ସଚିନ ତେନ୍ଦୁଲକରଙ୍କ ଫ୍ୟାନ୍‌ ନମ୍ବର ୧ ସୁଧୀର ଗୌତମଙ୍କ ମନକଥା: ‘ଅର୍ଜୁନଙ୍କୁ ନେଇ ଅଯଥା ବିବାଦ ନହେଉ’

ରାଉରକେଲା: କ୍ରିକେଟ୍‌ର ଭଗବାନ ସଚିନ ତେନ୍ଦୁଲକରଙ୍କ ଦେଶ ଓ ଦେଶ ବାହାରେ କୋଟି କୋଟି ପ୍ରଶଂସକ ଅଛନ୍ତି। ତେବେ ସଚିନଙ୍କ ନମ୍ବର ୧ ଫ୍ୟାନ୍‌ କହିଲେ ବିହାରର ମୂଳବାସିନ୍ଦା ସୁଧୀର ଗୌତମଙ୍କୁ ବୁଝାଏ। ମାଷ୍ଟର ବ୍ଲାଷ୍ଟରଙ୍କ ପାଖାପାଖି ଅଧିକାଂଶ ମ୍ୟାଚ୍‌ ଏବଂ ସେ ଅବସର ନେବାପରେ ଭାରତୀୟ କ୍ରିକେଟ୍‌ ଦଳକୁ ସମର୍ଥନ ଜଣାଇବାକୁ ନିୟମିତ ଷ୍ଟାଡିୟମ୍‌ରେ ପହଞ୍ଚିଯା’ନ୍ତି ସୁଧୀର। ଏ ପର୍ଯ୍ୟନ୍ତ ଷ୍ଟାଡିୟମ୍‌ରେ ବସି ୩୨୪ ଦିନିକିଆ, ୭୮ ଟେଷ୍ଟ୍‌ ଓ ୭୯ ଆଇପିଏଲ୍‌ ମ୍ୟାଚ୍‌ ଦେଖି ସାରିଲେଣି ସେ। ଏପରିକି ସଚିନଙ୍କ ତିନିଟି ରଣଜୀ ମ୍ୟାଚ୍‌କୁ ମଧ୍ୟ ଷ୍ଟାଡିୟମ୍‌ ଗ୍ୟାଲେରିରୁ ଦେଖିଛନ୍ତି ସୁଧୀର। ହାତରେ ଶଙ୍ଖ ଓ ଜାତୀୟ ପତାକା ଧରି ଷ୍ଟାଡିୟମ୍‌ରେ ସୁଧୀରଙ୍କ ଉପସ୍ଥିତି, ସମସ୍ତଙ୍କ ଦୃଷ୍ଟି ଆକର୍ଷଣ କରିଥାଏ। ଠିକ୍‌ ସେହିଭଳି ରାଉରକେଲାବାସୀଙ୍କ ଦୃଷ୍ଟିର ଆକର୍ଷଣ ପାଲଟିଥିଲେ ଏହି କୌତୁକିଆ ବେଶଧାରୀ ସଚିନପ୍ରେମୀ। ସ୍ଥାନୀୟ କୋଏଲନଗରରେ ଏକ ବେସରକାରୀ ପ୍ରତିଷ୍ଠାନର ଉଦ୍‌ଘାଟନ ପାଇଁ ପ୍ରଥମ ଥର ରାଉରକେଲା ଆସିଥିଲେ ସୁଧୀର। ଏହି ଅବସରରେ ତାଙ୍କ ସହ ସାକ୍ଷାତକାର କରିଥିଲେ ଦେବବ୍ରତ ଗଡ଼ତିଆ…

ସମ୍ବାଦ: ସଚିନଙ୍କ ପ୍ରତି ଆକୃଷ୍ଟ ହେଲେ କେମିତି?
ସୁଧୀର: ସଚିନ ତେନ୍ଦୁଲକରଙ୍କୁ ଟିଭି ପରଦାରେ ଦେଖି ମୁଁ କ୍ରିକେଟ୍‌ ଖେଳିବା ଆରମ୍ଭ କରିଥିଲି। ତାଙ୍କର ବ୍ୟାଟିଂ ଷ୍ଟାଇଲ୍‌ ହିଁ ମୋତେ କ୍ରିକେଟ୍‌ ପ୍ରତି ଆକୃଷ୍ଟ କରିଥିଲା। ତେବେ ବ୍ୟକ୍ତିଗତଭାବେ ଏତେ ଭଲ କ୍ରିକେଟ୍‌ ଖେଳିପାରିନଥିଲି, ମାତ୍ର ସଚିନଙ୍କ ପ୍ରତି ଭଲପାଇବା କମିନଥିଲା। ତାଙ୍କୁ ଷ୍ଟାଡିୟମ୍‌ରେ ଖେଳୁଥିବାର ଦେଖିବାକୁ ପ୍ରବଳ ଇଚ୍ଛା ହୋଇଥିଲା। ଘୋର ଆର୍ଥିକ ଅଭାବ ସତ୍ତ୍ବେ ସର୍ବପ୍ରଥମଥର ପାଇଁ ୨୦୦୧ ମସିହାରେ ଷ୍ଟାଡିୟମ୍‌କୁ ଯାଇ ସଚିନଙ୍କୁ ଖେଳୁଥିବା ଦେଖିଥିଲି। ‌ପଡ଼ିଆରେ ସଚିନଙ୍କୁ ଖେଳୁଥିବାର ଦୃଶ୍ୟକୁ ମନେ ପକାଇଲେ ଆଜି ବି ମନରେ ଶିହରଣ ସୃଷ୍ଟି ହୁଏ। ସେହିଦିନଠାରୁ ସଚିନଙ୍କ ଅବସର ପର୍ଯ୍ୟନ୍ତ; ପ୍ରତ୍ୟେକ ମ୍ୟାଚ୍‌ ଦେଖିଛି।

ସମ୍ବାଦ: ପ୍ରଥମଥର ପାଇଁ ସଚିନଙ୍କୁ କେବେ ଭେଟିଥିଲେ?
ସୁଧୀର: ୨୦୦୨ ମସିହାରେ ଷ୍ଟାଡିୟମ୍‌ରେ ମୋ’ର ଉପସ୍ଥିତି ସମସ୍ତଙ୍କ ଦୃଷ୍ଟି ଆକର୍ଷଣ କରିଥିଲା। ବିଭିନ୍ନ ଗଣମାଧ୍ୟମର ପୃଷ୍ଠାମଣ୍ଡନ କରିବାପରେ ମୋ’ ବିଷୟରେ ଅବଗତ ହୋଇଥିଲେ ସଚିନ ତେନ୍ଦୁଲକର। ଏହାର ବର୍ଷକ ପରେ, ଅର୍ଥାତ୍‌ ୨୦୦୩ ମସିହାରେ ସଚିନଙ୍କ ସହ ପ୍ରଥମଥର ପାଇଁ ସାକ୍ଷାତ କରିଥିଲି। ତାଙ୍କୁ ସାମ୍ନାରେ ପାଇ ଖୁସିରେ ଆତ୍ମହରା ହୋଇଯାଇଥିଲି। ସଚିନ ବି ମୋତେ କୁଣ୍ଢେଇ ପକାଇଥିଲେ। ସେହି ଦିନର ଅନୁଭୂତି ବର୍ଣ୍ଣନା କରିବାକୁ ଶବ୍ଦ ନାହିଁ।

ସମ୍ବାଦ: ‌ସଚିନଙ୍କ ପରିବାର ସହିତ ଭଲ ସଂପର୍କ ରହିଥିବାର ଶୁଣାଯାଏ। ଏ ସଂପର୍କରେ କ’ଣ କହିବେ?
ସୁଧୀର: ଏହା ସତ। ସଚିନଙ୍କ ସମେତ ଅଞ୍ଜଳି ଭାଉଜ, ସାରା, ଅର୍ଜୁନଙ୍କ ସହ ସୁସଂପର୍କ ରହିଛି। ଏକାଧିକବାର ତାଙ୍କ ଘରକୁ ଯାଇଛି। ସମସ୍ତ ପରିବାର ସଦସ୍ୟଙ୍କ ସହ ମିଶି ଭୋଜନ କରିବାର ବି ସୌଭାଗ୍ୟ ଜୁଟିଛି। ପ୍ରତିବର୍ଷ ଲିଚି ନେଇକି ତାଙ୍କ ଘରକୁ ଯାଇଥାଏ। ମାତ୍ର ଗତବର୍ଷ କୋଭିଡ ମହାମାରୀ ପାଇଁ ଲିଚି ନେଇକି ଯାଇପାରିନଥିଲି। ଏ ବର୍ଷ ପୁନର୍ବାର ଯିବି।

