ସିଧା କଥା ହେଲା, ଆମକୁ ଶେଷ ତିନିଟି ମ୍ୟାଚ୍ ଜିତିବାକୁ ହେବ

ଏବି ଡି’ଭିଲିୟର୍ସ

ବେଙ୍ଗାଲୁରୁର ଏମ୍‌ଜି ରୋଡ୍ ଟ୍ରାଫିକ ଭିଡ଼ ପାଇଁ ପୂରା ବଦନାମ। ହେଲେ ପୁଲ୍ ପର୍ଯ୍ୟାୟ ଶେଷ ହେବାର ନିକଟତର ହେବା ସତ୍ତ୍ବେ ଆଇପିଏଲ୍‌ ପଏଣ୍ଟ ଟେବୁଲ୍‌ରେ ସେତେଟା ଭିଡ଼ ନାହିଁ। ଗଣିତଜ୍ଞ, ପରିସଂଖ୍ୟାନବିତ୍ ଏବଂ ଆମ ଭଳି କ୍ରିକେଟରଙ୍କଠାରୁ ଅଧିକ ଧୀଶକ୍ତି ଥିବା ଲୋକମାନେ ପଏଣ୍ଟ ତାଲିକାର ପରବର୍ତୀ ସ୍ଥିତିକୁ ନେଇ ନାନା ଆକଳନ କରୁଛନ୍ତି। ଆର୍‌ସିବି ଡ୍ରେସିଂ ରୁମ୍‌ର ମତ କିନ୍ତୁ ଅତି ସରଳ। ଅନ୍ୟ ଦଳ, ଫଳାଫଳ, ରନ୍ ହାର ଓ ପାଗ ବିଷୟରେ ଆଦୌ ଚିନ୍ତା କରନାହିଁ। ସିଧା କଥା ହେଲା, ଆମକୁ ଶେଷ ୩ ମ୍ୟାଚ୍ କଳେବଳେ କୌଶଳେ ଜିତିବାକୁ ହେବ। ଏହା ପରେ କୌଣସି ବଡ଼ ଧରଣର ଅଘଟଣ ନଘଟିଲେ, ଆମେ ହୁଏତ ପ୍ଲେ ଅଫ୍ ଯାଇ ପାରିବୁ। ନିଜ ପ୍ରଥମ ୬ ମ୍ୟାଚ୍ ହାରିଥିବା ଦଳ ପାଇଁ ଏଭଳି ସଫଳତା, ନାଟକୀୟ ପ୍ରତ୍ୟାବର୍ତନଠାରୁ କିଛି କମ୍ ହେବନି। ଆମର ସବୁ ଧ୍ୟାନ ଏବେ ରବିବାର ସଂଧ୍ୟାରେ ଫିରୋଜ ସାହା କୋଟ୍‌ଲା ଷ୍ଟାଡିୟମରେ ଖେଳାଯିବାକୁ ଥିବା ଦିଲ୍ଲୀ କ୍ୟାପିଟାଲ୍ସ ବିପକ୍ଷ ମ୍ୟାଚ୍ ଉପରେ ରହିଛି। ଦିଲ୍ଲୀ ନିଃସନ୍ଦେହରେ ଏକ ଶକ୍ତିଶାଳୀ ପ୍ରତିପକ୍ଷ। ସେମାନେ ବେଶ୍ କିଛି ସମୟ ହେଲା ପଏଣ୍ଟ୍‌ ଟେବୁଲର ଶୀର୍ଷ ଭାଗରେ ରହିଛନ୍ତି। ଘରୋଇ ପରିବେଶରେ କିଙ୍ଗ୍ସ ଏକାଦଶ ପଞ୍ଜାବ ଏବଂ ବାହାରେ ରାଜସ୍ଥାନ ରୟାଲ୍ସକୁ ହରାଇବା ପରେ ସେମାନଙ୍କ ଆତ୍ମବିଶ୍ବାସ ଏବେ ଢେର ଉଚ୍ଚରେ ଥିବ। ୬ ଦିନର ବିଶ୍ରାମରୁ ମଧ୍ୟ ସେମାନଙ୍କୁ ଲାଭ ମିଳିବ। ମୋ ମତରେ କୋଟ୍‌ଲା ପିଚ୍ ସମ୍ଭବତଃ ସ୍ପିନ୍‌କୁ ସୁହାଇବ। ଯାହାର ଅର୍ଥ ହେଉଛି, ୟୁଜବେନ୍ଦ୍ର ଚହଲଙ୍କୁ ପୁଣି ଥରେ ଗୁରୁତ୍ବପୂର୍ଣ୍ଣ ଭୂମିକା ତୁଲାଇବାକୁ ହେବ। ମୋଇନ ଅଲ୍ଲୀ ଇଂଲଣ୍ଡ ଫେରିବା ପରେ ତାଙ୍କୁ ଅଧିକ ଦାୟିତ୍ବ ନେବାକୁ ପଡ଼ିବ। ବ୍ୟାଟିଂ ଦୃଷ୍ଟିରୁ ଚିନ୍ତାକଲେ ପିଚ୍‌କୁ ତା’ ଅଧିକାରର ସମ୍ମାନ ଦେବା ଭଲ ହେବ। କିଛି ଓଭର କ୍ରିଜ୍‌ରେ ରହି, ତା’ପରେ ଆକ୍ରମଣ କରିବା କୌଶଳ ଅଧିକ ଫଳ ଦେବ। ଆମ ଉପରେ ଅବଶ୍ୟ ଚାପ ବଢ଼ିବଢ଼ି ଚାଲିଛି। ତଥାପି ଆମେ ଭାବନା ଉପରେ ନିୟନ୍ତ୍ରଣ ରଖିବାକୁ ଆପ୍ରାଣ ଉଦ୍ୟମ କରୁଛୁ। ଆମେ ଯେତେବେଳେ ବିଜୟ ପାଇଁ ସଂଘର୍ଷ କରୁଥିଲୁ, ସର୍ବସମ୍ମତିକ୍ରମେ ବେପରୁଆ କ୍ରିକେଟ୍ ଖେଳିବାକୁ ନିଷ୍ପତ୍ତି ନେଇଥିଲୁ। କ୍ରିକେଟ୍‌କୁ ଉପଭୋଗ କରିବା ହିଁ ଆମର ଅସଲ ଲକ୍ଷ୍ୟ ଥିଲା। ପ୍ରଶିକ୍ଷକ ଗ୍ୟାରି କର୍ଷ୍ଟେନ୍ ଓ ଅଧିନାୟକ ବିରାଟ କୋହଲି ଏଥିରେ ଅଗ୍ରଣୀ ଭୂମିକା ତୁଲାଇଥିଲେ। ଆଉ ଆମେ ସେମାନଙ୍କୁ ଅନୁସରଣ କରିଥିଲୁ। ଆମେ କଠିନ ପରିଶ୍ରମ କରୁଛୁ, ମୁଁ କହି ପାରିବି ଯେ ପ୍ରଥମ ଥର ପାଇଁ ଆମ ମୁହଁରେ ହସ ଫୁଟିଛି। ଆମକୁ ଏହି ଧାରାକୁ ବଜାୟ ରଖିବାକୁ ହେବ। ଶୁକ୍ରବାର ରାତିରେ ବିରାଟ ଆମ ପାଇଁ ନୂଆଦିଲ୍ଲୀରେ ବଢ଼ିଆ ରାତ୍ରୀ ଭୋଜନର ଆୟୋଜନ କରିଥିଲେ। ସେତେବେଳେ ଆମର ସବୁ ଖେଳାଳିଙ୍କ ଆତ୍ମବିଶ୍ବାସ ‌ପୂର୍ବାପେକ୍ଷା ବଢ଼ିଥିବା ମୁଁ ଠଉରାଇ ନେଇଥିଲି। ଆମେ ବହୁତ କଠିନ ସମୟ ଦେଇ ଗତି କରିଛୁ। ତଥାପି ଲଢ଼ିବା ଛାଡ଼ି ନାହୁଁ। ସମ୍ଭବତଃ ଆମେ ଏବେ ନୂଆ ଯାତ୍ରାକୁ ମନଭରି ଉପଭୋଗ କରୁଛୁ।

ସମ୍ବନ୍ଧିତ ଖବର