ବିଜୟରୁ ଭାରତର ଅଭିଯାନ : ଶ୍ରୀଲଙ୍କାକୁ ୯୦ ରନ୍‌ରେ ହରାଇଲା

ବ୍ଲୋଏମ୍‌ଫୋଣ୍ଟିନ : ଦକ୍ଷିଣ ଆଫ୍ରିକାରେ ଚାଲିଥିବା ୧୯ ବର୍ଷରୁ କମ୍‌ କ୍ରିକେଟ୍‌ ବିଶ୍ବକପ୍‌ରେ ୪ ଥର ବିଜେତା ଭାରତୀୟ ଯୁବ ଦଳ ବିଜୟରୁ ଅଭିଯାନ ଆରମ୍ଭ କରିଛି। ରବିବାର ଭାରତ ତା’ର ପ୍ରଥମ ମ୍ୟାଚ୍‌ ଶ୍ରୀଲଙ୍କା ବିପକ୍ଷରେ ଖେଳିଥିଲା ବେଳେ ଚଳିତ ବିଶ୍ବକପ୍‌ର ଏହା ଥିଲା ସପ୍ତମ ମ୍ୟାଚ୍‌। ଏହି ମ୍ୟାଚ୍‌ରେ ଭାରତ ୯୦ ରନ୍‌ରେ ଶ୍ରୀଲଙ୍କାକୁ ପରାସ୍ତ କରିଦେଇଛି।

ଟସ୍‌ ଜିତି ଶ୍ରୀଲଙ୍କା ପ୍ରଥମେ ବ୍ୟାଟିଂ ପାଇଁ ଭାରତକୁ ଆହ୍ବାନ କରିଥିଲା। ଏହି ଆହ୍ବାନକୁ ଗ୍ରହଣ କରିଥିବା ଭାରତ ୩ ଅର୍ଧଶତକ ବଳରେ ନିର୍ଧାରିତ ୫୦ ଓଭରରେ ୪ ୱିକେଟ୍‌ ହରାଇ ୨୯୭ ରନ୍‌ର ବଡ଼ ସ୍କୋର୍‌ ଛିଡ଼ା କରିଥିଲା। ପ୍ରାରମ୍ଭିକ ବ୍ୟାଟ୍‌ସମ୍ୟାନ୍‌ ଯଶସ୍ବୀ ଜୟସ୍ବାଲ (୫୯), ଅଧିନାୟକ ପ୍ରିୟମ୍‌ ଗର୍ଗ (୫୬) ଓ ୱିକେଟ୍‌ରକ୍ଷକ ଧ୍ରୁବ ଜୁରେଲ (ଅପରାଜିତ ୫୨)ଙ୍କ ଦମ୍‌ଦାର ଅର୍ଧଶତକୀୟ ପାଳି ବ୍ୟତୀତ ତିଲକ ବର୍ମା (୪୬), ଅଲ୍‌ରାଉଣ୍ଡର ସିଦ୍ଧେଶ ବୀର (ଅପରାଜିତ ୪୪) ଓ ଅନ୍ୟତମ ପ୍ରାରମ୍ଭିକ ବ୍ୟାଟ୍‌ସମ୍ୟାନ୍ ଦିବ୍ୟାଂଶ ସାକ୍ସେନା (୨୩)ଙ୍କ ଉପଯୋଗୀ ପାଳି ବଳରେ ଭାରତ ସ୍କୋର୍‌ ୩୦୦ ପାଖାପାଖି ପହଞ୍ଚିଯାଇଥିଲା। ଜୟସ୍ବାଲ ଓ ସାକ୍ସେନା ପ୍ରଥମ ୱିକେଟ୍‌ରେ ୬୬ ରନ୍, ତିଲକ ଓ ଗର୍ଗ ତୃତୀୟ ୱିକେଟ୍‌ରେ ୫୯ ଏବଂ ଗର୍ଗ ଓ ଜୁରେଲ ଚତୁର୍ଥ ୱିକେଟ୍‌ରେ ୬୩ ରନ୍‌ ଯୋଡ଼ିବା ହିଁ ଭାରତ ପାଳିର ଉଲ୍ଲେଖନୀୟ ଥିଲା‌।

ଜବାବରେ ଶ୍ରୀଲଙ୍କା ପାଳି ୪୫.୨ ଓଭରରେ ୨୦୭ ରନ୍‌ରେ ସଫା ହୋଇଯାଇଥିଲା। ଅଧିନାୟକ ନିପୁନ ପେରେରା (୫୦) ଏକମାତ୍ର ଅର୍ଧଶତକ ହାସଲ କରିଥିଲା ବେଳେ ଭାରତ ପକ୍ଷରୁ ଆକାଶ ସିଂହ, ରବି ବିଷ୍ଣୋଇ ଓ ସିଦ୍ଧେଶ ବୀର ୨ ଲେଖାଏଁ ୱିକେଟ୍‌ ଦଖଲ କରିଥିଲେ। ଅନ୍ୟମାନଙ୍କ ମଧ୍ୟରେ କାର୍ତିକ ତ୍ୟାଗୀ, ସୁଶାନ୍ତ ମିଶ୍ର ଓ ଯଶସ୍ବୀ ଜୟସ୍ବାଲ ଗୋଟିଏ ଲେଖାଏଁ ୱିକେଟ୍‌ ନେଇଥିଲେ। ସିଦ୍ଦେଶ ବୀର ମ୍ୟାଚ୍‌ର ଶ୍ରେଷ୍ଠ ଖେଳାଳି ପୁରସ୍କାର ପାଇଥିଲେ।

ସମ୍ବନ୍ଧିତ ଖବର