ଖେଳରତ୍ନ ପାଇଁ ପ୍ରମୋଦଙ୍କ ନାଁ ସୁପାରିସ କଲେ ପିଏସ୍‌ଏଓ ଓ ରାଜ୍ୟ ସରକାର

ଦୀପଗ୍ରେସ୍ ବି ଅର୍ଜୁନ ଦୌଡ଼ରେ ସାମିଲ

ଭୁବନେଶ୍ବର: ପାରା ସ୍ପୋର୍ଟ୍ସ ଏସୋସିଏସନ୍‌ ଅଫ୍‌ ଓଡ଼ିଶା (ପିଏସ୍‌ଏଓ) ବିଶ୍ବର ଏକ ନମ୍ବର ପାରା ବ୍ୟାଡ୍‌ମିଣ୍ଟନ ଖେଳାଳି ଓଡ଼ିଆ ପୁଅ ପ୍ରମୋଦ ଭଗତଙ୍କ ନାଁ ସମ୍ମାନଜନକ ରାଜୀବ ଗାନ୍ଧି ଖେଳ ରତ୍ନ ପୁରସ୍କାର ଲାଗି ସୁପାରିସ କରିଛି। ଗତ ୪ ବର୍ଷ (୨୦୧୭-୨୦୨୧) ମଧ୍ୟରେ ପ୍ରମୋଦ ମୋଟ ୩୬ ଅନ୍ତର୍ଜାତୀୟ ପଦକ କରିଛନ୍ତି। ଏଥିରେ ଦୁଇଟି ବିଶ୍ବ ଚାମ୍ପିଅନ୍‌ସିପ୍‌ ଏବଂ ଗୋଟିଏ ଏସୀୟ ପାରା କ୍ରୀଡ଼ା ସ୍ବର୍ଣ୍ଣ ପଦକ ରହିଛି। ୫ ଥରର ବିଶ୍ବ ବିଜେତା ପ୍ରମୋଦ ୨୦୧୯ରେ ଅର୍ଜୁନ ପୁରସ୍କାର ପାଇଥିଲେ। ତାଙ୍କ ପ୍ରଦର୍ଶନ ଯେପରି ରହିଛି ଚଳିତ ବର୍ଷ ଟୋକିଓ ପାରାଲିମ୍ପିକ୍ସରେ ସେ ଭାରତ ପାଇଁ ପଦକ ଜିତିବାର ସମ୍ଭାବନା ଅଧିକ ରହିଛି। ଯଦି ପାରାଲିମ୍ପିକ୍ସ ପୂର୍ବରୁ ଏହି ସମ୍ମାନଜନକ ପୁରସ୍କାର ତାଲିକାରେ ପ୍ରମୋଦଙ୍କ ନାଁ ରହେ ତେବେ ଟୋକିଓରେ ପଦକ ଜିତିବ‌ା ଲାଗି ତାଙ୍କ ଆତ୍ମବଳ ଆହୁରି ବଢ଼ିଯିବ ବୋଲି ପିଏସ୍‌ଏଓ ସମ୍ପାଦକ ଲୋକନାଥ ମହନ୍ତି ଆଶାବ୍ୟକ୍ତ କରିଛନ୍ତି।

ଦୀପଗ୍ରେସ୍ ବି ଅର୍ଜୁନ ଦୌଡ଼ରେ ସାମିଲ
ପାରାବ୍ୟାଡମିଣ୍ଟନ୍ ତାରକା ପ୍ରମୋଦ ଭଗତଙ୍କ ସହ ଭାରତୀୟ ମହିଳା ହକି ଦଳର ଉପଅଧିନାୟିକା ଦୀପଗ୍ରେସ୍ ଏକ୍କାଙ୍କ ନାଁ ମଧ୍ୟ ରାଜ୍ୟସରକାର ଯଥାକ୍ରମେ ଦେଶର ସର୍ବୋଚ୍ଚ କ୍ରୀଡ଼ା ସମ୍ମାନ ରାଜୀବ ଗାନ୍ଧି ଖେଳ ରତ୍ନ ଓ ଅର୍ଜୁନ ପୁରସ୍କାର ଲାଗି ସୁପାରିସ କରିଛନ୍ତି। ରାଜ୍ୟ କ୍ରୀଡ଼ା ଓ ଯୁବ ସେବା ବିଭାଗ ନିଜ ଫେସବୁକ୍‌ ପୃଷ୍ଠାରେ ଏହି ସୂଚନା ଦେଇଛି। ପୂର୍ବରୁ ରାଜ୍ୟ ସରକାର ଦୌଡ଼ରାଣୀ ଦୂତି ଚାନ୍ଦଙ୍କ ନାଁ ରାଜୀବ ଗାନ୍ଧି ଖେଳରତ୍ନ, ଭାରତୀୟ ପୁରୁଷ ହକି ଦଳର ଉପଅଧିନାୟକ ବୀରେନ୍ଦ୍ର ଲାକ୍ରାଙ୍କ ନାଁ ଅର୍ଜୁନ, ଅଲିମ୍ପିଆନ୍ ଅନୁରାଧା‌ ବିଶ୍ବାଳଙ୍କ ନ‌େଁ ଧ୍ୟାନଚାନ୍ଦ ଏବଂ ହକି ପ୍ରଶିକ୍ଷକ କାଳୁ କରଣ ଚୌଧୁରୀଙ୍କ ନାଁ ସମ୍ମାନଜନକ ଦ୍ରୋଣାଚାର୍ଯ୍ୟ ପୁରସ୍କାର ଲାଗି ସୁପାରିସ କରି ସାରିଛନ୍ତି। ଏମାନଙ୍କ ମଧ୍ୟରେ ଦୂତି, ବୀରେନ୍ଦ୍ର ଓ ଦୀପଗ୍ରେସ୍ ଟୋକିଓ ଅଲିମ୍ପିକ୍ସ‌ରେ ଦେଖିବାକୁ ମିଳିବେ। ପ୍ରମୋଦ ମଧ୍ୟ ପରାଲିମ୍ପିକ୍ସରେ ଓଡ଼ିଶାକୁ ପ୍ରଥମ ଅଲିମ୍ପିକ୍ସ ପଦକ ଆଣିବାକୁ ପ୍ରୟାସ କରିବେ।

ସମ୍ବନ୍ଧିତ ଖବର