ଅଷ୍ଟ୍ରେଲିଆର ବଡ଼ ବିଜୟ, ଜନ୍ମଦିନରେ ୱାର୍ନରଙ୍କ ଶତକ

ଆଡିଲେଡ୍‌ ନିଜର ୩୩ତମ ଜନ୍ମଦିନରେ ପ୍ରଥମ ଥର ଟ୍ବେଣ୍ଟି-୨୦ ଅନ୍ତର୍ଜାତୀୟ ଶତକ ହାସଲ କରି ତାରକା ବ୍ୟାଟ୍‌ସମ୍ୟାନ୍‌ ଡେଭିଡ୍ ୱାର୍ନର ଅଷ୍ଟ୍ରେଲିଆକୁ ବଡ଼ ବିଜୟ ଦେଇଛନ୍ତି। ଶ୍ରୀଲଙ୍କା ବିପକ୍ଷ ଏହି ମ୍ୟାଚ୍‌‌ରେ ୧୩୪ ରନ୍‌ର ବଡ଼ ବିଜୟ ସହିତ କଙ୍ଗାରୁ ଦଳ ୩ ମ୍ୟାଚ୍‌ ଶୃଙ୍ଖଳାରେ ୧-୦ରେ ଆଗୁଆ ହୋଇଛି।ଗତ ଆସେସ୍‌ ଶୃଙ୍ଖଳା ସାରା ସମ୍ପୂର୍ଣ୍ଣ ବିଫଳ ହୋଇଥିବା ୱାର୍ନର ୧୦ ପାଳିରୁ ମାତ୍ର ୯୫ ରନ୍ ସଂଗ୍ରହ କରିଥିଲେ। ରବିବାର କିନ୍ତୁ ଶ୍ରୀଲଙ୍କା ବିପକ୍ଷ ପ୍ରଥମ ଟ୍ବେଣ୍ଟି-୨୦ରେ ସଙ୍କଳ୍ପର ସହ ଖେଳି ଅପରାଜିତ ଶତକ ସହିତ ଜନ୍ମଦିନକୁ ସ୍ମରଣୀୟ କରି ଦେଇଥିଲେ। ମାତ୍ର ୫୬ ବଲ୍‌ରୁ ୧୦୦* ରନ୍‌ କରିଥିବା ୱାର୍ନର ୨୮ ବଲରୁ ମଧ୍ୟ ଅର୍ଧଶତକ ହାସଲ କରିଥିଲେ। ଏହି ବି‌ସ୍ଫୋରକ ପାଳିରେ ୧୦ ଆକର୍ଷଣୀୟ ଚୌକା ଏବଂ ୪ ଛକା ମଧ୍ୟ ସାମିଲ ରହିଥିଲା। ଅରୋନ୍‌ ଫିଞ୍ଚ୍‌ (୬୪, ୩୬ ବଲ୍‌, ୮ ଚୌକା, ୩ ଛକା) ଏବଂ ଗ୍ଲେନ୍ ମ୍ୟାକ୍ସୱେଲ୍‌ (୬୨, ୨୮ ବଲ୍‌, ୭ ଚୌକା, ୩ ଛକା) ମଧ୍ୟ ବିସ୍ଫୋରକ ବ୍ୟାଟିଂ କରି ଅର୍ଧଶତକ ହାସଲ କରିଥିଲେ। ଫିଞ୍ଚ୍‌ ଏବଂ ୱାର୍ନର ପ୍ରଥମ ୱିକେଟ୍‌ ପାଇଁ ୧୦.୫ ଓଭରରେ ୧୨୨ ରନ୍ କରିଥିଲେ। ମ୍ୟାକ୍ସୱେଲଙ୍କୁ ସାଥିକରି ୱାର୍ନର ଆଉ ଏକ ଶତକୀୟ ଭାଗୀଦାରି (୧୦୭ ରନ୍‌, ୮.୪ ଓଭର) କରିଥିଲେ। ଅଷ୍ଟ୍ରେଲିଆ ୨୦ ଓଭରରେ ୨ ୱିକେଟ୍ ହରାଇ ୨୩୩ ରନ୍ କରିଥିଲା। ଶ୍ରୀଲଙ୍କା ପକ୍ଷରୁ ସନ୍ଦକଣ ଏବଂ ଶଣକା ପ୍ରତ୍ୟେକ‌ ଗୋଟିଏ ଲେଖାଏଁ ୱିକେଟ୍ ନେଇଥିଲେ। କାସୁନ ରଂଜିତା ୪ ଓଭରରେ ୭୫ ରନ୍ ବ୍ୟୟ କରିବା ଟ୍ବେଣ୍ଟି-୨୦ ଅନ୍ତର୍ଜାତୀୟରେ ସବୁଠୁ ମହଙ୍ଗା ବୋଲିଂ ଚିତ୍ର ହୋଇଥିଲା।

ଜବାବରେ ଶ୍ରୀଲଙ୍କା ଦଳ ୨୦ ଓଭରରେ ୯ ୱିକେଟ୍‌ରେ ୯୯ ରନ୍ କରିପାରିଥିଲା। ଆଜାମ ଜାମ୍ପା ସର୍ବାଧିକ ୩ ୱିକେଟ୍ ନେଇଥିବା ବ‌େଳେ ମିଚେଲ୍ ଷ୍ଟାର୍କ ଓ ପ୍ୟାଟ୍ କମିନ୍ସ ୨-୨ ଏବଂ ଆଷ୍ଟନ୍ ଆଗର ଗୋଟିଏ ୱିକେଟ୍ ନେଇଥିଲେ। ୱାର୍ନର ମ୍ୟାଚ୍‌ର ଶ୍ରେଷ୍ଠ ‌ଖେଳାଳି ପୁରସ୍କାର ମଧ୍ୟ ପାଇଥିଲେ। ‘ଏଭଳି ଏକ ସୁନ୍ଦର ୱିକେଟ୍‌ରେ ବ୍ୟାଟିଂ କରିବା ବଡ଼ କଥା ଥିଲା। ଫିଞ୍ଚ୍‌ ଭଲ ଆରମ୍ଭ କରିବା ପରେ ମୁଁ ଅଭିଯାନ ଜାରି ରଖିଥିଲି ଏବଂ ଶେଷ ପର୍ଯ୍ୟନ୍ତ ରହିଥିଲି’ ବୋଲି ୱାର୍ନର ପ୍ରକାଶ କରିଥିଲେ।

ସମ୍ବନ୍ଧିତ ଖବର