ନଟିଂହାମ୍: ପ୍ରଥମ ଦୁଇ ଟେଷ୍ଟ୍କୁ ଦୟନୀୟ ଭାବେ ହାରିଯିବା ପରେ ବିରାଟ କୋହଲିଙ୍କ ଭାରତୀୟ ଦଳ ସାରାଦେଶରୁ ସମାଲୋଚନାର ଶିକାର ହୋଇଥିଲା। ତେବେ ଦଳ ଉପରୁ ବିଶ୍ୱାସ ନହରାଇବାକୁ କୋହଲି ଦେଶବାସୀଙ୍କୁ ଅନୁରୋଧ କରିଥିଲେ। ଆମେ ଦୁଇଟି ଟେଷ୍ଟ ହାରିଯାଇଥିଲେ ମଧ୍ୟ ପ୍ରତ୍ୟାବର୍ତନର ଦୃଢ଼ ଆଶା ରଖିଛୁ ବୋଲି କୋହଲି କହିଥିଲେ। ଆଉ ସେହି ଆତ୍ମବିଶ୍ୱାସର ହିଁ ବିଜୟ ପାଇଲେ ବୁଧବାର। ଏଠାରେ ତୃତୀୟ ଟେଷ୍ଟରେ ଘରୋଇ ଇଂଲଣ୍ଡ ଦଳକୁ ୨୦୩ ରନ୍ରେ ପରାସ୍ତ କରି କୋହଲି ଦେଶବାସୀଙ୍କୁ ଦେଇଥିବା ବିଶ୍ୱାସ ବାର୍ତାକୁ ସାକାର ରୂପ ଦେଇଥିଲେ। ଜୋସ୍ ବଟଲର୍ ଓ ବେନ୍ ଷ୍ଟୋକ୍ସଙ୍କ ପରେ ଆଦିଲ୍ ରସିଦ୍ ଓ ଜେମ୍ସ ଆଣ୍ଡରସନ୍ ଯୋଡ଼ି ଭାରତର ବିଜୟକୁ ଚତୁର୍ଥ ଦିନରୁ ପଞ୍ଚମ ଦିନକୁ ଟାଣି ନେଇଥିଲେ ମଧ୍ୟ ବୁଧବାର ମାତ୍ର ୧୭ ବଲ୍ ପରେ ପରାଜୟ ପାଇଁ ବାଧ୍ୟ ହୋଇଥିଲା ଇଂଲଣ୍ଡ। ଚତୁର୍ଥ ଦିବସ ଶେଷ ସୁଦ୍ଧା ୨୧୦ ରନ୍ ପଛରେ ରହିଥିବା ଇଂଲଣ୍ଡର ଆଉ ମାତ୍ର ଗୋଟିଏ ଓ୍ଵିକେଟ୍ ବାକି ଥିବାରୁ ଭାରତ ପାଇଁ କେବଳ ବିଜୟର ଔପଚାରିକତା ଯାହା ବାକି ଥିଲା। ଆଉ ବୁଧବାର ଜେମ୍ସ ଆଣ୍ଡରସନ୍ଙ୍କୁ ଆଜିଙ୍କ୍ୟ ରହାଣେଙ୍କ ହାତରେ କ୍ୟାଚ୍ କରାଇ ସ୍ପିନର ରବିଚନ୍ଦ୍ରନ୍ ଅଶ୍ୱିନ୍ ଭାରତ ବିଜୟରେ ମୁଣ୍ଡି ମାରିଥିଲେ। ଏହି ବିଜୟ ସହ ଭାରତ ମଧ୍ୟ ଶୃଙ୍ଖଳା ଉଜ୍ଜୀବୀତ ରଖିଲା। ଅନ୍ୟପକ୍ଷରେ ଏଠାରେ ପରାଜୟ ସତ୍ତ୍ୱେ ଇଂଲଣ୍ଡ ୨-୧ରେ ଆଗୁଆ ରହିଥିଲା ବେଳେ ଚତୁର୍ଥ ଟେଷ୍ଟ ଆସନ୍ତା ୩୦ ତାରିଖରୁ ସାଉଥମ୍ପ୍ଟନ୍ରେ ଖେଳାଯିବ।
Sambad is now on WhatsApp
