ଖୋଖୋ ଦଳ କିଣିଲେ ଓଡ଼ିଶା ସରକାର: ଓଡ଼ିଶାରେ ଖୋ‌ଖୋ ବିକାଶ ଲାଗି ‘ଅଲଟିମେଟ୍ ଖୋଖୋ’ ‌ହେବ ମାଧ୍ୟମ

ଭୁବନେଶ୍ୱର: ହକି ପରେ ଓଡ଼ିଶା ସରକାର ଖୋଖୋ ଦଳ କିଣିଛନ୍ତି। ପ୍ରଥମ ରାଜ୍ୟ ଭାବେ ୨୦୧୩ ମସିହାରେ ହକି ଇଣ୍ଡିଆ‌ ଲିଗ୍‌ରେ ଦଳ (କଳିଙ୍ଗ ଲାନସର୍ସ) କିଣି ଅଜସ୍ର ପ୍ରଶଂସା ସାଉଣ୍ଟି ଥିବା ଓଡ଼ିଶା ଖୋଖୋ ଦଳ କିଣିବାରେ ବି ପ୍ରଥମ ରାଜ୍ୟ‌ ହୋଇଛି। ଅଲିଟିମେଟ୍ ଖୋଖୋ (ଓକେକେ) ନାମରେ ଆରମ୍ଭ ହେବାକୁ ଯାଉଥିବା ପେସାଦାର ଖୋଖୋ ଲିଗ୍‌‌ର ପଞ୍ଚମ ଦଳକୁ ଓଡ଼ିଶା ସ୍ପୋର୍ଟସ ଡେଭଲପମେଣ୍ଟ୍ ଆଣ୍ଡ ପ୍ରୋ ମୋସନ୍ କଂପାନି (ଓଏସ୍‌ଡିପିସି) ମାଧ୍ୟମରେ କିଣିଛନ୍ତି ରାଜ୍ୟସରକାର। ଚଳିତବର୍ଷର ଖେଲୋ ଇଣ୍ଡିଆ ଯୁବ କ୍ରୀଡ଼ାରେ ଓଡ଼ିଶା ବାଳକ ଓ ବାଳିକା ରୌପ୍ୟ ପଦକ ଜିତିବା ପରେ ଏଥିରେ ଉତ୍ସାହିତ ହୋଇ ଓଡ଼ିଶା ସରକାର ଏଭଳି ଏକ ନିଷ୍ପତ୍ତି ନେଇଛନ୍ତି। ଏହି କ୍ଷେତ୍ରରେ ଓଏସ୍‌ଡିପିସି ପ୍ରତିଷ୍ଠିତ ଇସ୍ପାତ ନିର୍ମାତା ଆର୍ସେଲରମିତ୍ତଲ ନିପନ ଷ୍ଟିଲ ଇଣ୍ଡିଆ ଲିମିଟେଡ ସହ ହାତ ମିଳାଇଛି। ଉଭୟ ଅଲଟିମେଟ୍‌ ଖୋ ଖୋରେ ଏକାଠି କାର୍ଯ୍ୟ କରିବେ।

ଏହି ପରିପ୍ରେକ୍ଷୀରେ କ୍ରୀଡ଼ା ଓ ଯୁବସେବା ମନ୍ତ୍ରୀ ତୁଷାରକାନ୍ତି ବେହେରା କହିଛନ୍ତି ଯେ “ଓଡିଶାର ବିଭିନ୍ନ ସ୍ଥାନରେ ଖୋଖୋ ଖୁବ୍‌ ଲୋକପ୍ରିୟ। ସମ୍ପ୍ରତି ଖେଲୋ ଇଣ୍ଡିଆ ଯୁବ କ୍ରୀଡ଼ାରେ ଉଭୟ ବାଳକ ଏବଂ ବାଳିକା ବର୍ଗରେ ଓଡ଼ିଶା ରୌପ୍ୟ ପଦକ ହାସଲ କରିଛି। ଏହା ଏକ ପାରମ୍ପରିକ ଖେଳ ହୋଇଥିବାରୁ ରାଜ୍ୟର ବିଭିନ୍ନ ସ୍ଥାନକୁ ଏହାର ସମ୍ପ୍ରସାରଣ କରିବା ପାଇଁ ଯଥେଷ୍ଟ ସୁ‌ଯୋଗ ରହିଛି। ସେଥିପାଇଁ ଆମେ ଖୋଖୋ ଲିଗ୍‌ରେ ଅଂଶଗ୍ରହଣ କରିବା ପାଇଁ ନିଷ୍ପତ୍ତି ନେଇଛୁ। ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ‘ଓଡ଼ିଶାରେ କ୍ରୀଡ଼ାର ଲକ୍ଷ୍ୟ’ର ଏହା ଏକ ଅଂଶ।’’

ଏହି ସମ୍ପର୍କରେ ଅଲଟିମେଟ ଖୋଖୋର ମୁଖ୍ୟ କାର୍ଯ୍ୟନିର୍ବାହୀ ତେନଜିଂ ନିଓଗି କହିଛନ୍ତି ଯେ, “ଭାରତରେ କ୍ରୀଡ଼ା ବିବର୍ତ୍ତନକୁ ମଜବୁତ କରିବାରେ ଓଡିଶା ମୁଖ୍ୟ ଭୂମିକା ଗ୍ରହଣ କରିଆସୁଛି। କ୍ରୀଡ଼ାର ବିକାଶ ପାଇଁ ଓଡ଼ିଶା ନେଉଥିବା ପଦକ୍ଷେପ ଖୁବ୍ ପ୍ରଭାବଶାଳୀ। ଏଠାରେ ଏପରି ଏକ ପରିବେଶ ସୃଷ୍ଟି ହୋଇଛି ଯେ ବହୁ କର୍ପୋରେଟ ନିବେଶକାରୀମାନେ ଭବିଷ୍ୟତର ଚାମ୍ପିଅନ୍ ସୃଷ୍ଟି ଏବଂ ତୃଣମୂଳ ସ୍ତରରେ କ୍ରୀଡ଼ାର ବିକାଶ ଲାଗି ସହାୟତାର ହାତ ବଢ଼ାଇଛନ୍ତି। ଅଲଟିମେଟ୍ ଖୋଖୋ ସହ ଓଡ଼ିଶା ଯେଉଁ ସଂପର୍କ ଯୋଡ଼ିଛି ତାହା କ୍ରୀଡ଼ା ବିକାଶର ଏକ ନିଚ୍ଛକ ଉଦାହରଣ।

ସୂଚନାଯୋଗ୍ୟ ଯେ ପୂର୍ବରୁ ଅଲଟିମେଟ୍ ଖୋଖୋର ଚାରିଟି ଦଳ ଘୋଷଣା ହୋଇସାରିଛି। ବହୁରାଷ୍ଟ୍ରୀୟ ଅଦାନୀ ଗ୍ରୁପ ଏବଂ ଜିଏମଆର ଗ୍ରୁପ ଗୁଜୁରାଟ ଏବଂ ତେଲଙ୍ଗାନା ଦଳ କିଣିଛନ୍ତି। ସେହିଭଳି କ୍ୟାପ୍ରି ଗ୍ଲୋବାଲ ଏବଂ କେଏଲଓ ସ୍ପୋର୍ଟସ ଯଥାକ୍ରମେ ରାଜସ୍ଥାନ ଏବଂ ଚେନ୍ନାଇ ଦଳର ମାଲିକ ହୋଇଛନ୍ତି। ପଞ୍ଚମ ଦଳ ଓଡ଼ିଶା ସରକାର କିଣିଥିଲା ବେଳେ ଆଗାମୀ କିଛି ଦିନ ଭିତରେ ଏହାର ନାମ କରଣ ହେବ ବୋଲି ସୂଚନା ମିଳିଛି। ଅଲଟିମେଟ୍‌ ଖୋଖୋର ପ୍ରସାରଣ ପ୍ରସାରଣ ସୋନି ପିକ୍ଚର୍ସ ନେଟୱାର୍କ ଇଣ୍ଡିଆ (ଏସପିଏନଆଇ)ରେ କରାଯିବ। ଲିଗ୍‌ର ସମସ୍ତ କାର୍ଯ୍ୟକ୍ରମ ସୋନିର ସ୍ପୋର୍ଟସ ଚ୍ୟାନେଲ ଏବଂ ଓଟିଟି ପ୍ଲାଟଫର୍ମ ସୋନି ଲିଭ ଆପରେ ଇଂରାଜୀ ଏବଂ ଅନ୍ୟାନ୍ୟ ଆଂଚଳିକ ଭାଷାରେ ପ୍ରସାରିତ ହେବ।

ସମ୍ବନ୍ଧିତ ଖବର