ଭଲ ପ୍ରଦର୍ଶନ ସତ୍ତ୍ବେ ଗିଲଙ୍କୁ ସୁଯୋଗ ନଦେଇ ରାହୁଲଙ୍କୁ ଟିମରେ ସାମିଲ କଲେ ରୋହିତ ଶର୍ମା

ନୂଆଦିଲ୍ଲୀ: ଭଲ ପ୍ରଦର୍ଶନ ସତ୍ତ୍ବେ କ୍ରିକେଟର ଶୁଭମନ ଗିଲଙ୍କୁ ସୁଯୋଗ ନଦେଇ କେଏଲ ରାହୁଲଙ୍କୁ ଟିମରେ ସାମିଲ କଲେ ଅଧିନାୟକ ରୋହିତ ଶର୍ମା। ଆଜି ମହାରାଷ୍ଟ୍ରର ନାଗପୁରରେ ଭାରତ ଓ ଅଷ୍ଟ୍ରେଲିଆ ମଧ୍ୟରେ ଆରମ୍ଭ ହୋଇଥିବା ପ୍ରଥମ ଟେଷ୍ଟ୍‌ ମ୍ୟାଚ୍‌ରେ ଶୁଭମନ ଗିଲଙ୍କୁ ହଟାଇ କେଏଲ ରାହୁଲଙ୍କୁ ମ୍ୟାଚ୍ ଓପନିଂ ଦାୟିତ୍ବ ଦେଇଛନ୍ତି ରୋହିତ। ତାଙ୍କର ଏହି ନିଷ୍ପତ୍ତି ପାଇଁ ଏବେ ତାଙ୍କୁ ଟ୍ରୋଲ କରାଯାଉଛି।

୨୩ବର୍ଷୀୟ ଶୁଭମାନ ଗିଲ ବର୍ତ୍ତମାନ ଭାରତୀୟ କ୍ରିକେଟର ନୂଆ ତାରକା ପାଲଟିଛନ୍ତି। ଟେଷ୍ଟ ମ୍ୟାଚ୍, ଟି -୨୦ ହେଉ କି ଓଡିଆଇ କ୍ରିକେଟ୍, ଶୁଭମନ ଗିଲଙ୍କ ବ୍ୟାଟିଂର ଚମତ୍କାର ଏବେ ସବୁଠି ଦେଖିବାକୁ ମିଳୁଛି। ଲଗାତାର ଶତକ କରି ଗିଲ୍ ଏବେ ଭାରତୀୟ କ୍ରିକେଟରେ ନିଜର ସ୍ବତନ୍ତ୍ର ସ୍ଥାନ ତିଆରି କରିସାରିଛନ୍ତି। ତାଙ୍କ ପ୍ରଦର୍ଶନକୁ ଦେଖି ଭବିଷ୍ୟତରେ ଭାରତୀୟ କ୍ରିକେଟରେ ତାଙ୍କ ବଡ଼ ଦାୟିତ୍ବ ମିଳିପାରେ ବୋଲି କ୍ରିକେଟ ପ୍ରଶଂସକ କହିବା ଆରମ୍ଭ କରିଛନ୍ତି। ହେଲେ ଭଲ ପ୍ରଦର୍ଶନ କରିବା ସତ୍ତ୍ବେ ବି ଆଜି ଭାରତ ଓ ଅଷ୍ଟ୍ରେଲିଆ ମଧ୍ୟରେ ଆରମ୍ଭ ହୋଇଥିବା ପ୍ରଥମ ଟେଷ୍ଟ୍‌ ମ୍ୟାଚ୍‌ରେ ତାଙ୍କୁ ଖେଳିବାର ସୁଯୋଗ ଦିଆଯାଇନାହିଁ।

ଆଜିର ଏହି ମ୍ୟାଚ୍‌ରେ ଭାରତୀୟ ଟିମ୍‌ରେ ଖେଳୁଛନ୍ତି: ରୋହିତ ଶର୍ମା (ଅଧିନାୟକ), କେ. ଏଲ୍‌. ରାହୁଲ୍‌, ଚେତେଶ୍ବର ପୂଜାରା, ବିରାଟ କୋହଲି, ସୂର୍ଯ୍ୟକୁମାର ଯାଦବ, ଶ୍ରୀକର ଭାରତ (ୱିକେଟ୍‌ ରକ୍ଷକ), ରବୀନ୍ଦ୍ର ଜାଦେଜା, ରବିଚନ୍ଦ୍ରନ୍‌ ଅଶ୍ବିନ, ଅକ୍ଷର ପଟେଲ୍‌, ମହମ୍ମଦ ଶାମି ଓ ମହମ୍ମଦ ସିରାଜ। ଏହି ମ୍ୟାଚ୍‌ରେ ସୂର୍ଯ୍ୟକୁମାର ଯାଦବ ଓ ଉଇକେଟ କିପର କେ.ଏସ ଭରତଙ୍କୁ ଭାରତ ପାଇଁ ଟେଷ୍ଟ ଡେବ୍ୟୁ କରିବାର ସୁଯୋଗ ମିଳିଛି। ଟେଷ୍ଟରେ ଡେବ୍ୟୁ କରିବା ପରେ ସୂର୍ଯ୍ୟକୁମାର ଯାଦବ ୩୦୪ତମ ଓ କେ.ଏସ ଭରତ ୩୦୫ତମ ଭାରତୀୟ କ୍ରିକେଟର ହୋଇଛନ୍ତି।

ସମ୍ବନ୍ଧିତ ଖବର