Join and get latest news updates delivered to you via WhatsApp
ଚତୁର୍ଥ ଦିବସ ଶେଷରେ ୩୧୧ ରନ୍ରେ ୯ ଓ୍ଵିକେଟ୍ ହରାଇଥିବା ଇଂଲଣ୍ଡ ବୁଧବାର ୩୧୭ ରନ୍ରେ ସଫା ହୋଇଗଲା। ଫଳରେ ୫୨୧ ରନ୍ର ଆହ୍ଵାନ ଦେଇଥିବା ଭାରତ ୨୦୩ ରନ୍ରେ ମ୍ୟାଚ୍ ଜିତିନେଲା। ଏହି ବିଜୟର ଶ୍ରେୟ ମୁଖ୍ୟତଃ ଅଧିନାୟକ ବିରାଟ କୋହଲି, ଅଲ୍ରାଉଣ୍ଡର ହାର୍ଦିକ୍ ପାଣ୍ଡା ଏବଂ ଦ୍ରୁତ ବୋଲର ଜସ୍ପ୍ରିତ୍ ବୁମ୍ରାଙ୍କ ମିଳିଛି। ଏହି ଟେଷ୍ଟରେ ଭାରତୀୟ ଦ୍ରୁତ ବୋଲରମାନେ ମିଳିତ ଭାବେ ୧୯ ଓ୍ଵିକେଟ୍ ଅକ୍ତିଆର କରିଥିଲା ବେଳେ ମାତ୍ର ଗୋଟିଏ ଓ୍ଵିକେଟ୍ ସ୍ପିନର (ଅଶ୍ୱିନ୍)ଙ୍କୁ ମିଳିଥିଲା। ଚଳିତ ବର୍ଷ ଦକ୍ଷିଣ ଆଫ୍ରିକାରେ ଜୋହାନ୍ସବର୍ଗ ଟେଷ୍ଟରେ ଭାରତ ଦ୍ରୁତ ବୋଲରମାନେ ପ୍ରତିପକ୍ଷର ୨୦ଟିଯାକ ଓ୍ଵିକେଟ୍ ନେଇଥିଲା ବେଳେ ଦ୍ୱିତୀୟ ଥର ପାଇଁ ଏଭଳି ସଫଳତାରୁ ବଞ୍ଚିତ ହେଲେ। ଏଥି ସହିତ ଇଂଲଣ୍ଡ ମାଟିରେ ଭାରତ ମଧ୍ୟ ସପ୍ତମ ଟେଷ୍ଟ ବିଜୟ ପାଇଲା।
ସଂକ୍ଷିପ୍ତ ସ୍କୋର୍: ଭାରତ ପ୍ରଥମ ପାଳି: ୩୨୯ (ବିରାଟ କୋହଲି-୯୭, ଆଜିଙ୍କ୍ୟ ରହାଣେ-୮୧, ଜେମ୍ସ ଆଣ୍ଡରସନ୍-୩/୬୪, ଷ୍ଟୁଆର୍ଟ ବ୍ରଡ୍-୩/୭୨, କ୍ରିସ୍ ଓ୍ଵକ୍ସ-୩/୭୫)। ଇଂଲଣ୍ଡ ପ୍ରଥମ ପାଳି: ୧୬୧ (ଜୋସ୍ ବଟ୍୍ଲର୍-୩୯, ଆଲେଷ୍ଟର କୁକ୍-୨୯, ହାର୍ଦିକ୍ ପାଣ୍ଡ୍ୟା-୫/୨୮, ଈଶାନ୍ତ ଶର୍ମା-୨/୩୨, ଜସ୍ପ୍ରିତ୍ ବୁମ୍ରା-୨/୩୭। ଭାରତ ଦ୍ୱିତୀୟ ପାଳି: ୩୫୨/୭ରେ ଘୋଷଣା (ବିରାଟ କୋହଲି-୧୦୩, ଚେତେଶ୍ୱର ପୂଜାରା-୭୨, ହାର୍ଦିକ୍ ପାଣ୍ଡ୍ୟା-୫୨*, ଆଦିଲ୍ ରସିଦ୍-୩/୧୦୧, ବେନ୍ ଷ୍ଟୋକ୍ସ-୨/୬୮। ଇଂଲଣ୍ଡ ଦ୍ୱିତୀୟ ପାଳି: ୩୧୭ (ଜୋସ୍ ବଟ୍ଲର୍-୧୦୬, ବେନ୍ ଷ୍ଟୋକ୍ସ-୬୨, ଆଦିଲ ରସିଦ୍-୩୩*, ଜସ୍ପ୍ରିତ୍ ବୁମ୍ରା-୫/୮୫, ଈଶାନ୍ତ ଶର୍ମା-୨/୭୦।
