ବିସିସିଆଇ ସଭାପତି ଦାୟିତ୍ବ ଗ୍ରହଣ କଲେ ଗାଙ୍ଗୁଲି : ସୌରଭ ଯୁଗର ଶୁଭାରମ୍ଭ

ମୁମ୍ବାଇ : ବିସିସିଆଇରେ ସୌରଭ ଯୁଗର ଶୁଭାରମ୍ଭ ହୋଇଛି। ଭାରତୀୟ କ୍ରିକେଟ୍ ଦଳର ପୂର୍ବତନ ଅଧିନାୟକ ସୌରଭ ଗାଙ୍ଗୁଲି ବୁଧବାର ଆନୁଷ୍ଠାନିକ ଭାବେ ବିଶ୍ବର ସବୁଠାରୁ ଧନୀ ତଥା ଶକ୍ତିଶାଳୀ କ୍ରିକେଟ୍ ବୋର୍ଡ ‘ବିସିସିଆଇ’ର ସଭାପତି ପଦ ଗ୍ରହଣ କରିଛନ୍ତି। ‘ପ୍ରିନ୍ସ ଅଫ୍ କୋଲକାତା’ ଭାବେ ପରିଚିତ ଗାଙ୍ଗୁଲି ବିସିସିଆଇର ୩୯ତମ ସଭାପତି ହୋଇଛନ୍ତି। ନିଜ ସମୟର ଜଣେ ସଫଳ ଏବଂ ଦକ୍ଷ ଅଧିନାୟକ ଥିବା ଗାଙ୍ଗୁଲି ବିସିସିଆଇକୁ ସେହି ବଳିଷ୍ଠ ନେତୃତ୍ବ ପ୍ରଦାନ କରିବେ ବୋଲି ଆଶା କରାଯାଉଛି। ଗାଙ୍ଗୁଲି ଆସନ୍ତା ୯ ମାସ ପର୍ଯ୍ୟନ୍ତ ବିସିସିଆଇ ସଭାପତି ପଦରେ ରହିବେ।

ସୌରଭ ଗାଙ୍ଗୁଲି କାର୍ଯ୍ୟଭାର ଗ୍ରହଣ କରିବା ସହ ବିସିସିଆଇରେ ଚାଲିଥିବା ଉଚ୍ଚତମ ନ୍ୟାୟାଳୟ ନିଯୁକ୍ତ ପ୍ରଶାସନିକ ସମିତି (ସିଓଏ)ର ୩୩ ମାସିଆ ଶାସନର ଅବସାନ ଘଟିଛି। ଗାଙ୍ଗୁଲିଙ୍କ ସହ ବିସିସିଆଇର ଅନ୍ୟ ନବନିର୍ବାଚିତ କର୍ମକର୍ତା ଯଥା ସଂପାଦକ, ଉପସଭାପତି, କୋଷାଧ୍ୟକ୍ଷ ମଧ୍ୟ ନିଜ ନିଜ ଦାୟିତ୍ବ ଗ୍ରହଣ କରିଛନ୍ତି। କେନ୍ଦ୍ର ସ୍ବରାଷ୍ଟ୍ର ମନ୍ତ୍ରୀ ଅମିତ ଶାହଙ୍କ ପୁଅ ଜୟ ଶାହ (ସଂପାଦକ), କେନ୍ଦ୍ରମନ୍ତ୍ରୀ ତଥା ବିସିସିଆଇର ପୂର୍ବତନ ସଭାପତି ଅନୁରାଗ ଠାକୁରଙ୍କ ଭାଇ ଅରୁଣ ଠାକୁର (କୋଷାଧ୍ୟକ୍ଷ), କେରଳର ଜୟେଶ ଜର୍ଜ (ଯୁଗ୍ମ ସଂପାଦକ), ଛତିଶଗଡ଼ର ମହିମ ବର୍ମା (ଉପସଭାପତି) ବୁଧବାର ଅନୁଷ୍ଠିତ ବିସିସିଆଇ ବାର୍ଷିକ ସାଧାରଣ ବୈଠକରେ ନିଜ ନିଜ ପଦ ଭାର ଗ୍ରହଣ କରିଛନ୍ତି।

