୨୦୨୧ରେ ନହେଲେ ଟୋକିଓ ଅଲିମ୍ପିକ୍ସ ବାତିଲ ହେବ: ଆଇଓସି ମୁଖ୍ୟ

ଟୋକିଓ: କରୋନା ଯୋଗୁଁ ‌ଯଦି ୨୦୨୧ରେ ଟୋକିଓ ଅଲିମ୍ପିକ୍ସ ଆୟୋଜିତ ନ ହୋଇପାରେ ତେବେ ଏହାକୁ ବାତିଲ କରି ଦିଆଯିବ ବୋଲି ଅନ୍ତର୍ଜାତୀୟ ଅଲିମ୍ପିକ୍ସ ସମିତି (ଆଇଓସି) ମୁଖ୍ୟ ଥୋମାସ୍‌ ବାକ୍‌ କହିଛନ୍ତି। ଚଳିତ ବର୍ଷ ଜୁଲାଇରେ ହେବାକୁ ଥିବା ଏହି ବହୁ କ୍ରୀଡ଼ା ପ୍ରତିଯୋଗିତାକୁ କରୋନା ଯୋଗୁଁ‌ ଆଇଓସି ଓ ଜାପାନ ସରକାର ଗୋଟିଏ ବର୍ଷ ଘୁଞ୍ଚାଇବାକୁ ନିଷ୍ପତ୍ତି ନେଇଥିଲେ। ୨୦୨୧ରେ ଯଦି କରୋନା ଭୂତାଣୁର ପ୍ରକୋପ ଥିବ ତେବେ ଏହି ବହୁ ରାଷ୍ଟ୍ରୀୟ ପ୍ରତିଯୋଗିତା ହୋଇପାରିବନି ବୋଲି ଜାପାନ ପ୍ରଧାନମନ୍ତ୍ରୀ ସିଞ୍ଜୋ ଆବେ କହିଛନ୍ତି। ମୁଁ ମୋର ସ୍ଥିତି ବୁଝିଛି। ଖୋଲାଖୋଲି ଭାବେ କହିବାକୁ ଗଲେ, ଆମର ଏଥିରେ କିଛି ବୁଝାମଣା ରହିଛି। ଆୟୋଜକ ସମିତିରେ କାମ କରୁଥିବା ୩୦୦୦ରୁ ୫୦୦୦ ଲୋକଙ୍କୁ ସବୁଦିନ ପାଇଁ ନିଯୁକ୍ତି ଦେଇ ହେବନି। ପ୍ରତିବର୍ଷ ସମସ୍ତ ପ୍ରମୁଖ ମହାସଂଘଗୁଡ଼ିକର କ୍ରୀଡ଼ା ସୂଚୀକୁ ପରିବର୍ତ୍ତନ କରିପାରିବା ନାହିଁ କି ଖଳାଳିମାନଙ୍କୁ ଅନିଶ୍ଚିତତା ମଧ୍ୟରେ ରଖିପାରିବା ନାହିଁ ବୋଲି ବାକ୍‌ କହିଛନ୍ତି।

ସଂପ୍ରତି ଜାପାନରେ ୧୭,୧୦୦ରୁ ଅଧିକ ଲୋକଙ୍କୁ କରୋନାରେ ସଂକ୍ରମିତ ହୋଇଥିଲା ବେଳେ ୭୯୭ ଜଣଙ୍କର ମୃତ୍ୟୁ ଘଟିଛି। ଆଇଓସି ଆସନ୍ତା ବର୍ଷ ଖେଳ ଆୟୋଜନ କରିବାକୁ ପ୍ରତିଶ୍ରୁତିବଦ୍ଧ। ହେଲେ ଭୂତାଣୁର ଅବସ୍ଥାକୁ ଦେଖି ପ୍ରସ୍ତୁତ ହେବା ସହ ଖେଳାଳିମାନଙ୍କୁ ସଂଗରୋଧରେ ରଖିବାକୁ ପଡ଼ିବ ବୋଲି ବାକ୍‌ କହିଛନ୍ତି।। ଅଲିମ୍ପିକ୍ ଗ୍ରାମରେ ଜୀବନ ପାଇଁ ଏହାର ଅର୍ଥ କ’ଣ ହୋଇପାରେ? ଭିନ୍ନ ଭିନ୍ନ ଦୃଷ୍ଟିକୋଣ ଉପରେ ଆମେ ବିଚାର କରୁଛୁ। ଏହି କାରଣରୁ ମୁଁ ଏହାକୁ ଏକ ବୃହତ୍ କାର୍ଯ୍ୟ ବୋଲି କହୁଛି। କାରଣ ଏଠାରେ ଅନେକ ବିକଳ୍ପ ଅଛି। ବର୍ତ୍ତମାନ ଏହା ଉପରେ କିଛି କହି ହେବନି। ୨୦୨୧ ଜୁଲାଇ ୨୩ ବେଳକୁ ବିଶ୍ବ ପରିସ୍ଥିତି କିପରି ଥିବ ତାହାକୁ ନଜରରେ ରଖି ଆମେ ଉପଯୁକ୍ତ ନିଷ୍ପତ୍ତି ଗ୍ରହଣ କରିବୁ ବୋଲି ଏହାର ଉତ୍ତରରେ ବାକ୍‌ କହିଛନ୍ତି।

ସମ୍ବନ୍ଧିତ ଖବର