ଯାହା ହେଉନା କାହିଁକି ଭାରତକୁ ସମର୍ଥନ କରିବି: ସାନିଆ

ପାକିସ୍ତାନୀ ପତି ସୋଏବ୍‌ଙ୍କ ସହ ଭୋଜନକୁ ମନେପକାଇଲେ

ହାଇଦ୍ରାବାଦ: ଭାରତୀୟ ଟେନିସ୍‌ ତାରକା ସାନିଆ ମିର୍ଜା ୨୦୧୦ ମସିହାରେ ପାକିସ୍ତାନୀ କ୍ରିକେଟର୍‌ ସୋଏବ୍‌ ମଲ୍ଲିକଙ୍କ ସହ ବିବାହ ବନ୍ଧନରେ ଆବଦ୍ଧ ହୋଇଥିଲେ। ଉଭୟେ ଦୁଇ ପାରମ୍ପରିକ ଶତୃ ରାଷ୍ଟ୍ରର ହୋଇଥିବାରୁ ଦୁହିଁଙ୍କ ମାନସିକତାରେ ମେଳ ଖାଇବା ନେଇ ଅନେକଙ୍କ ମନରେ ସଂଶୟ ସୃଷ୍ଟି ହେବା ସ୍ବାଭାବିକ। ତେବେ ଉଭୟ ଏକକ ଓ ଯୁଗଳ ବର୍ଗରେ ନିଜର ନାମ କମାଇଥିବା ସାନିଆ ଉଭୟଙ୍କ ବିବାହ ପୂର୍ବରୁ ସୋଏବ୍‌ଙ୍କ ସହ ତାଙ୍କ ସମୀକରଣ ସଂପର୍କରେ ନିକଟରେ ସ୍ପୋର୍ଟସ୍‌କୀଡ଼ା ସହ ଏକ ଫେସ୍‌ବୁକ୍‌ ଚାଟ୍‌’ରେ କହିଛନ୍ତି। ”ଆମ ସଂପର୍କ ଖୁବ୍‌ ମଜାଦାର। ମୁଁ ଭାବୁଛି, ୨୦୧୦ରେ ପ୍ରଥମ ଥର ପାଇଁ ଆମ ସଂପର୍କର ବାସ୍ତବତାକୁ ଲୋକମାନେ ଦେଖିବାକୁ ପାଇଥିଲେ। ଆମେ ଦୁଇଜଣ କିନ୍ତୁ ଏହାକୁ ଖୁବ୍‌ ହାଲ୍‌କୁ ଭାବେ ନେଇଥିଲୁ। କିନ୍ତୁ ମୋ ଭାବନା ଅନୁଯାୟୀ, ଉଭୟେ ଯେତେବେଳେ ଆମେ ପରସ୍ପରକୁ ପ୍ରଥମ ଥର ପାଇଁ ଭେଟିଥିଲୁ, ସେତେବେଳେ ମୋ ଅପେକ୍ଷା ସେ ଅଧିକ କୁହାଳିଆ ଥିଲେ। ଦୁନିଆରେ ମୋ ବିଶ୍ବାସର ବିପରୀତ ଥିଲେ ସେ” ବୋଲି କହିଛନ୍ତି ସାନିଆ।

ଆମେ ଉଭୟ କ୍ରୀଡ଼ାବିତ୍‌। ନିଜ ନିଜ ଦେଶ ପାଇଁ ପ୍ରତିନିଧିତ୍ବ କରି ଆମେ ଯଥେଷ୍ଟ ଗୌରବ ବହନ କରିଛୁ। ହେଲେ ଦୁହେଁ ଯେବେ ଡେଟିଂ କରୁଥିଲେ ସେତେବେଳେ ସୋଏବ୍‌ଙ୍କ ସହ ତାଙ୍କର ଏକ ଭୋଜନ ବେଳ କଥାକୁ ମନେ ପକାଇଛନ୍ତି ସାନିଆ। ବିଶେଷକରି ସେହି ଭୋଜନ ବେଳେ ଭାରତକୁ ସମର୍ଥନ କରିବା ହିଁ ପ୍ରସଙ୍ଗ ଥିଲା। ”କେତେକ କାରଣ ପାଇଁ ସେ ଭାରତ ବିପକ୍ଷରେ ଖେଳିବାକୁ ଭଲ ପାଆନ୍ତି। ତେଣୁ ଯେତେବେଳେ ଆମେ ଡେଟିଂ କରୁଥିଲୁ ଏବଂ ଆମେ ଏନେଇ ଆଲୋଚନା କରୁଥିଲୁ ସବୁବେଳେ ମୁଁ ଯାହା ବି ହୋଇଯାଉନା କାହିଁକି ଭାରତକୁ ସମର୍ଥନ କରିବି ବୋଲି କହୁଥିଲି। କିନ୍ତୁ କଦାପି ସେ ମୋର ଭାବନାକୁ ବିରୋଧ କରିନାହାନ୍ତି କି ପାକିସ୍ତାନକୁ ସମର୍ଥନ କରିବାକୁ ବାଧ୍ୟ କରିନାହରନ୍ତି। ବରଂ ତା’ପରେ ସେ କହିଥିଲେ, ଭାରତ ବିପକ୍ଷ ମୋ କୀର୍ତ୍ତିମାନ ବହୁତ ଭଲ ଯାହାକୁ କି ତୁମକୁ କହିବା ଉଚିତ ମନେ କରୁଛି। ସେ ମଧ୍ୟ ବହୁ ସମୟ ଧରି ଭାରତ ବିପକ୍ଷ ସଫଳତା ସଂପର୍କରେ ବଖାଣିଥିଲେ। ସତରେ ଭାରତ ବିପକ୍ଷରେ ତାଙ୍କର ସଫଳତା ଯଥେଷ୍ଟ ବୋଲି ମୁଁ ଭାବୁଛି। ଅବଶ୍ୟ ସେଥିପା‌ଇଁ ମୁଁ ତାଙ୍କୁ ନେଇ ଖୁବ୍‌ ଗର୍ବିତ” ବୋଲି କହିଛନ୍ତି ସାନିଆ। ଏହି କ୍ରୀଡ଼ା ଦମ୍ପତ୍ତିଙ୍କର ଏକ ୨ ବର୍ଷର ପୁଅ ଇଜ୍‌ହାନ୍‌ ଅଛି।

ସମ୍ବନ୍ଧିତ ଖବର