ବ୍ୟାଟିଂ ଏକାଗ୍ରତା ପାଇଁ ନେତୃତ୍ବ ଛାଡ଼ିଦେଇଥିଲେ ସଚିନ
ସଚିନ ତେନ୍ଦୁଲକରଙ୍କ ଅଧିନାୟକତ୍ବ ରେକର୍ଡ
ନୂଆଦିଲ୍ଲୀ: ଭାରତୀୟ କ୍ରିକେଟ୍ ଦଳର ନେତୃତ୍ବ ନେବା ଏକ ସୌଭାଗ୍ୟ, ଏହାକୁ ମଧ୍ୟ ଏକ ବଡ଼ ଗୌରବ ବିବେଚନା କରାଯାଏ। କିନ୍ତୁ କ୍ରିକେଟ୍ କିଂବଦନ୍ତି ସଚିନ ତେନ୍ଦୁଲକର କାହିଁକି ଏଥି ପାଇଁ ଅମଙ୍ଗ ଥିଲେ ଏହାର କାରଣ ଦର୍ଶାଇଛନ୍ତି ବିସିସିଆଇର ପୂର୍ବତନ ସଭାପତି ଚାନ୍ଦୁ ବୋର୍ଡେ। ବୋର୍ଡେ ସୋମବାର କହିଛନ୍ତି ସଚିନ ନିଜ ବ୍ୟାଟିଂ ଉପରେ ଅଧିକ ମାତ୍ରାରେ ଏକାଗ୍ରତା ରଖିବା ଲାଗି ସେ ନେତୃତ୍ବ ଛାଡ଼ି ଦେଇଥିଲେ। ଏଥି ପାଇଁ ଗାଙ୍ଗୁଲିଙ୍କୁ ପରବର୍ତୀ ଅଧିନାୟକ ନିଯୁକ୍ତ କରାଯାଇଥିଲା। ସୂଚନାଯୋଗ୍ୟ, ୧୯୯୯-୨୦୦୦ ଅଷ୍ଟ୍ରେଲିଆ ଗସ୍ତ ଲାଗି ସଚିନଙ୍କୁ ଭାରତୀୟ ଦଳର ନେତୃତ୍ବ ପ୍ରଦାନ କରାଯାଇଥିଲା। ଏହି ଗସ୍ତରେ ଭାରତ ୦-୩ରେ ଟେଷ୍ଟ୍ ଶୃଙ୍ଖଳା ଏବଂ ତ୍ରିରାଷ୍ଟ୍ରୀୟ ୧୪ ଦିନିକିଆରୁ ମାତ୍ର ଗୋଟିଏ ଜିତିଥିଲା। ସଚିନ ଭାରତୀୟ ଦଳର ଅଗ୍ରଣୀ ରନ୍ ସ୍କୋରର୍ ଥିଲେ ମଧ୍ୟ ବ୍ୟକ୍ତିଗତ ପ୍ରଦର୍ଶନରେ ସନ୍ତୁଷ୍ଟ ନଥିଲେ। ଗସ୍ତରୁ ଫେରିବା ପରେ ସଚିନ ଆଉ ନେତୃତ୍ବ ନେବେ ନାହିଁ ବୋଲି ସ୍ପଷ୍ଟଭାବେ କହିଥିଲେ। ଏହା ପରେ ଦକ୍ଷିଣ ଆଫ୍ରିକା ବିପକ୍ଷ ୨ ମ୍ୟାଚ୍ ବିଶିଷ୍ଟ ଘରୋଇ ଟେଷ୍ଟ୍ ଶୃଙ୍ଖଳା ହିଁ ସଚିନଙ୍କ ନେତୃତ୍ବର ଶେଷ ଅଭିଯାନ ଥିଲା।
Sambad is now on WhatsApp
Join and get latest news updates delivered to you via WhatsApp
‘ଆପଣ ଯଦି ମନେ ପକାଇବେ, ଆମେ ସଚିନଙ୍କୁ ଅଷ୍ଟ୍ରେଲିଆ ଗସ୍ତରେ ଅଧିନାୟକ ଭାବେ ପଠାଇଥିଲୁ। ସେ କିନ୍ତୁ ଫେରିବା ପରେ ଆଉ ନେତୃତ୍ବ ନେବେ ନାହିଁ ବୋଲି ପ୍ରକାଶ କରିଥିଲେ। କହିଥିଲେ ବ୍ୟାଟିଂ ଉପରେ ଏକାଗ୍ରତା ବଢ଼ାଇବା ଲାଗି ଚାହେଁ’ ବୋଲି ବୋର୍ଡେ ପ୍ରକାଶ କରିଥିଲେ। ଏହା ପରେ ମୁଁ ତାଙ୍କୁ ବୁଝାଇଥିଲି, କହିଥିଲି ନୂଆ ପିଢ଼ିର ଖେଳାଳିଙ୍କ ପାଇଁ ଆପଣଙ୍କୁ ଲମ୍ବା ସମୟ ନେତୃତ୍ବ ନେବାକୁ ପଡ଼ିବ। ସେ କିନ୍ତୁ ବୁଝିନଥିଲେ, ଦକ୍ଷିଣ ଆଫ୍ରିକା ବିପକ୍ଷ ଘରୋଇ ଶୃଙ୍ଖଳାରେ ୦-୨ ପରାଜୟ ପରେ ଇସ୍ତଫା ଦେଇଥିଲେ। ‘ଦଳ ପାଇଁ ମୁଁ ଯାହା କରିବା କଥା କରିପାରୁନି, ତେଣୁ ନେତୃତ୍ବ ନେବା ଅପେକ୍ଷା ବ୍ୟାଟିଂ ଉପରେ ଏକାଗ୍ରତା ରଖିବି’ ବୋଲି ପ୍ରତିଶ୍ରୁତି ରଖିଥିଲେ। ସଚିନଙ୍କୁ ବାରମ୍ବାର ବୁଝାଇବା ନେଇ ମଧ୍ୟ ଜଣେ ସହଯୋଗୀ ମୋ ଉପରେ ବିରକ୍ତ ହୋଇଥିଲେ। ଏହା ପରେ ଆମେ ଆଗକୁ ବଢ଼ିଥିଲୁ ଏବଂ ସୌରଭ ଗାଙ୍ଗୁଲିଙ୍କୁ ପରବର୍ତୀ ଅଧିନାୟକ ଚୟନ କରିଥିଲୁ’ ବୋଲି ବୋର୍ଡେ ପ୍ରକାଶ କରିଛନ୍ତି।
୧୯୯୬ରେ ସଚିନଙ୍କୁ ପ୍ରଥମ ଥର ପାଇଁ ନେତୃ୍ତ୍ବ ଭାର ମିଳିଥିଲା। ଦଳ କିନ୍ତୁ ଖରାପ ଖେଳିଥିଲା, ମହମ୍ମଦ ଆଝାରୁଦ୍ଦିନଙ୍କଠାରୁ ସେ ପୁଣି ଥରେ ୧୯୯୯ରେ ଭାର ନେଇ ଅଷ୍ଟ୍ରେଲିଆ ଗସ୍ତ କରିଥିଲେ ମଧ୍ୟ ବିଶେଷ କିଛି ସୁଫଳ ମିଳିନଥିଲା। ପରେ ୨୦୦୭ରେ ଭାରତର ଇଂଲଣ୍ଡ ଗସ୍ତ ବେଳେ ରାହୁଲ ଦ୍ରାବିଡ଼ ଇସ୍ତଫା ଦେବାରୁ ତତ୍କାଳୀନ ବିସିସିଆଇ ସଭାପତି ସଚିନଙ୍କୁ ଏହି ଦାୟିତ୍ବ ଦେବାକୁ ଚାହିଁଥିଲେ ସେ କିନ୍ତୁ ପୁନର୍ବାର ମନା କରିବା ସହ ମହେନ୍ଦ୍ର ସିଂହ ଧୋନିଙ୍କ ନାମ ସୁପାରିସ୍ କରିଥିଲେ। ନିଜେ ସଫଳ ହୋଇନଥିଲେ ମଧ୍ୟ ସଚିନ୍ ଭାରତକୁ ଜଣେ ସଫଳତମ ଅଧିନାୟକ ପ୍ରଦାନ କରିଥିଲେ କହିଲେ ଅତ୍ୟୁକ୍ତ ହେବ ନାହିଁ। ସଚିନଙ୍କ ନେତୃତ୍ବରେ ଭାରତ ୨୫ ଟେଷ୍ଟ୍ରୁ ୪ ବିଜୟ ଏବଂ ୭୩ ଦିନିକିଆରୁ ୨୩ ଜିତିଥିଲା। ଯାହାର ସଫଳତା ଯଥାକ୍ରମେ ୧୬ ଓ ୩୧.୫୦ ପ୍ରତିଶତ ରହିଥିଲା। ଧୋନିଙ୍କ ଅଧିନରେ କିନ୍ତୁ ଭାରତ ଦୁଇ ଥର ବିଶ୍ବକପ୍ (ଟି-୨୦ ଓ ଦିନିକିଆ), ଥରେ ଚାମ୍ପିଅନ୍ସ ଟ୍ରଫି ସହିତ ଟେଷ୍ଟ୍ କ୍ରିକେଟ୍ରେ ବି ଆଇସିସିର ଏକ ନମ୍ବର ମାନ୍ୟତା ହାସଲ କରି ବଡ଼ ଉପଲବ୍ଧି ଅର୍ଜନ କରିଥିଲା।