଼ିଶା ପ୍ରିମିୟର ଲିଗ୍‌ (ଓପିଏଲ୍‌) କ୍ରିକେଟ୍‌ ଆରମ୍ଭ ହୋଇଛି। ଏଥେନା ସ୍ପୋର୍ଟସ୍‌ କ୍ଲବ୍‌ ପଡ଼ିଆରେ ଏହି ପ୍ରତିଯୋଗିତାକୁ କର୍ଣ୍ଣାଟକ କଂଗ୍ରେସ ପ୍ରଦେଶ କମିଟି ସାଧାରଣ ସଂପାଦକ ଏସି ଶ୍ରୀନିବାସ ଉଦ୍‌ଘାଟନ କରିଥିଲା ବେଳେ ସଞ୍ଜତ ପଟ୍ଟନାୟକ, ଓପିଏଲ୍‌ ଅଧ୍ୟକ୍ଷ ସୀତାଂଶୁ ମହାପାତ୍ର, ଓଡ଼ିଶା ୟୁଥ୍‌ ସଭାପତି ଭରତ ମହାପାତ୍ର, ସନ୍ତୋଷ କୁମାର ଆଚାର୍ଯ୍ୟ, ପ୍ରତିଯୋଗିତା ଦୂତ ମାନସ ମହାପାତ୍ର, ସଞ୍ଜୀବ ମଲ୍ଲିକ, ସୁନୀଲ ନାୟକ ପ୍ରମୁଖ ଅତିଥି ଭାବେ ଯୋଗଦେଇଥିଲେ।

ପ୍ରଥମ ଦିବସରେ ୩ ମ୍ୟାଚ୍‌ ଖେଳାଯାଇଥିଲା ବେଳେ ଓଡ଼ିଶା ରଣଜୀ ତାରକା ନଟରାଜ ବେହେରା, ବିପ୍ଳବ ସାମନ୍ତରାୟ, ଶୁଭ୍ରାଂଶୁ ସେନାପତି, ରାଜେଶ ଧୂପର ମୁଖ୍ୟ ଆକର୍ଷଣ ରହିଥିଲେ। ସେହିପରି କର୍ଣ୍ଣାଟକ ପ୍ରିମିୟର ଲିଗ୍‌ ଖେଳିଥିବା ଦୀକ୍ଷାଂଶୁ ନେଗୀ, ମହମ୍ମଦ ଟହା, ଷ୍ଟାଲିନ୍‌ ହୁଭର ମଧ୍ୟ ଓପିଏଲ୍‌ ଖେଳୁଛନ୍ତି। ପ୍ରଥମ ମ୍ୟାଚ୍‌ରେ କଟକ ବାରବାଟୀ ସୁପର କିଙ୍ଗ୍‌ସ (୨୦ ଓଭରରେ ୧୩୪/୯)କୁ ୩ ଓ୍ଵିକେଟ୍‌ରେ କେନ୍ଦ୍ରାପଡ଼ା ଡ୍ରାଗନ୍‌ସ (୧୯.୫ ଓଭରରେ ୧୩୫/୮) ପରାସ୍ତ କରିଛି। ଜ୍ୟୋତି ପ୍ରକାଶ (୪-୦-୨୩-୩) ମ୍ୟାଚ୍‌ର ଶ୍ରେଷ୍ଠ ଖେଳାଳି ପୁରସ୍କାର ପାଇଥିଲେ। ହେଲେ ପରେ କଟକ ଦଳ ଆଉ ଏକ ମ୍ୟାଚ୍‌ ଖେଳି ବିଜୟୀ ହୋଇଥିଲା।

ଦ୍ୱିତୀୟ ମ୍ୟାଚ୍‌ରେ ଭଦ୍ରକ ବ୍ଲାକ୍‌ କ୍ୟାପ୍‌ ବିପକ୍ଷରେ ଚିଲିକା ଏକାଦଶ ୮୯ ରନ୍‌ରେ ବିଜୟୀ ହୋଇଛି। ଚିଲିକା ଏକାଦଶର ୧୯୬/୭ (୨୦ ଓଭରରେ) ଜବାବରେ ଭଦ୍ରକ ଦଳ ୧୦୭ ରନ୍‌ରେ ସମସ୍ତ ଓ୍ଵିକେଟ୍‌ ହରାଇଥିଲା। ୪୨ ବଲ୍‌ରୁ ୮୨ ରନ୍‌ କରିଥିବା ନିଶାନ୍ତ ମ୍ୟାଚ୍‌ର ଶ୍ରେଷ୍ଠ ଖେଳାଳି ହୋଇଥିଲେ। ତୃତୀୟ ମ୍ୟାଚ୍‌ରେ କଟକ ବାରବାଟୀ ଦଳ ୮୩ ରନ୍‌ରେ ପୁରୀ ରାଇଜିଂ ଷ୍ଟାର୍‌ସକୁ ପରାସ୍ତ କରିଥିଲା। କଟକ ୧୫ ଓଭରରେ ୧୩୮/୭ କରିଥିଲା ବେଳେ ଜବାବରେ ପୁରୀ ଦଳ ୧୩ ଓଭରରେ ୫୫ ରନ୍‌ରେ ସବୁ ଓ୍ଵିକେଟ୍‌ ହରାଇଥିଲା। ଅବିନାଶ ବେହେରା (୩ ଓଭରରେ ୬ ରନ୍‌ ୪ ଓ୍ଵିକେଟ୍‌) ମ୍ୟାଚ୍‌ର ଶ୍ରେଷ୍ଠ ଖେଳାଳି ବିବେଚିତ ହୋଇଥିଲେ।

ସମ୍ବନ୍ଧିତ ଖବର