କେରଳ ବନ୍ୟା ପୀଡ଼ିତଙ୍କୁ ବିଜୟ ଉତ୍ସର୍ଗ
ନୂଆଦିଲ୍ଲୀ: ନଟିଂହାମ ବିଜୟକୁ ଭାରତୀୟ ଅଧିନାୟକ ବିରାଟ କୋହଲି କେରଳ ବନ୍ୟା ପୀଡ଼ିତଙ୍କୁ ଉତ୍ସର୍ଗ କରିଛନ୍ତି। ମ୍ୟାଚ୍ ପରବର୍ତୀ ପୁରସ୍କାର ବିରରଣୀ ଉତ୍ସବରେ ଏହି କଥା ଘୋଷଣା କରି ସେ କହିଥିଲେ ଯେ ପ୍ରଥମତଃ ଦଳଗତ ଭାବେ ଆମେ ଏହି ବିଜୟକୁ କେରଳ ବନ୍ୟା ପୀଡ଼ିତଙ୍କୁ ଉତ୍ସର୍ଗ କରୁଛୁ। ସେଠାକାର ଲୋକମାନେ ବହୁ କଷ୍ଟରେ ଅଛନ୍ତି, ଆଉ ଆମେ ସେମାନଙ୍କ ପାଇଁ ଅନ୍ତତଃ ଏତିକି ତ କରି ପାରିବୁ! ଏହା ପରେ ସେ ନିଜ ଦଳୀୟ ଖେଳାଳିଙ୍କୁ ପ୍ରଶଂସା କରିଥିଲେ। ତା’ ସହ ଦଳ ଉପରେ ଭରସା ରଖିବାକୁ ପ୍ରଶଂସକମାନଙ୍କୁ ଆହ୍ଵାନ କରିଥିଲେ। ତିନିଟି ଯାକ ବିଭାଗର ପ୍ରଦର୍ଶନ ଆତ୍ମସନ୍ତୋଷଭରା ଥିଲା। ଆମ ପାଇଁ ଏହା ଏକ ସଂପୂର୍ଣ୍ଣ ଟେଷ୍ଟ୍ ମ୍ୟାଚ୍ ଥିଲା। ଶୃଙ୍ଖଳାକୁ ଜୀବନ୍ତ ରଖିବା ପରିପ୍ରେକ୍ଷୀରେ ଏହି ବିଜୟ ନିହାତି ଜରୁରୀ ଥିଲା। ଲୋକମାନେ ଆମ ଉପରେ ଭରସା ହରାଇବା ଆରମ୍ଭ କରି ଦେଇଥିଲେ। ଆମେ କିନ୍ତୁ ନିଜ ଉପରେ ଭରସା ରଖିଥିଲୁ ବୋଲି କୋହଲି କହିଥିଲେ। ଦ୍ୱିତୀୟ ପାଳିର ସ୍ମରଣୀୟ ଶତକ ଏବଂ ମ୍ୟାଚ୍ର ଶ୍ରେଷ୍ଠ ପୁରସ୍କାରକୁ କୋହଲି ନିଜ ଅଭିନେତ୍ରୀ ପତ୍ନୀ ଅନୁଷ୍କା ଶର୍ମାଙ୍କୁ ଉତ୍ସର୍ଗ କରିଥିଲେ। ଶୃଙ୍ଖଳା ବିଜୟର ସ୍ୱପ୍ନକୁ ଭାରତ ପରିତ୍ୟାଗ କରି ନଥିବା ସେ ଏହି ଅବସରରେ ଜୋର ଦେଇ କହିଥିଲେ।