ରାଜସ୍ଥାନ ଦୌଡ଼ରେ ରହିଲା: ହାଇଦ୍ରାବାଦର ଷଷ୍ଠ ପରାଜୟ

ଜୟପୁର: ଶନିବାର ଆଇପିଏଲ୍‌ର ୪୫ତମ ମ୍ୟାଚ୍‌ରେ ପୂର୍ବ ବିଜେତା ରାଜସ୍ଥାନ ରୟାଲ୍ସ ୭ ୱିକେଟ୍‌ରେ ସନ୍‌ରାଇଜର୍ସ ହାଇଦ୍ରାବାଦକୁ ପରାସ୍ତ କରିଛି। ତା’ ସହ ନିଜ ପ୍ଲେ ଅଫ୍ ଖେଳିବା ଆଶା ଉଜ୍ଜୀବିତ ରଖିଛି। ରାଜସ୍ଥାନ ଏବେ ୧୨ ମ୍ୟାଚ୍‌ରୁ ପଞ୍ଚମ ବିଜୟ ସହ ୧୦ ପଏଣ୍ଟ ପାଇ ଷଷ୍ଠ ସ୍ଥାନକୁ ଉନ୍ନୀତ ହୋଇଛି। ସେପଟେ ହାଇଦ୍ରାବାଦ ଏକାଦଶ ମ୍ୟାଚ୍‌ରୁ ଷଷ୍ଠ ପରାଜୟ ବରଣ କରିଛି। ଫଳରେ ସେହି ୧୦ ପଏଣ୍ଟ ସହ ଚତୁର୍ଥ ସ୍ଥାନରେ ସ୍ଥିର ରହିଛି। ପୂର୍ବରୁ ୧୧ ମ୍ୟାଚ୍ ଖେଳି ମାତ୍ର ୪ ବିଜୟ ହାସଲ କରିଥିବା ରାଜସ୍ଥାନ ଶନିବାର ପରାଜିତ ହୋଇଥିଲେ ପ୍ଲେ ଅଫ୍ ଦୌଡ଼ରୁ ଏକପ୍ରକାର ବାଦ ପଡ଼ିଯାଇଥାଆନ୍ତା। ୧୬୧ ରନ୍‌ର ବିଜୟ ଲକ୍ଷ୍ୟ ନେଇ ଖେଳିଥିବା ରାଜସ୍ଥାନ ପାଇଁ ବିଦେଶୀ ଖେଳାଳି ଲିଆମ ଲିଭିଙ୍ଗଷ୍ଟୋନ୍ ଓ ଅଜିଙ୍କ୍ୟ ରାହାଣେ (୩୯ ରନ୍, ୩୪ ବଲ୍, ୪‌ ଚୌକା, ୧ ଛକା) ଦୃଢ଼ ମୂଳଦୁଆ ପକାଇଥିଲେ। ଏହା ପରେ ସଞ୍ଜୁ ସାମସନ୍ ଦ୍ରୁତ ୪୮* (୩୨ ବଲ୍, ୪ ଚୌକା, ୧ ଛକା) ରନ୍ କରି ମହତ୍ବପୂର୍ଣ୍ଣ ବିଜୟ ଉପହାର ଦେଇଥିଲେ। ରାଜସ୍ଥାନ ୧୯.୧ ଓଭରରେ ୩ ୱିକେଟ୍ ହରାଇ ସହଜରେ ମ୍ୟାଚ୍ ଜିତି ନେଇଥିଲା। ଦ୍ରୁତ ବୋଲର ଜୟଦେବ ଉନାଦକଟଙ୍କୁ ମ୍ୟାଚ୍‌ର ଶ୍ରେଷ୍ଠ ଖେଳାଳି ପୁରସ୍କାର ମିଳିଥିଲା।

