ମାଞ୍ଚେଷ୍ଟର୍ (ଲଣ୍ଡନ): ଇତିହାଦ୍ ଷ୍ଟାଡିୟମ୍ରେ ବୁଧବାର ରାତିରେ ଏକ ଉତ୍କଣ୍ଠାପୂର୍ଣ୍ଣ ମୁକାବିଲାରେ ପରାଜୟ ସତ୍ତ୍ବେ ମାଞ୍ଚେଷ୍ଟର ସିଟି ଏଫ୍ସିକୁ ପଛରେ ପକାଇ ଟଟେନ୍ହାମ୍ ହଟ୍ସ୍ପର୍ ଚଳିତ ଚାମ୍ପିଅନ୍ସ ଲିଗ୍ ଫୁଟ୍ବଲ୍ ପ୍ରତିଯୋଗିତାର ସେମିଫାଇନାଲ୍ରେ ପ୍ରବେଶ କରିଛି। ବୁଧବାର ପାଲଟା କ୍ବାର୍ଟର ଫାଇନାଲ୍ ମ୍ୟାଚ୍ରେ ଘରୋଇ ଦଳ ମାଞ୍ଚେଷ୍ଟର ୪-୩ ଗୋଲ୍ରେ ହଟ୍ସ୍ପରକୁ ପରାସ୍ତ କରିଥିଲା। ଏହି ମ୍ୟାଚ୍ରେ ପ୍ରଥମ ୧୧ ମିନିଟ୍ ମଧ୍ୟରେ ୪ ଗୋଲ୍ ହୋଇଥିଲା ବେଳେ ପରବର୍ତୀ ୭୯ ମିନିଟ୍ ମଧ୍ୟରେ ଆଉ ୩ ଗୋଲ୍ ହୋଇଥିଲା। ଏହା ପୂର୍ବରୁ ପ୍ରଥମ ଚରଣ କ୍ବାର୍ଟର ଫାଇନାଲ୍ରେ ହଟ୍ସ୍ପର ନିଜ ଘରୋଇ ମାଟିରେ ମାଞ୍ଚେଷ୍ଟର୍କୁ ୧-୦ ଗୋଲ୍ରେ ପରାସ୍ତ କରିଥିଲା। ଉଭୟ ଚରଣକୁ ମିଶାଇବା ପରେ ଗୋଲ୍ ୪-୪ରେ ଟାଇ ରହିଥିଲା। ତେବେ ଦେଶ ବାହାର ମୁକାବିଲାରେ ଗୋଲ୍ କରିପାରିନଥିବାରୁ ମାଞ୍ଚେଷ୍ଟର ପଛରେ ପଡ଼ିଯାଇଥିଲା। ଉଭୟ ଘରେ ଓ ବାହାରେ ଗୋଲ୍ କରିବାରେ ସମର୍ଥ ହୋଇଥିବାରୁ ହଟ୍ସ୍ପର୍ ଫାଇଦାରେ ରହି ସେମିଫାଇନାଲ୍କୁ ଉନ୍ନୀତ ହୋଇଥିଲା। ଏଥି ସହିତ ଚାମ୍ପିଅନ୍ସ ଲିଗ୍ ପ୍ରଚଳନଠାରୁ ଏବଂ ୧୯୬୨ ୟୁରୋପିଆନ୍ କପ୍ ପରେ ପ୍ରଥମ ଥର ଲାଗି ହଟ୍ସ୍ପର ଦଳ ସେମିଫାଇନାଲ୍ ଖେଳିବାକୁ ଯୋଗ୍ୟ ହୋଇଛି। ଏଥର ସେମିଫାଇନାଲ୍ରେ ହଟ୍ସ୍ପର ଦଳର ମୁକାବିଲା ଏଜାକ୍ସ ଆମଷ୍ଟର୍ଡାମ୍ ସହ ହେବାକୁ ଥିଲା ବେଳେ ଅନ୍ୟ ସେମିଫାଇନାଲ୍ରେ ଗତବର୍ଷର ଉପବିଜେତା ଲିଭରପୁଲ୍ ଓ ବାର୍ସିଲୋନା ଏଫ୍ସି ମୁହାଁମୁହିଁ ହେବେ। ଆସନ୍ତା ୩୦ ତାରିଖରେ ପ୍ରଥମ ଚରଣ ସେମିଫାଇନାଲ୍କୁ ହଟ୍ସ୍ପର୍ ଆୟୋଜନ କରିବାକୁ ଥିଲା ବେଳେ ଦ୍ବିତୀୟ ଚରଣ ତଥା ପାଲଟା ସେମିଫାଇନାଲ୍ ମେ’ ୮ ତାରିଖରେ ଏଜାକ୍ସ ଆୟୋଜନ କରିବ। ୩୦ ତାରିଖ ସେମିଫାଇନାଲ୍ ହ୍ବାଇଟ୍ ହାର୍ଟ ଲେନ୍ ଷ୍ଟାଡିୟମ୍ରେ ଏବଂ ମେ’ ୮ ତାରିଖ ସେମିଫାଇନାଲ୍ ଜୋହାନ୍ କ୍ରଫ୍ ଏରେନାରେ ଖେଳାଯିବ। ଅନ୍ୟପକ୍ଷରେ ମେ’ ୧ ଓ ୭ ତାରିଖରେ ଲିଭରପୁଲ୍ ଓ ବାର୍ସିଲୋନା ସେମିଫାଇନାଲ୍ର ଉଭୟ ଚରଣ ଖେଳାଯିବ। ବୁଧବାର ରାତିରେ ଖେଳାଯାଇଥିବା ଅନ୍ୟ କ୍ବାର୍ଟର