ରାଜ୍ୟ ମହିଳା ଚେସ୍‌: ସ୍ମାରକୀ ବିଜେତା

ଭୁବନେଶ୍ବର: ଖୋର୍ଦ୍ଧା ଜିଲ୍ଲା ଚେସ୍‌ ସଂଘ ଓ ଏମ୍‌ସିଏଫ୍‌ ଆନୁକୂଲ୍ୟରେ ପଟିଆସ୍ଥିତ ରାଜା ମଧୁସୂଦନ ଦେବ ଡିଗ୍ରି କଲେଜ୍‌ ପରିସରରେ ଆୟୋଜିତ ରାଜ୍ୟ ମହିଳା ଚେସ୍‌ ପ୍ରତ‌ିଯୋଗିତାରେ କେନ୍ଦ୍ରପଡ଼ାର ସ୍ମାରକୀ ମହାନ୍ତି ବିଜେତା ହୋଇଛନ୍ତି। ସେ ୫.୫ ପଏଣ୍ଟ ପାଇ ପ୍ରଥମ ସ୍ଥାନ ଅଧିକାର କରିଥିଲା ବେଳେ ଖୋର୍ଦ୍ଧାର ୟାଶିତା ରାଉତ (୫ ପଏଣ୍ଟ୍‌) ଉପବିଜେତା ହୋଇଥିଲେ। ଜୟଲକ୍ଷ୍ମୀ ସାହୁ (୪.୫), ଆଦ୍ୟଶା ପଟ୍ଟନାୟକ (୪) ଯଥାକ୍ରମେ ତୃତୀୟ ଓ ଚତୁର୍ଥ ସ୍ଥାନରେ ରହିଥିଲେ। ପ୍ରଥମ ୪ ସ୍ଥାନରେ ଥିବା ସ୍ମାରକୀ, ୟାଶିତା, ଜୟଲକ୍ଷ୍ମୀ ଓ ଆଦ୍ୟଶା ମହାରାଷ୍ଟ୍ରରେ ଡିସେମ୍ବର ୨୬ରୁ ଜାନୁଆରି ୫ ତାରିଖ ପର୍ଯ୍ୟନ୍ତ ହେବାକୁଥିବା ୪୮ତମ ଜାତୀୟ ମହିଳା ଚେସ୍‌ ପ୍ରତିଯୋଗିତା ଲାଗି ଯୋଗ୍ୟତା ଅର୍ଜନ କରିଛନ୍ତି।

ସୁହାନା ଜେନା, ଅଂଶିକା ପାଣ୍ଡେ, ଦିପ୍ତିମୟୀ ସାହୁ, ଆରୁଷୀ ଶ୍ରୀଚନ୍ଦନ, ଜ୍ୟୋତିକା ସାହୁ ଓ ନୈନିକା ସାହୁ (ସମସ୍ତେ ୪ ପଏଣ୍ଟ୍‌) ଯଥାକ୍ରମେ ପଞ୍ଚମରୁ ଦଶମ ସ୍ଥାନରେ ରହି ପୁରସ୍କୃତ ହୋଇଥିଲେ। ଉଦ୍‌ଯାପନୀ ଉତ୍ସବରେ ବେଟି ବଚାଓ ବେଟି ପଢ଼ାଓ ଓଡ଼ିଶାର କନ୍‌ଭେନର ଆଦିଶା ମହାନ୍ତି, ସାମାଜିକ କର୍ମୀ ବାସୁଦେବ ଭଟ୍ଟ, ରାଜା ମଧୁସୂଦନ ଦେବ ଡିଗ୍ରି କଲେଜ୍ ଅଧ୍ୟକ୍ଷ ପ୍ରଶାନ୍ତ ରାଉତ, ନିଖିଳ ଓଡ଼ିଶା ଚେସ୍‌ ସଂଘ ସମ୍ପାଦକ ଦେବବ୍ରତ ଭଟ୍ଟ, ମାଷ୍ଟର ଚେସ୍‌ ଫାଉଣ୍ଡେସନ ପ୍ରତିଷ୍ଠାତା ବିକ୍ରମ କେଶରୀ ବିଶ୍ବାଳ, ଖୋର୍ଦ୍ଧା ଜିଲ୍ଲା ଚେସ୍‌ ସଂଘ ସମ୍ପାଦକ ଶୁଭାଶିଷ ପଟ୍ଟନାୟକ, ଯୁଗ୍ମ ସମ୍ପାଦକ ସରୋଜ କୁମାର ବେହେରା, ଆର୍ବିଟର୍‌ ସୁରେଶ ଚନ୍ଦ୍ର ସାହୁ, ସନ୍ତୋଷ କୁମାର ମହାପାତ୍ର ପ୍ରମୁଖ ଅତିଥି ଭାବେ ଯୋଗଦେଇଥିଲେ।

ସମ୍ବନ୍ଧିତ ଖବର