ତାହିର ଆଣିଲେ ଗୁରୁତର ଅଭିଯୋଗ

ଜୋହାନେସବର୍ଗ : ଦକ୍ଷିଣ ଆଫ୍ରିକା ସ୍ପିନର ଇମ୍ରାନ ତାହିର ଜଣେ ଭାରତୀୟ ପ୍ରଶଂସକଙ୍କ ବିରୋଧରେ ଗୁରୁତର ଅଭିଯୋଗ ଆଣିଛନ୍ତି। ସଂପୃକ୍ତ ଭାରତୀୟ ପ୍ରଶଂସକ ତାଙ୍କୁ ଜାତିଆଣ ମନ୍ତବ୍ୟ ଦେଇଥିବା ତାହିର ଶନିବାର କହିଛନ୍ତି। ଏହି ମାମଲାରେ ଦକ୍ଷିଣ ଆଫ୍ରିକା କ୍ରିକେଟ୍‌ ବୋର୍ଡ ତଦନ୍ତ ଆରମ୍ଭ କରି ଦେଇଛି। ସୂଚନା ଅନୁସାରେ ଏହି ଘଟଣା ଜୋହାନେସବର୍ଗରେ ଖେଳା ଯାଇଥିବା ଭାରତ-ଦକ୍ଷିଣ ଆଫ୍ରିକା ଚତୁର୍ଥ ଦିନିକିଆ ଅବସରରେ ଘଟିଥିଲା। ତାହିର କିନ୍ତୁ ଏହି ମ୍ୟାଚ୍‌ ଖେଳି ନଥିଲେ। ସେ ଦ୍ୱାଦଶ ଖେଳାଳିର ଭୂମିକା ତୁଲାଉଥିଲେ ଏବଂ ଏଥିପାଇଁ ତାଙ୍କୁ ବାରମ୍ବାର ପଡ଼ିଆ ଭିତରକୁ ଯିବାକୁ ପଡ଼ୁଥିଲା। ଡ୍ରେସିଂ ରୁମ୍‌ ଏବଂ ପଡ଼ିଆକୁ ସଂଯୋଗ କରୁଥିବା ପଥରେ ହିଁ ତାହିରଙ୍କୁ ବାଧିଲା ଭଳି ମନ୍ତବ୍ୟ ଦିଆ ଯାଇଥିଲା। ମ୍ୟାଚ୍‌ ଶେଷ ପର୍ଯ୍ୟନ୍ତ ସେହି ପ୍ରଶଂସକ ଜଣକ ତାହିରଙ୍କୁ ଏଣୁତେଣୁ କହିଥିଲେ। ଏଥିରେ ଅତିଷ୍ଠ ହୋଇ ସେ ସୁରକ୍ଷାକର୍ମୀଙ୍କୁ ଏହି ବିଷୟରେ ଜଣାଇଥିଲେ। ସୁରକ୍ଷାକର୍ମୀ ଯିବା ବେଳକୁ କିନ୍ତୁ ପ୍ରଶଂସକ ଜଣକ ସେଠାରୁ ଚାଲି ଯାଇଥିଲେ। ହେଲେ ସାମାଜିକ ଗଣମାଧ୍ୟମରେ ପ୍ରକାଶିତ ଏକ ଭିଡିଓରେ ତାହିର କିଛି ଦର୍ଶକଙ୍କ ସହ ଯୁକ୍ତିତର୍କ କରୁଥିବା ଦେଖିବାକୁ ମିଳୁଛି। ସେହି ପ୍ରଶଂସକଙ୍କ ମଧ୍ୟରେ ଜଣେ ଦର୍ଶକ ଭାରତୀୟ ଜର୍ସି ପିନ୍ଧିଥିବା ଦେଖିବାକୁ ମିଳୁଛି।

ସମ୍ବନ୍ଧିତ ଖବର