‘୪ ବୋଲର’ ଯୋଜନାକୁ ଫେରିବ ଶ୍ରୀଲଙ୍କା

କୋଲକାତା: ଚଳିତ ନଭେମ୍ବର ୧୬ ତାରିଖରୁ ଆରମ୍ଭ ହେବାକୁ ଥିବା ଭାରତ ବିପକ୍ଷ ଟେଷ୍ଟ ଶୃଙ୍ଖଳାରେ ଶ୍ରୀଲଙ୍କା ତା’ର ପୁରୁଣା ଯୋଜନାକୁ ଫେରି ୪ ଜଣ ବିଶେଷଜ୍ଞ ବୋଲରଙ୍କୁ ନେଇ ପଡ଼ିଆକୁ ଓହ୍ଲାଇବ। ୟୁଏଇରେ ଖେଳା ଯାଇଥିବା ପାକିସ୍ତାନ ବିପକ୍ଷ ଟେଷ୍ଟ ଶୃଙ୍ଖଳାରେ ସିଂହଳୀ ଦଳ ୫ ଜଣିଆ ବୋଲର ଯୋଜନାରୁ ବେଶ୍‌ ଲାଭବାନ ହୋଇଥିଲା। ହେଲେ ଭାରତରେ ୪ ଜଣ ବୋଲରଙ୍କୁ ନେଇ ଖେଳିବ ବୋଲି ଶ୍ରୀଲଙ୍କା ଅଧିନାୟକ ଦୀନେଶ ଚାନ୍ଦିମାଳ ସଂକେତ ଦେଇଛନ୍ତି। ମଙ୍ଗଳବାର ଭାରତ ପହଞ୍ଚିଥିବା ଚାନ୍ଦିମାଳ କହିଛନ୍ତି ଯେ ପାକିସ୍ତାନ ବିପକ୍ଷରେ ଆମେ ୬ ବ୍ୟାଟର ଏବଂ ୫ ବୋଲରଙ୍କୁ ଖେଳାଇଥିଲୁ। ୟୁଏଇର ତତଲା ପରିବେଶରେ ଏହା ବେଶ୍‌ ଫଳପ୍ରଦ ହୋଇଥିଲା। ଚାରି ଜଣ ବୋଲରଙ୍କୁ ନେଇ ମ୍ୟାଚ୍‌ ଜିତିବା ସହଜ ନୁହେଁ। ହେଲେ ଭାରତ ପାଖରେ ବି ଭଲ ବୋଲର ଅଛନ୍ତି। ସେଥିପାଇଁ ଆମେ ଜଣେ ଅଲରାଉଣ୍ଡରଙ୍କୁ ଚୂଡ଼ାନ୍ତ ଦଳରେ ସାମିଲ କରିବାକୁ ଚେଷ୍ଟା କରିବୁ। ତେବେ ପିଚ ଏବଂ ପରିବେଶ ଦେଖି ଅନ୍ତିମ ନିଷ୍ପତ୍ତି ନେବୁ।

ସମ୍ବନ୍ଧିତ ଖବର