ଭାରତୀୟ ବ୍ୟାଡ୍‌ମିଣ୍ଟନ୍ ଦଳରେ ଋତୁପର୍ଣ୍ଣା

ଭୁବନେଶ୍ବର: ଓଡ଼ିଶା ବ୍ୟାଡ୍‌ମିଣ୍ଟନ୍ ଜଗତକୁ ସୋମବାର ବଡ଼ ଖୁସି ଖବର ମିଳିଛି। ରାଜ୍ୟର ଏକ ନମ୍ବର ମହିଳା ବ୍ୟାଡ୍‌ମିଣ୍ଟନ୍‌ ତାରକା ଋତୁପର୍ଣ୍ଣା ପଣ୍ଡା ହଂକଂରେ ଚଳିତ ମାସ ୧୯ରୁ ୨୪ ତାରିଖ ପର୍ଯ୍ୟନ୍ତ ଆୟୋଜିତ ହେବାକୁ ଥିବା ବ୍ୟାଡମିଣ୍ଟନ୍ ଏସିଆ ମିଶ୍ରିତ ଦଳଗତ ପ୍ରତିଯୋଗିତା ଲାଗି ଘୋଷିତ ୧୩ ଜଣିଆ ଭାରତୀୟ ଦଳରେ ସ୍ଥାନ ପାଇଛନ୍ତି। ଉଦୀୟମାନ ଖେଳାଳିଙ୍କୁ ଅଧିକ ଅନ୍ତର୍ଜାତୀୟ ଅଭିଜ୍ଞତା ପ୍ରଦାନ କରିବା ଲାଗି ଭାରତୀୟ ବ୍ୟାଡମିଣ୍ଟନ୍ ସଂଘ (ବିଏଆଇ) ଏହି ଦଳରେ ୭ ଜଣ ଯୁବ ତାରକାଙ୍କୁ ସ୍ଥାନ ଦେଇଛି। ଆସାମର ବିସ୍ମୟ ବାଳିକା ଅସ୍ମିତା ଚଲିହା ଏହାର ନେତୃତ୍ବ ଭାର ପାଇଛନ୍ତି। ଗତମାସର ଜାତୀୟ ପ୍ରତିଯୋଗିତା ପ୍ରଦର୍ଶନ ଆଧାରରେ ହିଁ ଭାରତୀୟ ଦଳ ବଛା ଯାଇଥିବା ବିଏଆଇ କହିଛି। ନାଗପୁରର ବୈଷ୍ଣବୀ ଭଲେ, ଶିଖା ଗୌତମ, ଅଶ୍ବିନ କେ ଭଟ୍ଟ, ଆରତି ସାରା ସୁନୀଲ ଓ ୟୁକେ ମିଥୁଲା‌ ମଧ୍ୟ ଦଳରେ ଅଛନ୍ତି। ପୁରୁଷ ବର୍ଗରେ ଏସୀୟ ପ୍ରତିଯୋଗିତା କାଂସ୍ୟ ପଦକ ବିଜୟୀ ଏଚ୍ଏସ୍ ପ୍ରଣୟଙ୍କ ସହ ତିନି ଥର ଜାତୀୟ ବିଜେତା ସୌରଭ ବର୍ମା ରହିଛନ୍ତି। ୬ ଜଣିଆ ପୁରୁଷ ଦଳରେ ବିଶ୍ବ ମାନ୍ୟତାର ୪୫ତମ ସ୍ଥାନରେ ଥିବା ଏମଆର ଅର୍ଜୁନ, ଶ୍ଲୋକ ରାମଚନ୍ଦ୍ରନ୍, ଅର୍ଜୁନ ଜର୍ଜ ଓ ସନୟମ ଶୁକ୍ଳା ରହିଛନ୍ତି। ତାରକା ଖେଳାଳି ସାଇନା ନେହୱାଲ, ପିଭି ସିନ୍ଧୁ ଓ କେ ଶ୍ରୀକାନ୍ତଙ୍କୁ ଇଣ୍ଡିଆନ୍ ଓପନ୍ ପୂର୍ବରୁ ବିଶ୍ରାମ ଦିଆଯାଇଛି। ଏହି ପ୍ରତିଯୋଗିତାରେ ୧୧ ଦଳ ଅଂଶ ଗ୍ରହଣ କରିବେ। ଏହି ଦଳଗୁଡ଼ିକୁ ଚାରିଟି ଗ୍ରୁପରେ ବିଭାଜନ କରାଯାଇଛି। ଚାଇନିଜ୍ ତାଇପେଇ ଓ ସିଙ୍ଗାପୁର ସହ ଭାରତ ବି ଗ୍ରୁପରେ ରହିଛି। ପ୍ରତି ଗ୍ରୁପର ଶୀର୍ଷ ଦୁଇ ଦଳ କ୍ବାର୍ଟର ଫାଇନାଲରେ ପ୍ରବେଶ କରିବେ। ଭାରତ ଗତ ଥର କ୍ବାର୍ଟର ଫାଇନାଲରେ ଥାଇଲାଣ୍ଡଠାରୁ ହାରି ବିଦାୟ ନେଇଥିଲା। ଭାରତୀୟ ଦଳ ପୁରୁଷ: ଏଚଏସ୍ ପ୍ରଣୟ, ସୌରଭ ବର୍ମା, ଏମଆର ଅର୍ଜୁନ, ଶ୍ଲୋକ ରାମଚନ୍ଦ୍ରନ୍, ଅର୍ଜୁନ ଜର୍ଜ, ସନୟମ ଶୁକ୍ଳା। ମହିଳା: ଅସ୍ମିତା ଚଲିହା, ବୈଷ୍ଣବୀ ଭଲେ, ଶିଖା ଗୌତମ, ଅଶ୍ବିନ କେ ଭଟ, ଋତୁପର୍ଣ୍ଣା ପଣ୍ଡା, ଆରତି ସାରା ସୁନୀଲ, ୟୁକେ ମିଥୁଲା। ୧୯୯୯ ମସିହା ମେ ୭ ତାରିଖରେ ଜନ୍ମଗ୍ରହଣ କରିଥିବା କଟକ ଝିଅ ଋତୁପର୍ଣ୍ଣା ହାଇଦ୍ରାବାଦ ସ୍ଥିତ ଗୋପୀଚାନ୍ଦ ବ୍ୟାଡମିଣ୍ଟନ୍ ଏକାଡେମିର ଅନ୍ୟତମ ସଫଳ ଅନ୍ତେବାସୀ ହୋଇଥିଲା ବେଳେ ଇଣ୍ଡୋନେସିଆରେ ଆୟୋଜିତ ଗତ ଏସୀୟ କ୍ରୀଡ଼ାରେ ମଧ୍ୟ ଭାରତର ପ୍ରତିନିଧିତ୍ବ କରିଥିଲେ।

ସମ୍ବନ୍ଧିତ ଖବର