ନେଦରଲାଣ୍ଡ୍‌ସ ବିପକ୍ଷ ପ୍ରୋ ଲିଗ୍‌ ସମ୍ଭାବ୍ୟ ଦଳକୁ ଫେରିଲେ ରାଣୀ: ସବିତାଙ୍କୁ ନେତୃତ୍ବ; ଦୀପଗ୍ରେସ୍‌ ପୁଣି ଉପଅଧିନାୟିକା

ଭୁବନେଶ୍ବର: ବିଶ୍ବ ମାନ୍ୟତାର ଶୀର୍ଷ ଦଳ ନେଦରଲାଣ୍ଡ୍‌ସ ବିପକ୍ଷ ପ୍ରୋ ଲିଗ୍‌ ହକି ମ୍ୟାଚ୍‌ ଚଳିତ ମାସ ୮ ଓ ୯ ତାରିଖରେ ସ୍ଥାନୀୟ କଳିଙ୍ଗ ଷ୍ଟାଡିୟମ୍‌ରେ ଖେଳାଯିବ। ଶୁକ୍ରବାର ୮ ତାରିଖ ମ୍ୟାଚ୍‌ ରାତି ୭.୩୦ରେ ଏବଂ ଶନିବାର ୯ ତାରିଖ ମ୍ୟାଚ୍‌ ଅପରାହ୍ଣ ୩.୩୦ରେ ଖେଳାଯିବ। ଏହି ମ୍ୟାଚ୍‌ ଲାଗି ମଙ୍ଗଳବାର ହକି ଇଣ୍ଡିଆ ୨୨ ଜଣିଆ ସମ୍ଭାବ୍ୟ ଭାରତୀୟ ଦଳ ଘୋଷଣା କରିଛି। ସବିତାଙ୍କୁ ପୁଣି ଦଳର ନେତୃତ୍ବ ଭାର ଦିଆଯାଇଥିଲା ବେଳେ ଓଡ଼ିଆ ଝିଅ ଦୀପଗ୍ରେସ୍‌ ଏକ୍କା ମଧ୍ୟ ଉପଅଧିନାୟିକା ପଦ ବଜାୟ ରଖିବେ। ଏହି ଦଳରେ ଦୀପଗ୍ରେସ୍‌ଙ୍କ ବ୍ୟତୀତ ଅନ୍ୟ ତିନି ଓଡ଼ିଆ ଭାବେ ରଶ୍ମିତା ମିଞ୍ଜ୍‌, ନମିତା ଟପ୍ପୋ ଏବଂ ମାରିଆନା କୁଜୁର ସ୍ଥାନ ପାଇଛନ୍ତି। ଡିଫେଣ୍ଡର ମହିମା ଚୌଧୁରୀ ଏବଂ ଫରୱାର୍ଡ ଐଶ୍ବର୍ଯ୍ୟା ରାଜେଶ ଚଭନ ଦଳରେ ନୂଆ ମୁହଁ ଭାବେ ସାମିଲ ହୋଇଥିଲା ବେଳେ ଅଭିଜ୍ଞ ଷ୍ଟ୍ରାଇକର ତଥା ପୂର୍ବତନ ଅଧିନାୟିକା ରାଣୀ ଲମ୍ବା ସମୟ ଧରି ଅସୁସ୍ଥତା ପରେ ଫିଟ୍‌ ହୋଇ ଫେରିଛନ୍ତି। ଗତବର୍ଷ ଟୋକିଓ ଅଲିମ୍ପିକ୍ସ ପରଠାରୁ ରାଣୀ ଦଳ ବାହାରେ ରହିଥିଲେ। ତାଙ୍କ ପ୍ରତ୍ୟାବର୍ତନ ନେଦରଲାଣ୍ଡ୍‌ ଭଳି ଶକ୍ତିଶାଳୀ ଦଳ ବିପକ୍ଷରେ ଭାରତର ଶକ୍ତି ବୃଦ୍ଧି କରିପାରିବ ବୋଲି ମୁଖ୍ୟ ପ୍ରଶିକ୍ଷକ ଜାନେକେ ଶ୍ଚୋପ୍‌ମ୍ୟାନ୍ କହିଛନ୍ତି। ନେଦରଲାଣ୍ଡ୍‌ସ ଏକ ଦୃଢ଼ ପ୍ରତିଦ୍ବନ୍ଦ୍ବୀ। ଗତ ସପ୍ତାହରେ ଆମେରିକା ବିପକ୍ଷରେ ସହଜରେ ଏହି ଦଳ ଗୋଲ୍‌ ସ୍କୋର୍‌ କରିଥିଲା। ଆମେ ସେହି ଦଳ ବିପକ୍ଷରେ କଳିଙ୍ଗ ଷ୍ଟାଡିୟମ୍‌ରେ ଉନ୍ନତ ପ୍ରଦର୍ଶନ କରିବାର ଆଶା ରଖିଛୁ ବୋଲି ଶ୍ଚୋପ୍‌ମ୍ୟାନ୍‌ କହିଛନ୍ତି।

୨୨ ଜଣିଆ ସମ୍ଭାବ୍ୟ ଦଳ: ଗୋଲ୍‌ରକ୍ଷକ-ସବିତା (ଅଧିନାୟିକା) ଓ ରଜନୀ ଇଟିମାର୍ପୁ। ଡିଫେଣ୍ଡରସ-ଦୀପଗ୍ରେସ୍‌ ଏକ୍କା (ଉପଅଧିନାୟିକା), ଗୁରଜିତ କୌର, ନିକ୍କି ପ୍ରଧାନ, ଉଦିତା, ରଶ୍ମିତା ମିଞ୍ଜ୍‌, ସୁମନ ଦେବୀ ‌ଥେଡେମ। ମିଡ୍‌ଫିଲ୍‌ଡରସ-ନିଶା, ସୁଶୀଲା ଚାନୁ ପୁଖ୍ରମବାମ୍‌, ଜ୍ୟୋତି, ନଭ୍‌ଜୋତ୍‌ କୌର, ମୋନିକା, ନମିତା ଟପ୍ପୋ, ସୋନିକା, ନେହା, ମହିମା ଚୌଧୁରୀ। ଫରୱାର୍ଡସ-‌ଐଶ୍ଚର୍ଯ୍ୟା ରାଜେଶ ଚଭନ, ନଭ୍‌ନୀତ କୌର, ରାଜୱିନ୍ଦର କୌର, ରାଣୀ, ମାରିଆନା କୁଜୁର। ଷ୍ଟାଣ୍ଡ୍‌ ବାଇ-ଉପାସନା ସିଂହ, ପ୍ରୀତି ଦୁବେ, ବନ୍ଦନା କାଟାରିୟା।

ସମ୍ବନ୍ଧିତ ଖବର