ଗାଙ୍ଗୁଲି ଦାୟିତ୍ବ ଗ୍ରହଣ କରିବା ପରେ ତାଙ୍କ ପାଖକୁ ଶୁଭେଚ୍ଛାର ସୁଅ ଛୁଟିଥିଲା। ଦିଲ୍ଲୀ କ୍ରିକେଟ୍ ସଂଘର ସଭାପତି ତଥା ବରିଷ୍ଠ ସାମ୍ବାଦିକ ରଜତ ଶର୍ମା ଟ୍ବିଟ୍ କରିଥିଲେ, ମୁଁ ସ୍ଥିର ନିଶ୍ଚିତ ଯେ ସଭାପତି ବିସିସିଆଇକୁ ସଫଳତାର ନୂଆ ସୋପାନରେ ପହଞ୍ଚାଇବେ। ଜୟ ଶାହ, ସୌରଭ ଗାଙ୍ଗୁଲି ଏବଂ ତାଙ୍କ ଦଳ ବହୁତ ଭଲ କାମ କରିବ। ଭାରତୀୟ କ୍ରିକେଟ୍‌ରେ ଆଜିଠାରୁ ଏକ ନୂଆ ଯୁଗର ଆରମ୍ଭ ହେଲା। ଆଇପିଏଲର ପୂର୍ବତନ ମୁଖ୍ୟ ରାଜୀବ ଶୁକ୍ଳା ମଧ୍ୟ ଗାଙ୍ଗୁଲିଙ୍କ ଉପରେ ପୂର୍ଣ୍ଣ ଆସ୍ଥା ପ୍ରକଟ କରିଥିଲେ। ସେ କହିଥି‌ଲେ, ସୌରଭ ବିସିସିଆଇ ପାଇଁ ବଡ଼ ସମ୍ପଦ ହେବେ। ସେ ଭାରତୀୟ କ୍ରିକେଟ୍‌ର ସଫଳତମ ଅଧିନାୟକ ଏବଂ ବେଙ୍ଗଲ କ୍ରିକେଟ୍ ସଂଘର ସଫଳତମ ସଭାପତି ରହି ଆସିଛନ୍ତି। ସୂଚନାଯୋଗ୍ୟ ଯେ ୨୦୦୦ ମସିହାରେ ଭାରତୀୟ କ୍ରିକେଟ୍‌କୁ ମ୍ୟାଚ୍ ଫିକ୍ସିଂର କଳା ବାଦଲ ଗ୍ରାସ କରିଥିଲା ବେଳେ ଗାଙ୍ଗୁଲି ଟିମ୍ ଇଣ୍ଡିଆର ଅଧିନାୟକ ପଦ ଗ୍ରହଣ କରିଥିଲେ। ଧିରେ ଧିରେ ଦଳକୁ ସଫଳତା ଧାରାକୁ ଫେରାଇ ଆଣିବା ସହ ବିଦେଶରେ ବିଜୟୀ ହେବାର ସାହସ ଏବଂ କଳା ସେ ହିଁ ଭାରତୀୟ କ୍ରିକେଟ୍ ଦଳକୁ ଶିଖାଇଥିଲେ। ବିସିସିଆଇ ସଂପ୍ରତି ଘଡ଼ିସନ୍ଧି ମୁହୂର୍ତ ଦେଇ ଗତି କରୁଥିଲା ବେଳେ ତାଙ୍କ ମାର୍ଗଦର୍ଶନରେ ପୁଣି ଥରେ ତା’ର ପୁରୁଣା ଚମକ ଫେରି ପାଇବ ବୋଲି ଆଶା କରାଯାଉଛି। ଆଇସିସି ଏବେ ନିୟମିତ ବିସିସିଆଇ ବିରୋଧୀ ପଦକ୍ଷେପ ନେଉଛି। ଏପରିକି ତା’ର ନବଗଠିତ କାର୍ଯ୍ୟକାରୀ ସମିତିରୁ ବିସିସିଆଇକୁ ବାଦ ଦେଇଛି। ଆଇସିସି ମଧ୍ୟ ତା’ ରାଜସ୍ବରୁ ବିସିସିଆଇର ଅଂଶକୁ ଯଥେଷ୍ଟ କମାଇ ଦେଇଛି। ସେହିଭଳି ଲୋଧା ସମିତି ସୁପାରିସ ଲାଗୁ ହେବା ପରେ ବିସିସିଆଇର ଅଧିକାଂଶ ଅନୁବନ୍ଧିତ ସଂଘର ଦାୟିତ୍ବ ନୂଆ କର୍ମକର୍ତା ନେଇଛନ୍ତି। ଅନେକ ସଂଘ ଆର୍ଥିକ ସଙ୍କଟ ଦେଇ ଗତି କରୁଛନ୍ତି। ଏସବୁର ଆଶୁ ସମାଧାନ କରିବା ଗାଙ୍ଗୁଲିଙ୍କ ପ୍ରଥମ କର୍ତବ୍ୟ ହେବ। ସେ ମଧ୍ୟ ଏଥିଲାଗି ପୂରା ପ୍ରସ୍ତୁତ ଥିବା ସଙ୍କେତ ଦେଇଛନ୍ତି।

