୧୯୯୮ରେ ହୋଇଥିଲା ଫ୍ରାନ୍‌ସ-ବ୍ରାଜିଲ୍‌ ଫାଇନାଲ୍‌ ଯୋଜନା

ପ୍ଲାଟିନିଙ୍କ ସ୍ୱୀକାର

ରୋମ୍‌: ୧୯୯୮ ଫିଫା ବିଶ୍ୱକପ୍‌ର ଫାଇନାଲ୍‌ରେ ଯେଭଳି ଫ୍ରାନ୍‌ସ ଏବଂ ବ୍ରାଜିଲ୍‌ ମୁହାଁମୁହିଁ ହେବେ ସେଥି ପାଇଁ ପୂର୍ବରୁ ଖସଡ଼ା ପ୍ରସ୍ତୁତ ହୋଇଥିଲା। ଏହା ଆଦୌ ସଂଯୋଗବଶତଃ ନ ଥିଲା, ବରଂ ଖେଳସୂଚୀରେ ଅନୁକମ୍ପାମୂଳକ ଯୋଜନା ରହିଥିଲା। ଏଭଳି ପ୍ରାକ୍‌ ଯୋଜନାକୁ ସ୍ୱୀକାର କରିଛନ୍ତି ପୂର୍ବତନ କିମ୍ବଦନ୍ତୀ ମାଇକେଲ ପ୍ଲାଟିନି। ୧୯୯୮ ମସିହାର ଫିଫା ବିଶ୍ୱକପ୍‌ ଫ୍ରାନ୍‌ସରେ ଆୟୋଜିତ ହୋଇଥିଲା। କିନ୍ତୁ ଦଳର ସୂଚୀ ଉଠାଣ ବେଳେ ଜାଣିଶୁଣି ବ୍ରାଜିଲ୍‌ ଏବଂ ଫ୍ରାନ୍‌ସକୁ ଅଲଗା ଅଲଗା ଗ୍ରୁପ୍‌ରେ ରଖାଯାଇଥିଲା। ଯଦି ସେମାନେ ଜିତନ୍ତି ତେବେ ଫାଇନାଲ୍‌ ପୂର୍ବରୁ ପରସ୍ପରକୁ ଯେଭଳି ନ ଭେଟିବେ ସେ ଖସଡ଼ା ପ୍ରସ୍ତୁତ ହୋଇଥିଲା। ଆୟୋଜକ ଫ୍ରାନ୍‌ସକୁ ଗ୍ରୁପ୍‌ ‘ସି’ରେ ଏବଂ ଦାବିଦାର ବ୍ରାଜିଲ୍‌କୁ ଗ୍ରୁପ୍‌ ‘ଏ’ରେ ସ୍ଥାନିତ କରାଯାଇଥିଲା। ସାଧାରଣତଃ ଆୟୋଜକ ଗ୍ରୁପ୍‌ ‘ଏ’ରେ ରହିଥାନ୍ତି ଏବଂ ଅନ୍ୟ ସବୁ ଦଳ ଆବଣ୍ଟନ ବିନା ଆଧାରରେ କରାଯାଏ। କିନ୍ତୁ ସେଥର ଉଭୟ ଦଳକୁ ଫାଇନାଲ୍‌ ପୂର୍ବରୁ ଅଲଗା ରଖାଯାଇଥିଲା। ଖେଳସୂଚୀ ପ୍ରସ୍ତୁତ ବେଳେ ଆମେ ଟିକିଏ ପରିବର୍ତନ କରିଥିଲୁ’ ବୋଲି ୧୯୯୮ ବିଶ୍ୱକପ୍‌ ଆୟୋଜନ ସମିତିର ସହକାରୀ ଅଧ୍ୟକ୍ଷ ଦାୟିତ୍ୱ ତୁଲାଇଥିବା ପ୍ଲାଟିନି ଏକ ଟିଭି କାର୍ଯ୍ୟକ୍ରମ ଅବସରରେ ସ୍ୱୀକାର କରିିଥିଲେ। ତୁମେ ଯେତେବେଳେ ଘରୋଇ ଦଳ ଏବଂ ୬ ବର୍ଷର ପ୍ରସ୍ତୁତି ପରେ ଖେଳୁଛ କିଛି ତ ଉପଭୋଗ କରିବା କଥା ବୋଲି ପ୍ଲାଟିନି ପ୍ରକାଶ କରିଥିଲେ। ଫ୍ରାନ୍‌ସ ଏବଂ ବ୍ରାଜିଲ୍‌ ଫାଇନାଲ୍‌ ଖେଳନ୍ତୁ ଏହା ସମସ୍ତଙ୍କ ସ୍ୱପ୍ନ ଥିଲା। ପ୍ୟାରିସ୍‌ରେ ଅନୁଷ୍ଠିତ ଫାଇନାଲ୍‌ରେ ଜିନେଦିନ୍‌ ଜିଦାନଙ୍କ ଯୁଗଳ ଗୋଲ୍‌ ବଳରେ ଲେସ୍‌ ବ୍ଲିଉସ୍‌ (ଫ୍ରାନସ) ଦଳ ଦକ୍ଷିଣ ଆମେରିକୀୟ ପ୍ରତିଦ୍ୱନ୍ଦ୍ୱୀ ବ୍ରାଜିଲ୍‌କୁ ୩-୦ରେ ହରାଇ ଦେଇଥିଲା। ପ୍ଲାଟିନି ଏହା ପରେ ୟୁଫା ସଭାପତି ପାଲଟିଥିଲେ। ଏବେ କିନ୍ତୁ ଫୁଟ୍‌ବଲ୍‌ ସ୍କାଣ୍ଡାଲ୍‌ ପାଇଁ ଦୋଷୀ ସାବ୍ୟସ୍ତ ହୋଇ ନିର୍ବାସନରେ ଅଛନ୍ତି।

ସମ୍ବନ୍ଧିତ ଖବର