ଭୁବନେଶ୍ବର: ରାମେଶ୍ବର କପ୍ କନିଷ୍ଠ କ୍ରିକେଟ୍ ପ୍ରତିଯୋଗିତାର ତୃତୀୟ ସଂସ୍କରଣରେ ପ୍ରଥମ ଦଳ ଭାବେ ଆୟୋଜକ ରାମେଶ୍ବର ସ୍ପୋର୍ଟିଂ ସେମିଫାଇନାଲ୍ ସ୍ଥାନ ପକ୍କା କରିନେଇଛି। ମଙ୍ଗଳବାର ଖେଳାଯାଇଥିବା ପ୍ରଥମ କ୍ବାର୍ଟର ଫାଇନାଲ୍ରେ ଗତଥର ବିଜେତା ରାମେଶ୍ବର ୧୨୨ ରନ୍ର ବୃହତ୍ ବ୍ୟବଧାନରେ ସହିଦ ସ୍ପୋଟର୍ଟିଂକୁ ପରାସ୍ତ କରିଦେଇଛି। ଟସ୍ ଜିତି ପ୍ରଥମେ ବ୍ୟାଟିଂ ନେଇଥିବା ରାମେଶ୍ବର ସାରାଂଶ କୁମାରଙ୍କ ୪୦, ତନୟ ବିଶ୍ବାଳଙ୍କ ୩୪ ଓ ସ୍ବସ୍ତିକ୍ ସାମଲଙ୍କ ୨୮ ରନ୍ ବଳରେ ନିର୍ଧାରିତ ୪୦ ଓଭରାରେ ୨୨୪ ରନ୍ କରି ସମସ୍ତ ୱିକେଟ୍ ହରାଇଥିଲା। ସହିଦ ସ୍ପୋର୍ଟିଂ ପକ୍ଷରୁ ଆଂଶ ମଲ୍ଲିକ ୫ ୱିକେଟ୍ ସଫଳତା ହାତେଇଥିଲେ। ଜବାବରେ ସହିଦ ସ୍ପୋର୍ଟିଂ ୨୪.୫ ଓଭରରେ ୧୦୨ ରନ୍ କରି ସମସ୍ତ ୱିକେଟ୍ ହରାଇଥିଲା। ଆଂଶ ମଲ୍ଲିକ ୩୭ ରନ୍ କରିଥିଲା ବେଳେ ରାମେଶ୍ବର ପକ୍ଷରୁ ସଫଳ ବୋଲର ଭାବେ ରାଜେଶ ମହାନ୍ତି ଓ ଦିବ୍ୟ ପ୍ରକାଶ ସାହୁ ୩ ଲେଖାଏଁ ୱିକେଟ୍ ଦଖଲ କରିଥିଲେ। ତେବେ ସାରାଂଶ ଓ ଦିବ୍ୟଙ୍କୁ ଯୁଗ୍ମ ଭାବେ ମ୍ୟାଚ୍ର ଶ୍ରେଷ୍ଠ ଖେଳାଳି ପୁରସ୍କାର ମିଳିଥିଲା। ସାମାଜିକ କର୍ମୀ ତଥା ପୂର୍ବତନ ରଣଜୀ ତାରକା ସୁର୍ଯ୍ୟକାନ୍ତ ମହାପାତ୍ର ଏବଂ କ୍ଲବ୍ର ସଂପାଦକ ଦୀପକ ମଙ୍ଗରାଜ ଅତିଥି ଭାବେ ଯୋଗଦେଇ ଏହି ପୁରସ୍କାର ପ୍ରଦାନ କରିଥିଲେ। ସତ୍ୟବ୍ରତ ମହାପାତ୍ର ଓ ତପନ ବେହେରା ମ୍ୟାଚ୍ ପରିଚାଳନା କରିଥିଲେ। ବୁଧବାର ଭୁବନେଶ୍ବରର ଗ୍ରିନ୍ସ ଏକାଡେମି ଓ କଟକର ସୋଲାର କ୍ରିକେଟ୍ କ୍ଲବ୍ ମଧ୍ୟରେ ପ୍ରିକ୍ବାର୍ଟର ଫାଇନାଲ୍ ଖେଳାଯିବ।