ବୃଦ୍ଧାଶ୍ରମରେ କ୍ରୀଡ଼ା ଦିବସ ପାଳିଲେ ସଚିନ

ମୁମ୍ବାଇ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ‘ଫିଟ୍ ଇଣ୍ଡିଆ’ ଅଭିଯାନର ଉଦଘାଟନ କରିବା ସହ ମାଷ୍ଟର ବ୍ଲା‌ଷ୍ଟର ସଚିନ ତେନ୍ଦୁଲକର ମଧ୍ୟ ଏକ ନୂଆ ଉଦାହରଣ ସୃଷ୍ଟି କରିଛନ୍ତି। ଗୁରୁବାର ବୃଦ୍ଧାଶ୍ରମର ଅନ୍ତେବାସୀଙ୍କ ସହ କ୍ୟାରମ୍ ଖେଳି ସଚିନ ଜାତୀୟ କ୍ରୀଡ଼ା ଦିବସ ପାଳନ କରିଛନ୍ତି। ସେ ମଧ୍ୟ ୧୧୫ତମ ଜୟନ୍ତୀରେ ମହାନ ଖେଳାଳି ତଥା ହକି ଯାଦୁଗର ଧ୍ୟାନଚାନ୍ଦଙ୍କୁ ନିଆରା ଶ୍ରଦ୍ଧାଞ୍ଜଳି ଦେଇଛନ୍ତି। ସଚିନ ବାନ୍ଦ୍ରା ଅଞ୍ଚଳରେ ଥିବା ବୃଦ୍ଧାଶ୍ରମରେ କ୍ୟାରମ୍ ଖେଳୁଥିବା ବୟସ୍କ ମହିଳାଙ୍କୁ ଉତ୍ସାହିତ କରୁଥିବାର ୪୫ ସେକେଣ୍ଡ ଭିଡିଓକୁ ନିଜ ଟ୍ବିଟର ପୃଷ୍ଠାରେ ସ୍ଥାନ ଦେଇଛନ୍ତି। ଏହା ତଳେ ସଚିନ ଲେଖିଛନ୍ତି ଯେ ସେଣ୍ଟ ଆନ୍ଥୋନି ବୃଦ୍ଧାଶ୍ରମର ଚମତ୍କାର ମହିଳା ଅନ୍ତେବାସୀଙ୍କ ସହ କିଛି ସମୟ କଟାଇଲି। କ୍ୟାରମ୍ ଖେଳିବା ନେଇ ସେମାନଙ୍କ ଉତ୍ସାହର କୌଣସି ସୀମା ନାହିଁ। ସଚିନ ମଧ୍ୟ ଫିଟ୍ ଇଣ୍ଡିଆ ଅଭିଯାନକୁ ପ୍ରଶଂସା କରିଛନ୍ତି। ତାଙ୍କ ସହ କେନ୍ଦ୍ର କ୍ରୀଡ଼ାମନ୍ତ୍ରୀ କିରଣ ରିଜିଜୁ ଓ ପୂର୍ବତନ କ୍ରିକେଟର ବୀରେନ୍ଦ୍ର ସେହବାଗଙ୍କ ସହ ସାରା ଦେଶର କ୍ରୀଡ଼ାପ୍ରେମୀ ଜାତୀୟ କ୍ରୀଡ଼ାରେ ଭାରତୀୟ ହକିର କିମ୍ବଦନ୍ତୀ ପୁରୁଷ ମେଜର ଧ୍ୟାନଚାନ୍ଦଙ୍କୁ ଶ୍ରଦ୍ଧାଞ୍ଜଳି ଜ୍ଞାପନ କରିଥିଲେ।

ସମ୍ବନ୍ଧିତ ଖବର