ଫାଇନାଲ୍ରେ ଇଜିପ୍ଟ ଷ୍ଟ୍ରାଇକର୍ ମହମ୍ମଦ ସାଲାଙ୍କ ଚମକ ବଳରେ ଲିଭରପୁଲ୍ ୪-୧ ଗୋଲ୍ରେ ପୋର୍ତୋ ଏଫ୍ସିକୁ ପରାସ୍ତ କରି ସେମିଫାଇନାଲ୍ ସ୍ଥାନ ସୁରକ୍ଷିତ କରିନେଇଥିଲା। ସଲାହଙ୍କ ବ୍ୟତୀତ ସାଦିଓ ମାନେ, ରବର୍ଟ ଫିର୍ମିନୋ ଓ ଭିର୍ଜିଲ ଭାନ୍ ଦିକ୍ ଲିଭରପୁଲ୍ ପାଇଁ ଗୋଟିଏ ଲେଖାଏଁ ଗୋଲ୍ କରିଥିଲେ। ଏହା ପୂର୍ବରୁ ପ୍ରଥମ ଚରଣ କ୍ବାର୍ଟର ଫାଇନାଲ୍ରେ ଲିଭରପୁଲ୍ ୨-୦ରେ ବିଜୟୀ ହୋଇଥିଲା। ଫଳରେ ଉଭୟ ଚରଣ ଫଳାଫଳ ଲିଭରପୁଲ୍ ସପକ୍ଷରେ ୬-୧ରେ ରହିଥିଲା।
Sambad is now on WhatsApp
Join and get latest news updates delivered to you via WhatsApp
ମାଞ୍ଚେଷ୍ଟର ସିଟି ବିପକ୍ଷ କ୍ବାର୍ଟର ଫାଇନାଲ୍କୁ ଦେଶ ବାହାର ଅଗ୍ରଣୀ ଗୋଲ୍ ଭିତ୍ତିରେ ଜିତି ସେମିଫାଇନାଲ୍ ପ୍ରବେଶ କରିଥିବା ଟଟେନ୍ହାମ୍ ଚାମ୍ପିଅନ୍ସ ଲିଗ୍ରେ ଇତିହାସ ରଚିଛି। ୫୭ ବର୍ଷ ପରେ ୟୁରୋପର ଏଲିଟ୍ ପ୍ରତିଯୋଗିତାରେ ପ୍ରଥମ ଥର ଲାଗି ଦଳ ସେମିଫାଇନାଲ୍ ପହଞ୍ଚି ଇତିହାସ ପୃଷ୍ଠାରେ ନିଜ ନାମକୁ ଯୋଡ଼ିଛି। କେବଳ ସେତିକି ନୁହେଁ ବୁଧବାରର ଏହି ମ୍ୟାଚ୍ରେ ମୋଟ ୭ ଗୋଲ୍ ସ୍କୋର୍ ହୋଇଥିଲା। ପ୍ରଥମ ୧୧ ମିନିଟ୍ରେ ୪ ଗୋଲ୍ ଏବଂ ୨୧ ମିନିଟ୍ ବେଳକୁ ୫ ଗୋଲ୍ ମଧ୍ୟ ଏକ କୀର୍ତିମାନ। ପ୍ରଥମ ୧୧ ମିନିଟ୍ ମଧ୍ୟରେ ସନ୍ ହ୍ୟୁଙ୍ଗ୍ ମିନ୍ ୨, ରହିମ୍ ଷ୍ଟର୍ଲିଙ୍ଗ୍ ଓ ବର୍ନାର୍ଡୋ ସିଲ୍ଭା ଗୋଟିଏ ଲେଖାଏଁ ଗୋଲ୍ ଲଦି ଦେଇଥିଲେ। ଫଳରେ କୌଣସି ଗୋଟିଏ ଚାମ୍ପିଅନ୍ସ ଲିଗ୍ ମ୍ୟାଚ୍ରେ ପ୍ରଥମ ୧୧ ମିନିଟ୍ରେ ୪ ଗୋଲ୍ ଦ୍ରୁତତମ କୀର୍ତିମାନ ପାଇଛି। ଏହା ପରେ ଷ୍ଟର୍ଲିଙ୍ଗ୍ଙ୍କ ବ୍ୟକ୍ତିଗତ ଦ୍ବିତୀୟ ଗୋଲ୍ ବଳରେ ୨୧ ମିନିଟ୍ ସୁଦ୍ଧା ଗୋଲ୍ ସଂଖ୍ୟା ୫ରେ ପହଞ୍ଚିଯାଇଥିଲା। ଫଳରେ୨୦୦୫ ପରେ ଇଂଲଣ୍ଡରେ ଏହା ପ୍ରଥମ ଚାମ୍ପିଅନ୍ସ ଲିଗ୍ ମ୍ୟାଚ୍ ଥିଲା ଯେଉଁଥିରେ କି ପ୍ରଥମାର୍ଧ ସୁଦ୍ଧା ୫ ଗୋଲ୍ ସ୍କୋର୍ ହୋଇଥିଲା। ଶେଷଥର ପାଇଁ ୨୦୦୫ରେ ଷ୍ଟାମ୍ଫୋର୍ଡ ବ୍ରିଜ୍ରେ ବାର୍ସିଲୋନା ଓ ଚେଲ୍ସି ମଧ୍ୟରେ ଖେଳାଯାଇଥିବା ଏକ ମ୍ୟାଚ୍ରେ ପ୍ରଥମାର୍ଧରେ ୫ ଗୋଲ୍ ଦେଖିବାକୁ ମିଳିଥିଲା।