ଶନିବାର ରାଜସ୍ଥାନ ଟସ୍ ଜିତି ହାଇଦ୍ରାବାଦକୁ ବ୍ୟାଟିଂ ପାଇଁ ଆମନ୍ତ୍ରଣ କରିଥିଲା। ଉପରେ ଡେଭିଡ୍ ୱାର୍ନର (୩୭ ରନ୍, ୩୨ ବଲ୍) ଓ ମନୀଷ ପାଣ୍ଡେ (୬୧ ରନ୍, ୩୬ ବଲ୍, ୯ ଚୌକା) ଏବଂ ତଳେ ରସିଦ ଖାନ୍ (୧୭* ରନ୍, ୮ ବଲ୍, ୧ ଚୌକା, ୧ ଛକା)ଙ୍କ ଛଡ଼ା ଅନ୍ୟ କୌଣସି ହାଇଦ୍ରାବାଦ ବ୍ୟାଟ୍ସମ୍ୟାନ୍ କିନ୍ତୁ ବଡ଼ ସ୍କୋର କରି ପାରି ନଥିଲେ। ଅଧିନାୟକ କେନ୍ ୱିଲିୟମସନ୍ (୧୩ ରନ୍, ୧୪ ବଲ୍, ୨ ଚୌକା) ଦଳୀୟ ସ୍କୋର ୨୮ରେ ଆଉଟ୍ ହେବା ପରେ ପାଣ୍ଡେଙ୍କ ସହ ମିଶି ୱାର୍ନର ପାଳି ସଜାଡ଼ିବା ଆରମ୍ଭ କରିଥିଲେ। ଏପରିକି ଦୁର୍ଦ୍ଧର୍ଷ ବ୍ୟାଟିଂ ପାଇଁ ପରିଚିତ ଏହି ଅଷ୍ଟ୍ରେଲୀୟ ତାରକା ନିଜ ପାଳି ମଧ୍ୟରେ ଗ‌ୋଟିଏ ହେଲେ ବି ଚୌକା ଛକା ମାରି ନଥିଲେ। ଧିରେ ଧିରେ ସେ ରନ୍ ହାର ବଢ଼ାଉଥିଲେ। ହେଲେ ତ୍ରୟୋଦଶ ଓଭରର ପ୍ରଥମ ବଲ୍‌ରେ ପ୍ରତିପକ୍ଷ ଅଧିନାୟକ ଷ୍ଟିଭେନ୍ ସ୍ମିଥ୍ ଏକ ଅବିଶ୍ବସନୀୟ କ୍ୟାଚ୍‌ ନେଇ ତାଙ୍କୁ ପ୍ୟାଭିଲିୟନ ଫେରାଇ ଦେଇଥିଲେ। ଯୋଡ଼ି ଭାଙ୍ଗିବା ପରେ ପାଣ୍ଡେ ମଧ୍ୟ ପଞ୍ଚଦଶ ଓଭରରେ ନିଜ ୱିକେଟ୍ ହରାଇଥିଲେ। ଏହି ଦୁଇ ଜଣଙ୍କ ଆଉଟ୍ ପରେ ହାଇଦ୍ରାବାଦ ପାଳି ଏକପ୍ରକାର ଭୁଶୁଡ଼ି ଯାଇଥିଲା। ମାତ୍ର ୨୬ ରନ୍ ଭିତରେ ହାଇଦ୍ରାବାଦ ୬ ୱିକେଟ୍ ହରାଇଥିଲା। ଏହି ଦଳ ଦେଢ ଶହ ରନ୍ କରିବାକୁ ସଂଘର୍ଷ କରୁଥିଲା ବେଳେ ରସିଦ ୮ ବଲ୍‌ରୁ ୧୭ ରନ୍‌ର ଧୂଆଁଧାର ପାଳି ଖେଳି ହାଇଦ୍ରାବାଦ ସ୍କୋରକୁ ୧୬୦/୮ରେ ପହଞ୍ଚାଇ ଦେଇଥିଲେ।

ସଂକ୍ଷିପ୍ତ ସ୍କୋର: ହାଇଦ୍ରାବାଦ ୨୦ ଓଭରରେ ୧୬୦/୮ ( ମନୀଷ ପାଣ୍ଡେ ୬୧, ଡେଭିଡ୍ ୱାର୍ନର ୩୭, ରସିଦ ଖାନ୍ ୧୭*, ଜୟଦେବ ଉନାଦକଟ ୨/୨୬, ଓସାନେ ଥୋମାସ ୨/୨୮, ଶ୍ରେୟସ୍ ଗୋପାଳ ୨/୩୦, ବରୁଣ ଆରୋନ ୨/୩୬)। ରାଜସ୍ଥାନ ରୟାଲ୍ସ ୧୯.୧ ଓଭରରେ ୧୬୧/୩ (ସଞ୍ଜୁ ସାମସନ୍ ୪୮*, ଲିଆମ ଲିଭିଙ୍ଗଷ୍ଟୋନ୍ ୪୪, ଷ୍ଟିଭେନ୍ ସ୍ମିଥ୍ ୨୨, ସକିବ-ଅଲ୍-ହାସନ ୧/୨୬, ରସିଦ ଖାନ୍ ୧/୩୦, ଖଲିଲ ଅହମ୍ମଦ ୧/୩୩)।

ସମ୍ବନ୍ଧିତ ଖବର