କରାଚୀ : ୱେଷ୍ଟଇଣ୍ଡିଜ୍ର ମହାନ କ୍ରିକେଟର୍ ସାର୍ ଭିଭିଆନ୍ ରିଚାର୍ଡସ ଅତୀତରେ ସଚିନ ତେନ୍ଦୁଲକର ଏବଂ ବିରାଟ କୋହଲିଙ୍କୁ ଢେର ପ୍ରଶଂସା କରିଥିଲେ। ଏବେ ପାକିସ୍ତାନୀ ବ୍ୟାଟର୍ ବାବର ଆଜମଙ୍କୁ ପ୍ରଶଂସାରେ ପୋତି ପକାଇଛନ୍ତି। ଏପରିକି ମହାନ ଆମେରିକୀୟ ମୁଷ୍ଟିଯୋଦ୍ଧା ମହମ୍ମଦ ଅଲୀଙ୍କ ସହ ବାବରଙ୍କୁ ତୁଳନା କରିବାକୁ ପଛାଇନାହାନ୍ତି। ‘ବାବର ମୋତେ ମହମ୍ମଦ ଅଲୀଙ୍କୁ ମନେ ପକାଇ ଦିଅନ୍ତି। ସେ ଜଣେ ଉଚ୍ଚଶ୍ରେଣୀୟ ମୁଷ୍ଟିଯୋଦ୍ଧା। ସେ ତୁରନ୍ତ ତୁମକୁ ଧରାଶାୟୀ କରିବାକୁ ଚାହାଁନ୍ତି ନାହିଁ। କିନ୍ତୁ ମ୍ୟାଚ୍ ଶେଷ ବେଳକୁ ନିଶ୍ଚିତ ବାବର ତୁମକୁ କ୍ଷତବିକ୍ଷତ କରି ଦେଇଥିବେ’ ବୋଲି ରିଚାର୍ଡସ ପ୍ରକାଶ କରିଥିଲେ। ଯେଉଁ ଯୁବ ଖେଳାଳିମାନେ ପ୍ରେରଣା ନେବାକୁ ଚାହାନ୍ତି ସେମାନେ ବାବରଙ୍କୁ ଅନୁସରଣ କରନ୍ତୁ ବୋଲି ରିଚାର୍ଡସ କହିଥିଲେ। ଚଳିତ ବର୍ଷର ଆଇସିସି ଟ୍ବେଣ୍ଟି-୨୦ ବିଶ୍ବକପ୍କୁ ୱେଷ୍ଟଇଣ୍ଡିଜ୍ କିମ୍ବା ପାକିସ୍ତାନ ଜିତିବେ ବୋଲି କହିଥିଲେ।