ସମ୍ବାଦ: ଅର୍ଜୁନ ତେନ୍ଦୁଲକର ଏବେ ପଡ଼ିଆକୁ ଓହ୍ଲାଇବାକୁ ଯାଉଛନ୍ତି। କ’ଣ ଆଶା ରହିଛି?
ସୁଧୀର: ଅର୍ଜୁନ ଜଣେ ଚମତ୍କାର ଅଲରାଉଣ୍ଡର୍‌। ବାମହାତୀ ପେସ୍‌ ବୋଲିଂ ସାଙ୍ଗକୁ ବାମହାତୀ ବ୍ୟାଟିଂ କରୁଥିବା କ୍ବଚିତ ଖେଳାଳି ଅଛନ୍ତି, ଏଣୁ ସେ ନିଶ୍ଚିତଭାବରେ ଆଗକୁ ଭଲ କରିବେ। ଫାଷ୍ଟ୍‌ କ୍ଲାସ୍‌ ମ୍ୟାଚ୍‌ରେ ବି ସେ ଉନ୍ନତମାନର ପ୍ରଦର୍ଶନ କରିଛନ୍ତି। ଗୋଟିଏ ଓଭରରେ ୫ଟି ଛକା ମାରିବାପ‌ରେ ସେ କେତେ ପାରଙ୍ଗମ ତାହା ପ୍ରମାଣିତ କରିଥିଲେ।

ସମ୍ବାଦ: କିନ୍ତୁ ଅର୍ଜୁନଙ୍କୁ ନେଇ ଏବେଠାରୁ ବିବାଦ ଦେଖାଦେଲାଣି?
ସୁଧୀର: ବିବାଦ ନୁହେଁ, ଲୋକେ ଏଭଳି କୁହନ୍ତି। ଜଣେ ନିଜ ପ୍ରତିଭା ବଳରେ ଗୋଟିଏ ଦଳରେ ସ୍ଥାନ ପାଇଲେ, ତାକୁ କଦର୍ଥ କରାଯିବା ଅନୁଚିତ। ସେ ଛୋଟବେଳରୁ ବେଶ୍‌ ପରିଶ୍ରମୀ। ଅର୍ଜୁନ ମୁମ୍ବାଇ ଇଣ୍ଡିଆନ୍‌ସ ଦଳର ବଲ୍‌ ବୟ ଥିଲେ। ନେଟ୍‌ସ ବୋଲର ବି ଥିଲେ। ଏଣୁ ତାଙ୍କୁ ମୁମ୍ବାଇ ଇଣ୍ଡିଆନ୍‌ସ ମ୍ୟାନେଜମେଣ୍ଟ୍‌ ଅତି ପାଖରୁ ଦେଖିଛି, ତାଙ୍କର ମେଧା ବିଷୟରେ ବି ଅବଗତ। ଅର୍ଜୁନଙ୍କ କଳାକୌଶଳ ଦେଖି ହିଁ ତାଙ୍କୁ ଦଳରେ ସାମିଲ କରାଯାଇଛି। ଏଣୁ ଅଯଥା ବିବାଦ ସୃଷ୍ଟି କରାନଯିବା ଶ୍ରେୟସ୍କର।

ସମ୍ବାଦ: ଯଦି ଅର୍ଜୁନ ଅନ୍ତର୍ଜାତୀୟ ମ୍ୟାଚ୍‌ ଖେଳନ୍ତି, ତା’ହେଲେ ତାଙ୍କ ପାଇଁ ଷ୍ଟାଡିୟମକୁ ସମର୍ଥନ ଜଣାଇବେ?
ସୁଧୀର: ନିଶ୍ଚିତ ଭାବରେ। ମୁଁ ବଞ୍ଚିଥିବା ପର୍ଯ୍ୟନ୍ତ ମୋ’ ହୃଦୟରେ ସଚିନ ତେନ୍ଦୁଲକର ରହିବେ। ସେହିଭଳି ମୋ’ ଦେହରେ ‌‘ତେନ୍ଦୁଲକର ୧୦’ ସବୁଦିନ ପାଇଁ ରହିବ। ‘ମିସ୍‌ ୟୁ ତେନ୍ଦୁଲକର’ ବି ରହିବ। ଅର୍ଜୁନଙ୍କୁ ମୁଁ ଛୋଟବେଳୁ ଦେଖିଛି। ସେ ବେଶ୍‌ ପ୍ରତିଭାସଂପନ୍ନ ଅଲରାଉଣ୍ଡର୍‌। ଆଗାମୀ ଦିନରେ ସେ ମଧ୍ୟ ନିଜର ସ୍ବତନ୍ତ୍ର ଛାପ ଛାଡ଼ିବେ।

ସମ୍ବନ୍ଧିତ ଖବର