ପୁଣି ପିନ୍ଧିଲେ ଅଧିନାୟକ ବ୍ଲେଜର

ବିସିସିଆଇ ସଭାପତି ପଦ ଗ୍ରହଣ କରିବା ପରର ପ୍ରଥମ ସାମ୍ବାଦିକ ସମ୍ମିଳନୀରେ ସୌରଭ ଗାଙ୍ଗୁଲି ଯେଉଁ ବ୍ଲେଜର ପିନ୍ଧିଥିଲେ, ତାର ମଧ୍ୟ ଢେର ମହତ୍ବ ଥିଲା। ନିଜ ଅଧିନାୟକ ଦିନକୁ ମନେ ପକାଇ ଗାଙ୍ଗୁଲି ସେତେବେଳେ ପିନ୍ଧୁଥିବା ବ୍ଲେଜର ପିନ୍ଧି ହିଁ ଆଜିର ସାମ୍ବାଦିକ ସମ୍ମିଳନୀକୁ ଆସିଥିଲେ। ଭାରତୀୟ କ୍ରିକେଟ୍‌ର ସବୁଠାରୁ ଶକ୍ତିଶାଳୀ ବ୍ୟକ୍ତି ଭାବେ ବିସିସିଆଇର ସଭାପତି ଦାୟିତ୍ବ ଗ୍ରହଣ ‌ବେଳେ ମଧ୍ୟ ଗାଙ୍ଗୁଲି ଏହି ବ୍ଲେଜର ପିନ୍ଧି ଥିଲେ। ବ୍ଲେଜରଟି ତାଙ୍କୁ ଭାରତୀୟ ଦଳର ଅଧିନାୟକ ନିଯୁକ୍ତ ହେଲା ବେଳେ ମିଳିଥିଲା। ଏହି ବିଷୟରେ ପ୍ରଶ୍ନ ହେବା ପରେ ଗାଙ୍ଗୁଲି କହିଥିଲେ ଯେ ପ୍ରଥମ ଥର ପାଇଁ ଭାରତୀୟ କ୍ରିକେଟ୍ ଦଳର ଅଧିନାୟକ ନିଯୁକ୍ତ ହେଲା ବେଳେ ମୋତେ ଏହି ବ୍ଲେଜର ମିଳିଥିଲା। ସେଥିପାଇଁ ଆଜିର ମହତ୍ବପୂର୍ଣ୍ଣ ମୁହୂର୍ତରେ ମୁଁ ଏହି ବ୍ଲେଜରକୁ ପିନ୍ଧିବାକୁ ନିଷ୍ପତ୍ତି ନେଇଥିଲି। ହେଲେ ମୁଁ ଜାଣି ପାରି ନଥିଲି ଯେ ‌ଏବେ ଏହା ମୋତେ ଟିକିଏ ବଡ଼ ହେଉଛି।

