ବ୍ରିଜ୍‌ଟାଉନ୍‌ରେ ୱେଷ୍ଟ୍‌ଇଣ୍ଡିଜ୍ ଦୃଢ଼

ବ୍ରିଜ୍‌ଟାଉନ୍‌: ଇଂଲଣ୍ଡ ବିପକ୍ଷ ପ୍ରଥମ‌ ଟେଷ୍ଟ୍‌ରେ ୱେଷ୍ଟଇଣ୍ଡିଜ୍ ବଡ଼ ଅଗ୍ରଣୀ ସହିତ ନିଜ ସ୍ଥିତି ଦୃଢ଼ କରିଛି। ଦ୍ବିତୀୟ ଦିନ ମଧ୍ୟାହ୍ନ ଭୋଜନ ସୁଦ୍ଧା ଘରୋଇ ଦଳ ଦ୍ବିତୀୟ ପାଳିରେ ୬ ୱିକେଟ୍ ହରାଇ ୨୩୭ ରନ୍ ସଂଗ୍ରହ କରିଛି। ଏଥି ସହିତ ମୋଟ ଉପରେ ଜାସନ୍ ହୋଲ୍‌ଡରଙ୍କ ଦଳ ୪୪୯ ରନ୍ ଅଗ୍ରଣୀ ନେଇ ବିଜୟ ଚାପ ସୃଷ୍ଟି ସ୍ଥିତିରେ ପହଞ୍ଚିଯାଇଛି। ଗୁରୁବାର ଦ୍ବିତୀୟ ଦିବସରେ ଇଂଲଣ୍ଡ ସଂଘାତିକ ବ୍ୟାଟିଂ ବିପର୍ଯ୍ୟୟର ସମ୍ମୁଖୀନ ହୋଇ ମାତ୍ର ୭୭ ରନ୍‌ରେ ସମସ୍ତ ୱିକେଟ୍ ହରାଇଥିଲା। ଦ୍ବିତୀୟ ଦିନ ମଧ୍ୟାହ୍ନ ଭୋଜନ ବିରତି ପରେ ଅଗ୍ନୀବର୍ଷି ବୋଲିଂ କରିଥିବା କେମାର ରୋଚ୍‌ ୨୭ ବଲ୍‌ ଭିତରେ ମାତ୍ର ୪ ରନ୍ ଦେଇ ୫ ୱିକେଟ୍‌ ଦଖଲ କରି ଏହି ବିପର୍ଯ୍ୟୟ ଘଟାଇଥିଲେ। ପ୍ରଥମ ପାଳିରେ ୨୧୨ ରନ୍‌ ଆଗୁଆ ରହିବା ସତ୍ତ୍ବେ ୱେଷ୍ଟଇଣ୍ଡିଜ୍ ଫଲୋଅନ୍ ନ ଡାକି ଦ୍ବିତୀୟ ପାଳି ବ୍ୟାଟିଂ କରିଥିଲା। ସମାନ ଦଶା ଭୋଗି ୱେଷ୍ଟଇଣ୍ଡିଜ୍ ଦ୍ବିତୀୟ ଦିନ ଅପରାହ୍ନରେ ୯ ରନ୍ ଭିତରେ ୫ ୱିକେଟ୍‌ ହରାଇଥିଲା। ଏହା ପରେ ୱିକେଟରକ୍ଷକ ସନ୍ ଡାଓରିଚ୍‌ (୬୧*, ୧୧୮ ବଲ୍, ୫ ଚୌକା, ୧ ଛକା) ଏବଂ ଅଧିନାୟକ ଜାସନ୍ ହୋଲ୍‌ଡର (୮୦*, ୯୩ ବଲ୍, ୯ ଚୌକା, ୩ ଛକା) ଅତୁଟ ସପ୍ତମ ୱିକେଟ୍‌ରେ ୧୧୭ ରନ୍ ଯୋଡ଼ିସାରିଥିବାରୁ ଇଣ୍ଡିଜ୍ ୫୦୦ ଅଗ୍ରଣୀ ଅଭିମୁଖେ ଅଗ୍ରସର ହୋଇଛି। ଶୁକ୍ରବାର ପ୍ରଥମ ଅଧିବେଶନରେ ଇଂଲଣ୍ଡ ବୋଲର ୱିକେଟଶୂନ୍ୟ ରହିବାରୁ ଏହି ଦୁଇ ଜଣ ଆଧିପତ୍ୟ ବିସ୍ତାର କରିଛନ୍ତି।

ସଂକ୍ଷିପ୍ତ ସ୍କୋର: ୱେଷ୍ଟଇଣ୍ଡିଜ୍ ପ୍ରଥମ ପାଳି ୨୮୯ (ସିମରନ୍‌ ହେଟମେୟର-୮୧, ସାଇ ହୋପ୍‌-୫୭, ରସ୍ତନ୍‌ ‌ଚେଜ୍‌-୫୪, ଜେମ୍ସ ଆଣ୍ଡରସନ୍‌-୫/୪୬, ବେନ୍‌ ଷ୍ଟୋକ୍ସ-୪/୫୯, ମୋଇନ୍ ଅଲୀ-୧/୫୯)। ଇଂଲଣ୍ଡ୍ ପ୍ରଥମ ପାଳି: ୩୦.୨ ଓଭରରେ ୭୭ (କିଟନ୍ ଜେନିଙ୍ଗ୍‌ସ-୧୭, ସାମ କରନ୍‌-୧୪, କେମାର ରୋଚ୍‌-୫/୧୭, ଜାସନ୍ ହୋଲ୍‌ଡର-୨/୧୫, ଅଲଜାରି ଯୋସେଫ-୨/୨୦, ସାନ୍ ଗାବ୍ରିଏଲ୍‌-୧/୧୫)। ୱେଷ୍ଟଇଣ୍ଡିଜ୍ ଦ୍ବିତୀୟ ପାଳି: ୬୩ ଓଭରରେ ୨୩୭/୬ (ଜାସନ୍ ହୋଲ୍‌ଡର-୮୦*, ସନ୍ ଡାଓରିଚ୍‌-୬୧*, ମୋଇନ୍ ଅଲୀ-୩/୬୦, ବେନ୍ ‌ଷ୍ଟୋକ୍ସ-୨/୫୨, ସାମ୍ କରନ୍‌-୧/୫୦)।

ସମ୍ବନ୍ଧିତ ଖବର