ଇନ୍ଦୋର: ସ୍ଥାନୀୟ ହୋଲ୍କର ଷ୍ଟାଡିୟମ୍ରେ ଶୁକ୍ରବାରଠୁ ଆରମ୍ଭ ହୋଇଛି ଚଳିତ ବର୍ଷର ସବୁଠୁ ବଡ଼ ଘରୋଇ ପ୍ରତିଯୋଗିତା ରଣଜୀ ଟ୍ରଫି ଫାଇନାଲ୍ ମୁକାବିଲା। ବିଜେତା ହେବା ପାଇଁ ବିଦର୍ଭ ଓ ଦିଲ୍ଲୀ ମୁହାଁମୁହିଁ ହୋଇଛନ୍ତି। ଟସ୍ ଜିତି ବିଦର୍ଭ ଅଧିନାୟକ ଫୈଜ୍ ଫଜଲ୍ ପ୍ରଥମେ କ୍ଷେତ୍ରରକ୍ଷଣ ନିଷ୍ପତ୍ତି ନେଇଥିଲେ। ପ୍ରଥମ ଓଭରରେ କୁନାଲ୍ ଚାନ୍ଦିଲାଙ୍କୁ ଶୂନରେ ପାଭିଲିୟନ୍ ପଠାଇ ଆଦିତ୍ୟ ଠାକରେ ବିଦର୍ଭ ଅଧିନାୟକଙ୍କ ନିଷ୍ପତ୍ତିକୁ ଯଥାର୍ଥ କରିଥିଲେ। ତେବେ ମଧ୍ୟକ୍ରମରେ ଧ୍ରୁବ ସୋରେଙ୍କ ଅପରାଜିତ ଶତକ ସାଙ୍ଗକୁ ହିମତ ସିଂହଙ୍କ ଅର୍ଧଶତକ ହିଁ ଦିଲ୍ଲୀକୁ ମ୍ୟାଚ୍ରେ ପ୍ରତ୍ୟାବର୍ତନ ସୁଯୋଗ ଦେଇଥିଲା। ଅଧିନାୟକ ରିଷଭ ପନ୍ଥ (୨୧), ଭାରତୀୟ ଦଳକୁ ଫେରିବା ପାଇଁ ସଂଘଷଁ ଚଳାଇଥିବା ଗୌତମ ଗମ୍ଭୀର (୧୫), ନିତିଶ ରାଣା (୨୧) ଓ ମାନନ ଶର୍ମା (୧୩) ଅଧିକ ସମୟ କ୍ରିଜ୍ରେ ତିଷ୍ଠି ପାରିନଥିଲେ। ଫଳରେ ଦିଲ୍ଲୀ ଏକ ସମୟରେ ୯୯ ରନ୍ରେ ୪ ଓ୍ଵିକେଟ୍ ହରାଇ ସଂକଟରେ ପଡ଼ିଥିଲା। ତେବେ ସୋରେ ଓ ହିମତ୍ ପଞ୍ଚମ ଓ୍ଵିକେଟ୍ରେ ୧୦୫ ରନ୍ ଯୋଡ଼ି ଦଳର ସମ୍ମାନ ରଖିଥିଲେ। ସୋରେ ୧୨୩ (୨୫୬ ବଲ୍, ୧୭ ଚୌକା) ରନ୍ କରି ଏକାକି ବିଦର୍ଭ ବୋଲରଙ୍କୁ ଜବାବ ଦେଇ ଚାଲିଥିଲା ବେଳେ ହିମତ ୬୬ (୭୨ ବଲ୍, ୮ ଚୌକା ଓ ୨ ଛକା) ଦ୍ରୁତ ରନ୍ ସଂଗ୍ରହ କରି ପାଭିଲିୟନ୍ ଫେରି ଯାଇଥିଲେ। ବିଦର୍ଭ ପକ୍ଷରୁ ଦୁଇ ପ୍ରାରମ୍ଭିକ ବୋଲର ଆଦିତ୍ୟ ଠାକରେ ଓ ରଜନୀଶ ଗୁରବାଣୀ ୨ ଲେଖାଏଁ ଏବଂ ସିଦ୍ଦେଶ ନେରାଲ ଓ ଅକ୍ଷୟ ଓ୍ଵାଖାରେ ଗୋଟିଏ ଲେଖାଏଁ ଓ୍ଵିକେଟ୍ ନେଇ ବିଦର୍ଭ ସ୍ଥିତି ଦୃଢ଼ କରିଛନ୍ତି। ତେବେ ପ୍ରଥମ ଦିବସ ଷ୍ଟମ୍ପ୍ସ ଅପସାରଣ ବେଳକୁ ଦିଲ୍ଲୀ ୬ ଓ୍ଵିକେଟ୍ ବିନିମୟରେ ୨୭୧ ରନ୍ କରି ସମ୍ମାନ ବଞ୍ଚାଇଛି।