ଦୁର୍ନୀତି ମୁକ୍ତ ପରିଚାଳନା ଉପରେ ଗୁରୁତ୍ବ, ଦ୍ବୈତ ଅଧିନାୟକ ନୀତିକୁ ନାପସନ୍ଦ
ସଭାପତି ପଦ ଗ୍ରହଣ କରିବା ପରେ ବିସିସିଆଇରେ ନୂଆ ଆରମ୍ଭର ପ୍ରତିଶ୍ରୁତି ଦେଇଛନ୍ତି ସୌରଭ ଗାଙ୍ଗୁଲି। ସେ କହିଛନ୍ତି, ବିଶ୍ବସନୀୟତା ଏବଂ ଦୁର୍ନୀତିରେ କୌଣସି ସାଲିସ କରାଯିବ ନାହିଁ। ବିନା ଭେଦଭାବରେ ବିସିସିଆଇ ପରିଚାଳନା ହେବ। ମୋ ପାଇଁ ସମସ୍ତେ ସମାନ। ଭାରତୀୟ ଦଳର ନେତୃତ୍ବ ନେଲା ଭଳି ହିଁ ମୁଁ ବିସିସିଆଇର ସଭାପତି ଦାୟିତ୍ବ ତୁଲାଇବି। ଭାରତୀୟ କ୍ରିକେଟ୍ ଦଳରେ ଦ୍ବୈତ ଅଧିନାୟକ ନୀତିକୁ ଗାଙ୍ଗୁଲି ଅଗ୍ରାହ୍ୟ କରି ଦେଇଛନ୍ତି। ଏଥିନେଇ ସେ କହିଛନ୍ତି, ଏକଥାର ଆବଶ୍ୟକତା ଏବେ ଅଛି ବୋଲି ମୁଁ ଭାବୁ ନାହିଁ। ଭାରତ ଏବେ ବିଜୟୀ ହେଉଛି। ସମ୍ଭବତଃ ସେମାନେ ଏବେ ବିଶ୍ବର ଶ୍ରେଷ୍ଠ କ୍ରିକେଟ୍ ଦଳ। ନିଜ କାର୍ଯ୍ୟକାଳ ବେଳେ ଅଧିନାୟକ ବିରାଟ କୋହଲିଙ୍କୁ ପୂର୍ଣ୍ଣ ସମର୍ଥନ କରିବେ ବୋଲି ସେ ସ୍ପଷ୍ଟ କରି ଦେଇଥିଲେ। ଏହି କ୍ରମରେ ଗାଙ୍ଗୁଲି ବିସିସିଆଇର ପୂର୍ବତନ ସଭାପତି ଜଗମୋହନ ଡାଲମିଆ ଏବଂ ଏନ୍ ଶ୍ରୀନିବାସନଙ୍କ ଉଦାହରଣ ଦେଇଥିଲେ। ସେ ଅଧିନାୟକ ଥିଲା ବେଳେ ଉଭୟ ଡାଲମିଆ ଏବଂ ଶ୍ରୀନିବାସନ୍ କିଭଳି ଭାବେ ତାଙ୍କୁ ସମର୍ଥନ କରୁଥିଲେ, ତାକୁ ମନେ ପକାଇଥିଲେ ଗାଙ୍ଗୁଲି। ସେ କହିଥିଲେ, ଆମ ମୁଖ୍ୟ କାମ ହେବ କ୍ରିକେଟରଙ୍କ ଜୀବନକୁ ସହଜ ଏବଂ ସୁନ୍ଦର କରିବା। ମୁଁ ଅଧିନାୟକ ଥିଲା ବେଳେ ଡାଲମିଆ ସଭାପତି ଥିଲେ। ଆମର ଯାହା ବି ଦରକାର ହେଉଥିଲା, ସେସବୁ ଦେବାକୁ ସେ କେବେ ବି କୁଣ୍ଠାବୋଧ କରୁ ନଥିଲେ। ବିରାଟଙ୍କ ସହ ମୁଁ ସେହିଭଳି ସଂପର୍କ ରଖିବାକୁ ଚା‌ହିଁବି।

ସମ୍ବନ୍ଧିତ ଖବର