ଫାଜା ଦୁବାଇ ପାରା ବ୍ୟାଡ୍‌ମିଣ୍ଟନ ସେମିରେ ପ୍ରମୋଦ

ଭୁବନେଶ୍ବର : ଦୁବାଇରେ ଚାଲିଥିବା ଫାଜା ଦୁବାଇ ପାରା ବ୍ୟାଡ୍‌ମିଣ୍ଟନ ପ୍ରତିଯୋଗିତାର ପୁରୁଷ ଏକକ ଏସ୍‌ଏଲ୍‌-୩ ସେମିଫାଇନାଲ୍‌ରେ ଓଡ଼ିଆ ତାରକା ପ୍ରମୋଦ ଭଗତ ପହଞ୍ଚି ଯାଇଛନ୍ତି। ଶୁକ୍ରବାର କ୍ବାର୍ଟର ଫାଇନାଲ୍‌ରେ ପ୍ରମୋଦ ୧୮-୨୧, ୨୧-୧୫, ୨୧-୧୧ରେ ନିଜ ଦେଶର ନେହାଲ ଗୁପ୍ତାଙ୍କୁ ପରାସ୍ତ କରିଥିଲେ। ଏଥି ସହିତ ପ୍ରମୋଦ ମଧ୍ୟ ପଦକ ପକ୍କା କରିଛନ୍ତି। ଶନିବାର ସେମିଫାଇନାଲରେ ସେ ଜାପାନର ଦାଇସୁକେ ଫୁଜିହରାଙ୍କୁ ଭେଟିବେ। ତେବେ ମିଶ୍ରିତ ଯୁଗଳ କ୍ବାର୍ଟର ଫାଇନାଲ୍‌ରେ ପ୍ରମୋଦ ଓ ତାଙ୍କ ଭାରତୀୟ ସାଥୀ ମନୀଷା ରାମଦାସ ୨୧-୧୨, ୧୬-୨୧, ୧୯-୨୧ରେ ଅନ୍ୟ ଏକ ଭାରତୀୟ ଯୋଡ଼ି ଋଥିକ ରଗୁପଥୀ ଓ ମାନସୀ ଯୋଷୀଙ୍କଠୁ ହାରି ଯାଇଥିଲେ।

ଅନ୍ୟପକ୍ଷରେ ଦୀପରଞ୍ଜନ ବିଷୋୟୀ ଏସ୍‌ଏଲ୍‌-୪ ବର୍ଗ ଏକକ ପ୍ରିକ୍ବାର୍ଟର ଫାଇନାଲ୍‌ରେ ହାରି ବିଦାୟ ନେଇଛନ୍ତି। ସେ ଇଣ୍ଡୋନେସିଆର ହିକ୍‌ମତ ରାମଦାନିଙ୍କଠାରୁ ୮-୨୧ ଓ ୧୨-୨୧ରେ ପରାସ୍ତ ହୋଇଥିଲେ।

ସମ୍ବନ୍ଧିତ ଖବର